କଟକ: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ଅନ୍ତଃଜିଲ୍ଲା ପୁରୁଷ ଟ୍ବେଣ୍ଟି୨୦ ଲିଗ୍ ଆସନ୍ତା ୧୪ରୁ କଟକ ଓ ଭୁବନେଶ୍ବରରେ ଆରମ୍ଭ ହେବ। ମୋଟ ୯ଟି ପଡ଼ିଆରେ ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ପଡ଼ିଆ ଗୁଡ଼ିକ ହେଉଛି ଭୁବନେଶ୍ବରର କିଟ୍, ବିକାଶ, ଟାଉନ୍ କ୍ଲବ୍, ସେଞ୍ଚୁରିଅନ୍ କ୍ରିକେଟ୍ ପଡ଼ିଆ ଏବଂ କଟକର ବାରବାଟୀ ଷ୍ଟାଡିୟମ୍, ଡ୍ରିମ୍ସ, ରେଭେନ୍ସା, ନିମପୁର ଓ ବିଡ଼ାନାସୀ। ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ମୋଟ ୩୭ଟି ଦଳଙ୍କୁ ୬ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି।
ପ୍ରତି ଗ୍ରୁପ୍ରେ ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଥରେ ଲେଖାଏଁ ଖେଳିବେ। ୧୪ରୁ ୧୮ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୮ଟି ଲେଖାଏଁ ମ୍ୟାଚ୍ ଖେଳାଯିବ। ୧୯ ତାରିଖରେ ଶେଷ ୬ଟି ଲିଗ୍ ମ୍ୟାଚ୍ ଖେଳାଯିବ। ପ୍ରତି ଗ୍ରୁପ୍ର ବିଜେତା ଦଳଙ୍କୁ ନେଇ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସୁପରଲିଗ୍ ପର୍ଯ୍ୟାୟ ଖେଳାଯିବ। ଏହି ପର୍ଯ୍ୟାୟରେ ପ୍ରଥମ ୨ଟି ସ୍ଥାନରେ ଥିବା ଦଳଙ୍କ ମଧ୍ୟରେ ୨୨ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ। ବାରବାଟୀ ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ସନ୍ଧ୍ୟା ୬.୩୦ରୁ ୯ଟା ୪୦ ପର୍ଯ୍ୟନ୍ତ ଖେଳାଯିବ।
ଏହି ପ୍ରତିଯୋଗିତାର ପ୍ରଦର୍ଶନକୁ ଆଧାରକରି ଓଡ଼ିଶା କ୍ରିକେଟ୍ ଲିଗ୍ (ଓସିଏଲ୍) ପାଇଁ ଖେଳାଳି ଚୟନ କରାଯିବ। ଓସିଏଲ୍ରୁ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ପାଇଁ ଓଡ଼ିଶା ଦଳର ମନୋନୟନ କରାଯିବ। ଓସିଏ ଟ୍ବେଣ୍ଟି୨୦ ଲିଗ୍ ଖେଳିବା ପୂର୍ବରୁ ପ୍ରତ୍ୟେକ ଦଳର ସମସ୍ତ ଖେଳାଳି ଓ ମ୍ୟାଚ୍ ପରିଚାଳନା ଅଧିକାରୀଙ୍କୁ କୋଭିଡ୍-୧୯ ନେଗେଟିଭ୍ ରିପୋର୍ଟ ପ୍ରଦାନ କରିବାକୁ ପଡ଼ିବ। ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ସେମାନଙ୍କ ଦ୍ବିତୀୟ କୋଭିଡ୍ ପରୀକ୍ଷା ହେବ। କେବଳ ନେଗେଟିଭ୍ ରିପୋର୍ଟ ଧାରୀଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।
Follow Us