ପରିଣତ ବୟସରେ ଦେଖିଲେନି ପରିବାର, ନିଃସଙ୍ଗ ଜୀବନ ବିତାଉଛନ୍ତି ବେସାହାରା କୃଷ୍ଣଚନ୍ଦ୍ର

Advertisment
ପରିଣତ ବୟସରେ ଦେଖିଲେନି ପରିବାର, ନିଃସଙ୍ଗ ଜୀବନ ବିତାଉଛନ୍ତି ବେସାହାରା କୃଷ୍ଣଚନ୍ଦ୍ର

ରାଉରକେଲା: ଚାକିରି ବେଳେ ସବୁ କିଛି ଠିକ୍ଠାକ୍ ଥିଲା। ବେଶ ହସ ଖୁସିରେ ଚାଲୁଥିଲା ପରିବାର। ଅବସର ପରେ ସବୁ କିଛି ହୋଇଗଲା ଓଲଟପାଲଟ। ରୋଜଗାର ଘରକୁ ନ ଆସିବାରୁ ପତ୍ନୀ ହାତ ଛାଡିଦେଲେ। ଏକମାତ୍ର ଜନ୍ମକଲା ପୁଅ ବି' ମୁହଁକୁ ଚାହିଁଲାନି। ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଏକୁଟିଆ ଜୀବନ ଅତିବାହିତ କରୁଛନ୍ତି ରାଉରକେଲାର ୯୦ ବର୍ଷୀୟ ବୃଦ୍ଧ କୃଷ୍ଣଚନ୍ଦ୍ର। ଏମିତି ଦୁଃଖଦ ଘଟଣା ଘଟିଛି ସେକ୍ଟର-୬ ସ୍ଥିତ ତାରାତାରିଣୀ ପଲ୍ଲୀ ବସ୍ତିରେ। କୃଷ୍ଣଚନ୍ଦ୍ର ଖୁଣ୍ଟିଆ ଚାକିରି କରିଥିଲେ ରାଉରକେଲା ଇସ୍ପାତ କାରଖାନାରେ। ପରିବାର ସହ ବେଶ ହସଖୁସିରେ ଜୀବନ ବିତୁଥିଲା। ପୁଅକୁ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ଦୁଇ ଝିଅଙ୍କ ବିବାହ କରାଇ ପରିବାରର ଭଲମନ୍ଦ ସବୁକିଛି ବୁଝିଥିଲେ। ତେବେ, ୧୯୯୦ ମସିହାରେ ଅବସର ନେବା ପରେ ହଠାତ ସବୁକିଛି ବଦଳି ଯାଇଥିଲା।

ପୁଅ, ବୋହୁ ଓ ନାତି ତାଙ୍କୁ ଏକାକୀ ଛାଡ଼ିଦେଇ ଅନ୍ୟତ୍ର ରହିଲେ। ସେପଟେ ପତ୍ନୀ ମଧ୍ୟ ଝିଅଜ୍ବାଇଁଙ୍କ ପାଖକୁ ଚାଲିଗଲେ। ଏପଟେ ଏକାକୀ କୃଷ୍ଣଚନ୍ଦ୍ର ନିଜେ ରୋଷେଇବାସ ଠାରୁ ଆରମ୍ଭ କରି ନିଜେ ନିଜର ଦୈନନ୍ଦିନ କାର୍ଯ୍ୟ କରିଆସୁଥିଲେ। ବର୍ଷ ପରେ ବର୍ଷ ଗଡି ଚାଲିଲା। ଏହାରି ଭିତରେ ଗୋଡ଼ ଓ ଅଣ୍ଟା ହାଡ଼ ଭାଙ୍ଗିଗଲା। ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ଚାଉଳରେ କଷ୍ଟେମଷ୍ଟେ ଚଳିଯାଉଥିଲା। ସାଇପଡ଼ିଶା ମଧ୍ୟ ସହାୟତା କରୁଥିଲେ। ଏବେ କିଛିଦିନ ହେଲା ଆଉ ହାତଗୋଡ଼ ନଚାଲିବାରୁ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି କୃଷ୍ଣଚନ୍ଦ୍ର। ଏଭଳି ସ୍ଥିତିରେ କିଛି ସ୍ଥାନୀୟ ବାସିନ୍ଦା ଅନ୍ୟତ୍ର ରହୁଥିବା ପୁଅ କିଶୋରଙ୍କୁ ଆସି ବାପାଙ୍କୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ସେ ମନାକରିବାରୁ ପଡୋଶୀମାନେ ପୁଲିସକୁ ଅବଗତ କରିଥିଲେ।

ପୁଲିସ ଚାପରେ ପୁଅ କିଶୋର ଆସି ନେବାକୁ ରାଜି ହେଲା ବେଳକୁ ପୁଅର ମୁଁହ ଚାହିଁବେନି କି କୁଆଡେ ଯିବେନାହିଁ ବୋଲି ଜିଦ ଧରି ବସିଛନ୍ତି କୃଷ୍ଣଚନ୍ଦ୍ର। ଶେଷରେ ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ କୃଷ୍ଣଚନ୍ଦ୍ରଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁସ୍ଥ ହେବାପରେ ସେ କେଉଁଠି ରହିବେ ନିଷ୍ପତ୍ତି କରାଯିବ ବୋଲି ଜଣାପଡିଛି। ତେବେ, କୃଷ୍ଣଚନ୍ଦ୍ର ଙ୍କ ପରିବାରରେ କାହିଁକି ଏତେବଡ଼ ବିଭ୍ରାଟ ସୃଷ୍ଟି ହେଲା ? ରୋଗାଗ୍ରସ୍ତ ଓ ଅସହାୟ ହୋଇ ପଡିଥିଲେ ବି' ଏକମାତ୍ର ପୁଅର ମୁହଁ ଚାହିଁବେନି, ତେଜ୍ୟପୁତ୍ର କରିଦେବା ସହ କିଛି ସମ୍ପତ୍ତି ଦେବେନାହିଁ ବୋଲି ଜିଦ ଧରିବା ପଛର ଗୁମର କ'ଣ ? ଏମିତି ଅନେକ ପ୍ରଶ୍ନ ସବୁ ଏବେ ଅସମାହିତ। କୃଷ୍ଣଚନ୍ଦ୍ର କହିଛନ୍ତି, ଚାକିରି କରିଥିଲି ସବୁ କିଛି ଠିକ୍ଠାକ୍ ଥିଲା। ଚାକିରି ସରିବା ପରେ ମୋତେ ଅବସର ବେଳେ ଟଙ୍କା ଦେବାକୁ ଉଭୟ ପତ୍ନୀ ଓ ପୁଅ ଜିଦ୍ ଧରିଥିଲେ। ଟଙ୍କା ନ ଦେବାରୁ ସମସ୍ତେ ମୋତେ ଛାଡି ଚାଲିଗଲେ। ଏଇଠି ମରିବେ ପଛେ ସେମାନଙ୍କ ପାଖକୁ ଆଦୌ ଯିବି ନାହିଁ ବୋଲି ସେ କହିଛନ୍ତି। ପଡୋଶୀ ବିକାଶ ଦାଶ କହିଛନ୍ତି, ବୃଦ୍ଧ ଅବସ୍ଥାରେ ପରିବାର ଲୋକ ତାଙ୍କୁ ଭୁଲିଗଲେ। ବର୍ଷ ବର୍ଷ ଧରି ଏକାଠି ଜୀବନ ବିତାଉଛନ୍ତି। ପୁଅ, ପତ୍ନୀ ନ ଆସିବାରୁ ଆମେ ଜିଲ୍ଲା ପ୍ରଶାସନକୁ ଜଣାଇଲୁ। ପରିବାର ନ ଦେଖିଲେ ନାହିଁ ଶେଷ ଜୀବନ ଯେମିତି ବୃଦ୍ଧଙ୍କର ଭଲରେ କଟୁ, ଆମେ ଏତିକି ହିଁ ଚାହୁଁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe