୫୦୦ ଟଙ୍କା ଭତ୍ତା ପାଇଁ ଖର୍ଚ୍ଚ ୪୦୦, ପରିଣତ ବୟସରେ ୧୦ କିମି ଦୂର ବ୍ୟାଙ୍କକୁ ଦୌଡ଼ୁଛନ୍ତି ହିତାଧିକାରୀ

Advertisment
୫୦୦ ଟଙ୍କା ଭତ୍ତା ପାଇଁ ଖର୍ଚ୍ଚ ୪୦୦, ପରିଣତ ବୟସରେ ୧୦ କିମି ଦୂର ବ୍ୟାଙ୍କକୁ ଦୌଡ଼ୁଛନ୍ତି ହିତାଧିକାରୀ

Sambad

ରାୟଗଡ଼ା: କିଏ ଚାଲିପାରୁନି ତ, କାହାର ଆଖିକୁ ଭଲ ଭାବରେ ଦିଶୁନି। ଅଧାରୁ ଅଧିକ ଆଶାବାଡି ଓ ପରିବାର ଲୋକଙ୍କ ସାହାରାରେ ବାଟ ଚାଲୁଛନ୍ତି। ଅନେକଙ୍କୁ ସ୍ବାକ୍ଷର କରିବା ମଧ୍ୟ ବୁଝୁନି। ଏପରି ସ୍ଥିତିରେ ଭତ୍ତା ଟଙ୍କା ପାଇଁ ୧୦ କିମି ଦୂର ବ୍ୟାଙ୍କକୁ ଦୌଡ଼ି ନୟାନ୍ତ ହେଉଛନ୍ତି ହିତାଧିକାରୀ। ବ୍ୟାଙ୍କ ବଦଳରେ ପୂର୍ବ ଭଳି ଗାଁରେ ଭତ୍ତା ଟଙ୍କା ପହଞ୍ଚାଇବାକୁ ନିବେଦନ କରିଛନ୍ତି ରାୟଗଡ଼ା ବ୍ଲକ୍ ତାଡମା ପଞ୍ଚାୟତର ସିଙ୍ଗପୁଟ ହିତାଧିକାରୀ। ରାୟଗଡ଼ା ଜିଲ୍ଲା ସଦର ମହକୁମାରୁ ସିଙ୍ଗପୁଟ ଗ୍ରାମର ଦୂରତା ୧୦କିମି। ଗ୍ରାମର ୬୬ ହିତାଧିକାରୀ ବାର୍ଧ୍ୟକ, ବିଧବା ଓ ଭିନ୍ନକ୍ଷମ ବାବଦ ଭତ୍ତା ପାଉଛନ୍ତି। ଗାଁ କିମ୍ବା ପଞ୍ଚାୟତରେ ବ୍ୟାଙ୍କ ସେବା ନଥିବାରୁ ଭତ୍ତା ଟଙ୍କା ଉଠାଣ ପାଇଁ ହିତାଧିକାରୀ ମାନେ ରାୟଗଡ଼ା ଷ୍ଟେଟ୍ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେଉଛନ୍ତି। ପ୍ରତି ହିତାଧିକାରୀ ପିଛା ଭତ୍ତା ଟଙ୍କା ୫୦୦ ଟଙ୍କା ମିଳୁଥିବା ବେଳେ ଅଟୋ ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ଜଣଙ୍କ ପିଛା ୪୦୦ ଟଙ୍କା ଖର୍ଚ୍ଚ ହେଉଛି। ଫଳରେ ପ୍ରତି ମାସରେ ହିତାଧିକାରୀ ନିଜ ପ୍ରାପ୍ୟ ଟଙ୍କାରୁ ମାତ୍ର ଶହେ କି ଦୁଇ ଶହ ଟଙ୍କା ବଳକା କରିବାରେ ସକ୍ଷମ ହେଉଛନ୍ତି। ବଳକା ହେଉଥିବା ଟଙ୍କାରେ ମାସ ତମାମ ଚଳିବା ହିତାଧିକାରୀଙ୍କ ପକ୍ଷରେ କଷ୍ଟକର ହେଉଥିବାରୁ ଭତ୍ତା ଟଙ୍କା ନ ମିଳିବା ସହ ସମାନ୍ ବୋଲି ଅଭିଯୋଗ କରିଛନ୍ତି।

ବ୍ୟାଙ୍କକୁ ଆସି ହିତାଧିକାରୀ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ବହୁ ସମୟରେ ବ୍ୟାଙ୍କରେ ଲିଙ୍କ୍ ଫେଲ, ଫିଙ୍ଗର ପ୍ରିଣ୍ଟସ୍ ମେଳ ନ ଖାଇବା ଆଦି ସମସ୍ୟା ଯୋଗୁ ଜଣେ ଜଣେ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପାଇଁ ୨/୩ ଥର ବ୍ୟାଙ୍କକୁ ଦୌଡ଼ିବାକୁ ପଡୁଛି। ପରିଣତ ବୟସରେ ଭତ୍ତା ଟଙ୍କା ପାଇଁ ହିତାଧିକାରୀ ସମ୍ମୁଖୀନ ହେଉଥିବା ଅସୁବିଧାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସମାଧାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ହିତାଧିକାରୀଙ୍କ ଅଭିଯୋଗକୁ ତୁରନ୍ତ ବିଚାରକୁ ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାୟଗଡ଼ା ବିଡିଓ ଲକ୍ଷ୍ମୀନାରାୟଣ ସାବତଙ୍କୁ ନିର୍ଦେଶ ଦେଇଛନ୍ତି। ରାୟଗଡ଼ା ସଦର ବ୍ଲକ୍ ସିଙ୍ଗପୁଟ ଗ୍ରାମରେ ୬୬ ହିତାଧିକାରୀ ରହିଥିବା ବେଳେ ପଞ୍ଚାୟତରେ ୫୪୧ ହିତାଧିକାରୀ ରହିଛନ୍ତି। ପୂର୍ବରୁ ବ୍ଲକ୍ କର୍ତ୍ତୃପକ୍ଷ ଗାଁରେ ପହଞ୍ଚି ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ କରୁଥିଲେ। ସରକାରଙ୍କ ନିର୍ଦ୍ଦେଶାନୁସାରେ ଗତ କିଛି ମାସ ହେଲା ହିତାଧିକାରୀଙ୍କ ଭତ୍ତା ଟଙ୍କା ନିଜସ୍ବ ବ୍ୟାଙ୍କ ଖାତାରେ ଜମା ହେଉଛି। ଫଳରେ ହିତାଧିକାରୀ ବ୍ୟାଙ୍କକୁ ଆସି ଭତ୍ତା ଟଙ୍କା ଉଠାଣ କରୁଛନ୍ତି। ଭତ୍ତା ଟଙ୍କା ଅଟୋ ଭଡ଼ାରେ ହିଁ ସରି ଯାଉଥିବାରୁ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସିଙ୍ଗପୁଟ ହିତାଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe