CREATOR: gd-jpeg v1.0 (using IJG JPEG v62), quality = 100
ରେଢ଼ାଖୋଲ/ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ହାତୀ ଉପଦ୍ରବ ଜାରି ରହିଛି। ନିୟମିତ ଧନଜୀବନ ନଷ୍ଟ ହେବାରେ ଲାଗିଛି। ଶନିବାର ସକାଳେ ହାତୀ ଆକ୍ରମଣରେ ରେଢ଼ାଖୋଲ ଥାନା ଡଇଁଚା ପଞ୍ଚାୟତ ଗୋପାଳପୁର ଗ୍ରାମର ବୃଦ୍ଧା ନୁନି ସମର୍ଦ୍ଧା (୭୨)ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ନୁନି ଆଜି ସକାଳ ପ୍ରାୟ ୮ଟା ବେଳେ ଅନ୍ୟମାନଙ୍କ ସହ କେନ୍ଦୁପତ୍ର ତୋଳିବାକୁ ଗାଁ ପାଖ ଜଙ୍ଗଲକୁ ଯାଉଥିଲେ। ଏହି ସମୟରେ ବ୍ରାହ୍ମଣୀ ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ନୁନିଙ୍କୁ ଆକ୍ରମଣ କରିଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ତାଙ୍କ ସହିତ ଥିବା ଅନ୍ୟ ମହିଳା ମାନେ ପାଟିତୁଣ୍ଡ କରିବାରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଏହା ଦେଖି ହାତୀଟି ସେଠାରୁ ଚାଲି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଫରେଷ୍ଟର ସୈରେନ୍ଦ୍ରୀ ସାହୁ ଓ ବନ କର୍ମଚାରୀ ଅଜିତ ସାହୁଙ୍କ ସହାୟତାରେ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ।
ମାତ୍ର ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରେଞ୍ଜ ଅଧିକାରୀ ମୈତ୍ରୀ ମନଜିତ ବିଶ୍ବାଳ ପହଞ୍ଚି ନୁନିଙ୍କ ପରିବାରକୁ ସହାୟତା ରାଶି ଖୁବ୍ ଶୀଘ୍ର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରକାଶଥାଉ କି, ଉକ୍ତ ଦନ୍ତା ହାତୀଟି ଅଞ୍ଚଳରେ ନିୟମିତ ଉପଦ୍ରବ କରିବା ସହ ଧନଜୀବନ ହାନି କରିବାରେ ଲାଗିଛି। ଫଳରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଲେଣି। ବନ ବିଭାଗ ପକ୍ଷରୁ ହାତୀଟିକୁ ଖୋଜା ଚାଲିଛି। ଶୀଘ୍ର ହାତୀକୁ କାବୁ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
  
 Follow Us