୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବନ ନିଗମ ସୁପରଭାଇଜର

Advertisment
୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବନ ନିଗମ ସୁପରଭାଇଜର

ଝାରସୁଗୁଡ଼ା: ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଝାରସୁଗୁଡ଼ା ଶାଖାର ସୁପରଭାଇଜର ସୁମନ୍ତ ପାଇକରାୟ ଭିଜିଲାନ୍‌ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଝାରସୁଗୁଡ଼ା ଭିଜିଲାନ୍‌ସ ଡ଼ିଏସ୍‌ପି ଦିଲୀପ କୁମାର କରଙ୍କ ଠାରୁ ପ୍ରକାଶ ଯେ, ରଘୁନାଥପାଲି ଅଞ୍ଚଳରେ ରହୁଥିବା ଦୈତାରୀ ପ୍ରଧାନ ଝାରସୁଗୁଡ଼ା ବନ ଉନ୍ନୟନ ନିଗମରୁ ୬ ଗୋଟି ଲଟ୍‌ ଜାଳକାଠ ଉଠାଇବା ପାଇଁ ବିଡ଼ିଂରେ ପାଇଥିଲେ। ସଂପୃକ୍ତ ବିଭାଗର ଡ଼ିଏମ୍‌ଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପ୍ରଧାନ କାଠର ମୂଲ୍ୟ ବାବଦ ଟଙ୍କା ଜମା କରିଥିଲେ ଓ ଲିଫ୍‌ଟିଂ ପାଇଁ ଅନୁମତି ପାଇଥିଲେ। ମାତ୍ର ଗାଡ଼ି ଆଣି କାଠ ଉଠାଇବା ବେଳେ ଅଭିଯୁକ୍ତ ସୁପରଭାଇଜର ତାଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ନଦେଳେ ସେ ଚାଲାଣ କାଟିବେ ନାହିଁ ବୋଲି କହି ଫେରେଇ ଦେଇଥିଲେ। ପରେ ଗତ ୨ ତାରିଖ ଦିନ ସେ ପୁନର୍ବାର ଯାଇ କାଠ ଉଠାଇବାକୁ ଚାହିଁବାରୁ ସେ ପୁଣି ମନା କରିଥିଲେ। ଫଳରେ ଶ୍ରୀ ପ୍ରଧାନ ୧୬ ହଜାର ଟଙ୍କା ଦେବାକୁ ବୁଝାମଣା କରିଥିଲେ ଓ ଏ ସଂପର୍କରେ ସୋମବାର ଭିଜିଲାନ୍‌ସ ବିଭାଗରେ ଏକ ଏତଲା ଦାୟାର ପରେ କେସ୍‌ ନମ୍ବର ୫୪ରେ ଏକ ମାମଲା ରୁଜୁ ହୋଇ ଏସ୍‌ପି ରବୀନ୍ଦ୍ର କୁମାର ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ ହୋଇଥିଲା।

ପୂର୍ବ ଯୋଜନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୨ ଟା ୩୦ରେ ବଡ଼ମାଳ ଓଏଫ୍‌ଡ଼ିସି କାର୍ଯ୍ୟାଳୟରେ ଅଭିଯୋଗକାରୀ ଶ୍ରୀ ପ୍ରଧାନ ସୁପରଭାଇଜରଙ୍କ କେମିକାଲ ବୋଳା ଯାଇଥିବା ୧୬ ହଜାର ଟଙ୍କା ଦେବାପରେ ଛପି ରହିଥିବା ଭିଜିଲାନ୍‌ସ ଅଧିକାରୀମାନେ ସୁପରଭାଇଜର ପାଇକରାୟଙ୍କୁ ଧରି ଗିରଫ କରି ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିଥିଲେ।

ପାଇରାୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଛତିପୁର ହୋଇଥିବା ବେଳେ ଝାରସୁଗୁଡ଼ା ବିଟିଏମ୍‌ ଅଞ୍ଚଳରେ ସେ ଏକ ଭଡ଼ା ଘରେ ରହୁଛନ୍ତି। ଟ୍ରାପ୍‌ ପରେ ଭିଜିଲାନ୍‌ସ ଅଧିକାରୀମାନେ ଉଭୟ ସ୍ଥାନରେ ଥିବା ତାଙ୍କ ଘରେ ଚଢ଼ାଉ ଆରମ୍ଭ କରିଥିବା ଜଣାଯାଇଛି। ଏହି ଚଢ଼ାଉରେ ଡ଼ିଏସ୍‌ପି ଦିଲୀପ କୁମାର କର ନେତୃତ୍ୱ ନେଇଥିବା ବେଳେ ଇନ୍‌ସପେକ୍ଟର ପ୍ରଦୀପ କୁମାର ଆଇଣ୍ଡ, ସୁନ୍ଦରଗଡ଼ ଇନ୍‌ସପେକ୍ଟର ସୁଧାଂଶୁ ପୂଜାରୀ, ସମ୍ବଲପୁର ଇନ୍‌ସପେକ୍ଟର କେ.ଏସ୍‌.କୁଜୁର, କନଷ୍ଟେବଳ ଗୌରୀଶଙ୍କର ମେହେର, ପୋଲସ୍ତି ଦେହୁରି, ତୁଷାରକାନ୍ତ ମେହେର, କ୍ଷୀରୋଧ ବେହେରା, ଏଚ୍‌ଆର୍‌ ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe