ବିନା ପ୍ରତିଦ୍ବନ୍ଦ୍ବିତାରେ ଓସିଏ ନିର୍ବାଚନ: ୬ ପଦବି ପାଇଁ ବବି, ସଂଜୟଙ୍କ ସମେତ ୬ ଜଣ ଦାଖଲ କଲେ ପ୍ରାର୍ଥିପତ୍ର

Advertisment

ଔପଚାରିକ ଫଳାଫଳ ଘୋଷଣା ୨୮ରେ

ଔପଚାରିକ ଫଳାଫଳ ଘୋଷଣା ୨୮ରେ

ବିନା ପ୍ରତିଦ୍ବନ୍ଦ୍ବିତାରେ ଓସିଏ ନିର୍ବାଚନ: ୬ ପଦବି ପାଇଁ ବବି, ସଂଜୟଙ୍କ ସମେତ ୬ ଜଣ ଦାଖଲ କଲେ ପ୍ରାର୍ଥିପତ୍ର

କଟକ : ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ) ନିର୍ବାଚନକୁ ନେଇ ଯେଉଁ କଳ୍ପନାଜଳ୍ପନା ଜାରି ଥିଲା ଆଜି ତା’ର ଅନ୍ତ ଘଟିଛି। ବିଜେଡିର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପ୍ରାର୍ଥିତ୍ବକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ସାହସ ଜୁଟାଇ ପାରିନାହାନ୍ତି। ୬ ପଦ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲର ଦିନ ଥିବାବେଳେ ସହମତି ଭିତ୍ତିରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଯାଞ୍ଚ ପରେ ଯଦି ସମସ୍ତଙ୍କ ପ୍ରାର୍ଥିତ୍ବ କାଏମ୍‌ ରୁହେ, ତାହେଲେ ଆସନ୍ତା ୨୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କେବଳମାତ୍ର ଔପଚାରିକ ହେବ। ସଭାପତି ପଦ ପାଇଁ ପ୍ରଣବଙ୍କ ବ୍ୟତୀତ ସଂଜୟ ବେହେରା (ସଂପାଦକ), ବିକାଶ ପ୍ରଧାନ (କୋଷାଧ୍ୟକ୍ଷ), ପଙ୍କଜ ଲୋଚନ ମହାନ୍ତି (ଉପସଭାପତି), ସୁନ୍ଦରଗଡ଼ର ପ୍ରଭାତ କୁମାର ଭୋଳ (ଯୁଗ୍ମ ସଂପାଦକ) ଓ ଅନୁଗୁଳର ପ୍ରତାପ ଚନ୍ଦ୍ର ପ୍ରଧାନ (ଆପେକ୍ସ କାଉନସିଲ ସଭ୍ୟ) ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶନିବାର ଦିନ ୧୨ଟା ସୁଦ୍ଧା ନାମାଙ୍କନ ଉପରେ ଆପତ୍ତି ଗ୍ରହଣ କରାଯିବ। ପରେ ପ୍ରାର୍ଥିପତ୍ର ଯାଞ୍ଚ ଓ ଅଭିଯୋଗର ଶୁଣାଣି ହେବ। ୨୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ସମସ୍ତଙ୍କୁ ସାଙ୍ଗରେ ନେଇ ଓଡ଼ିଶା କ୍ରିକେଟର ବିକାଶ ହେବ: ବବି ଦାସ

ସୂଚନ‌ାଯୋଗ୍ୟ, ସଂଜୟ ବେହେରା, ପଙ୍କଜ ଲୋଚନ ମହାନ୍ତି ଓ ବିକାଶ ପ୍ରଧାନ ଲଗାତାର ଦ୍ବିତୀୟଥର ନିର୍ବାଚିତ ହେବାକୁ ଯାଉଛନ୍ତି। ତେବେ ବାରବାଟୀକୁ ବବିଙ୍କ ପ୍ରବେଶ ଓଡ଼ିଶା କ୍ରିକେଟକୁ ନୂଆ ରୂପ ଦେବ ବୋଲି କୁହାଯାଉଛି। ବବିଙ୍କ ପାଇଁ ତାଙ୍କର ପ୍ରତିନିଧି ପ୍ରାର୍ଥିପତ୍ର ଦାଖଲ କରିଥିଲେ ହେଁ ସେ ଆଜି ଅପରାହ୍ନ ୫ଟାରେ ଓସିଏରେ ପହଞ୍ଚି ଥିଲେ। ବବି କହିଛନ୍ତି ଯେ କ୍ରିକେଟ ଏକ ଗୁରୁତ୍ବପୂର୍ଣ୍ଣ ଓ ଲୋକପ୍ରିୟ ଖେଳ। ଏହାର କିଭଳି ବିକାଶ ପାଇଁ ଉଦ୍ୟମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଶା ଏବେ କ୍ରୀଡ଼ାର ହବ୍ ‌ହୋଇଛି। ଅନ୍ୟ ଖେଳର ବିକାଶ ସହିତ କ୍ରିକେଟର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ସମସ୍ତ ସଭ୍ୟମାନଙ୍କୁ ସାଙ୍ଗରେ ନେଇ ମିଳିତ ଭ‌ାବେ ରାଜ୍ୟ କ୍ରିକେଟ୍‌ର ବିକାଶ ଦିଗରେ ଉଦ୍ୟମ କରାଯିବ ବୋଲି ବବି କହିଛନ୍ତି। ଅନ୍ୟପଟେ ନିର୍ବାଚନ ସଂପର୍କରେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା କହିଛନ୍ତି ଯେ ବିନା ପ୍ରତିଦ୍ବନ୍ଦ୍ବିତାରେ ଏହି ନିର୍ବାଚନ ବିସିସିଆଇକୁ ଏକ ଭଲ ବାର୍ତ୍ତା ଦେଇଛି। ଆଗାମୀ ଦିନରେ କ୍ରିକେଟ୍‌ର ନିଶ୍ଚିତ ବିକାଶ ହେବ। ନିର୍ବାଚିତ ପ୍ରତିନିଧି ସମସ୍ତ ସଭ୍ୟଙ୍କୁ ନେଇ ଆଗକୁ ବଢିବା ଆବଶ୍ୟକ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe