ଦଶମନ୍ତପୁର: ଅନ୍ଧାରୀ ନଦୀରେ ମାଛ ଧରିବା କାଳ ହେଲା। ବର୍ଷ ବର୍ଷ ଧରି ମାଛ ଧରୁଥିବା ବୃଦ୍ଧଙ୍କ ଜୀବନ ଯାଇଛି। ପୁଲିସ ବୃଦ୍ଧଙ୍କ ଶବ ଉଦ୍ଧାର ପରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତ ସ୍ଥିତ ବରଗଛ ଗାଁରେ। ମୃତ ବ୍ୟକ୍ତି ଜଣକ ହେଲେ ରାମ ଦାସ୍ ମୁଦୁଲି (୫୫) । ଏନେଇ ପରିବାର ବର୍ଗ ଦଶମନ୍ତପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ। ଏଥିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ତଦନ୍ତ ଅଧିକାରୀ ଏଏସ୍ଆଇ ବାବୁଲା ପ୍ରଧାନ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ ପରିବାର ଲୋକେ କହିବା ଅନୁସାରେ ବୁଧବାର ଦିନ ଅପରାହ୍ନରେ ଏକ ମାଛଧରା ଜାଲ ଧରି ଗାଁ ନିକଟସ୍ଥ ଅନ୍ଧାରୀ ନଦୀକୁ ଯାଇଥିଲେ ରାମଦାସ । ହେଲେ ନଦୀ ପାଣିରେ ବୁଡି ମାଛ ଧରିବା ବେଳେ ତା ଦେହରେ ଜାଲ ଛନ୍ଦି ହୋଇଯାଇଥିଲା। ଏହା ପରେ ମୃତଦେହ ନଦୀରେ ଭାସୁ ଥିଲା। ହେଲେ ସଂଧ୍ୟା ବେଳେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ରଘୁ ଦିଶାରି ଛେଳି ଜଗିବାକୁ ଯାଇଥିଲେ। ଛେଳି ନେଇ ଘରକୁ ଫେରିବା ବେଳେ ନଦୀରେ ବୃଦ୍ଧଙ୍କ ମୃତଦେହ ଭାସୁ ଥିବା ଦେଖିଥିଲେ। ସେ ଏବାବଦରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ବୃଦ୍ଧଙ୍କ ସ୍ତ୍ରୀ ପାଇକେଣୀ ମୁଦୁଲି ସମେତ ତାଙ୍କ ଦୁଇ ପୁଅ ନଦୀରେ ଯାଇ ଦେଖିଲା ପରେ ପୁଣି ଦଶମନ୍ତପୁର ଥାନାରେ ଏତଲା ଦେଇଥିଲେ।
ଏତଲାକୁ ଭିତ୍ତିକରି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରି ମୃତଦେହ ଉଦ୍ଧାର କରିଥିବା କୁମୁଟି ଜାନୀ ରଘୁ ଦିଶାରି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ପରିବାର ଅତ୍ୟନ୍ତ ଗରିବ ଲୋକ ହୋଇଥିବାରୁ ଦିନ ମଜୁରିଆ ଭାବେ କାମ କରି ଆସୁ ଥିଲେ। ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
Follow Us