ବରଡ଼ା ଛପର ଘରେ ଅଗ୍ନିକାଣ୍ଡ, ଜଳିଗଲେ ବୃଦ୍ଧ

Advertisment
ବରଡ଼ା ଛପର ଘରେ ଅଗ୍ନିକାଣ୍ଡ, ଜଳିଗଲେ ବୃଦ୍ଧ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ବୁଢାପାଳ ପଞ୍ଚାୟତ ତିଲେଇପଶି ମହାରାସାହିରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅମି ମହାର (୮୦)। ସୂଚନା ଅନୁଯାୟୀ ଅମି ଜଣେ ଅସହାୟ ଗରିବ ପରିବାରର ହୋଇଥିବା ବେଳେ ତାଙ୍କର ପୁଅ, ବୋହୂ ସମସ୍ତେ ବାହାରେ ରହୁଛନ୍ତି। ଅମି ତାଙ୍କ ସ୍ତ୍ରୀଙ୍କ ସହ ତାଳବରଡା ଛପର ଘର ଓ ଘରର ଚାରି ପାଖରେ ଖଜୁରି ଗଛ ପତ୍ର ଘେରାଇ ରହୁଥିଲେ। ଶୀତରୁ ରକ୍ଷା ପାଇବା ପାଇଁ ସବୁଦିନ ପରି ଶନିବାର ନିଆଁ ଜାଳି ପାଖରେ ଶୋଇଥିଲେ। ରାତିରେ ଉଭୟ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦେଖି ଅମିଙ୍କ ପତ୍ନୀ ଚାଲି ଆସିଥିବା ବେଳେ ସେ ଘରୁ ବାହାରି ନ ପରି ନିଆଁରେ ପୋଡ଼ି ହୋଇଯାଇଥିଲେ।

ଖବରପାଇ ଗ୍ରାମବାସୀ ପହଞ୍ଚିବା ସହିତ ଦମକଳ ବାହିନୀକୁ ଫୋନ୍‌ କରିଥିଲେ। ଖବରପାଇ ଛେଣ୍ଡିପଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଗୁରୁତର ଅବସ୍ଥାରେ ଅମିଙ୍କୁ ୧୦୮ ଆମ୍ବୁଲାନ୍‌ସ ଯୋଗେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପରେ ତାଙ୍କୁ ଅନୁଗୁଳ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଅମିଙ୍କ ପୁଅ, ବୋହୂ ବାହାରେ ରହୁଥିବା ବେଳେ ଗ୍ରାମର କିଛି ଯୁବକ ତାଙ୍କୁ ଅନୁଗୁଳ ନେଇଥିଲେ।

ତେବେ ତାଙ୍କର ପରିବାର କେହି ନ ଥିବାରୁ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ଯୁବକମାନେ ଅମିଙ୍କ ଶବକୁ ଧରି ଗ୍ରାମକୁ ଫେରିଥିଲେ। ପରେ ବୁଢାପାଳ ରାଜସ୍ୱ ନୀରକ୍ଷକଙ୍କୁ ଖବର ଦିଆଯାଇଥିଲ। ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ୱାର୍ଡ ସଭ୍ୟ ମଙ୍ଗୁଳୁ ମହାରଙ୍କ ଜରିଆରେ ସ୍ଥାନୀୟ ବୁଢାପାଳ ଫାଣ୍ଡିକୁ ଜଣାଇଥିଲେ। ଫାଣ୍ଡି ଅଧିକାରୀ ଶବକୁ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ରାଜସ୍ୱ ନିରୀକ୍ଷକ ତାଙ୍କ ପରିବାରକୁ ପ୍ରାରମ୍ଭିକ ସହାୟତା ଯୋଗାଇଥିବା ବେଳେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe