ପୁନଃଜୀବିତ ହେବ ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ

ପୁନଃଜୀବିତ ହେବ ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ

Sambad

କୋରାପୁଟ: ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନର୍ଜୀବିତ କରିବା ପାଇଁ ଇନ୍ଟାକ, କୋଟସ ଓ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଛି ଅଭିନବ ପ୍ରକଳ୍ପ। କୋରାପୁଟ ଜିଲ୍ଲାର ବିଶେଷ କରି ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗଦବା ଜନଜାତିର ଲୋକେ ପୁରୁଷ ପୁରୁଷ ଧରି କେରେଙ୍ଗ ଗଛର ଛାଲିରୁ ପ୍ରସ୍ତୁତ ସୂତାରେ ବସ୍ତ୍ର ବୁଣି ତାକୁ ପିନ୍ଧି ଆସୁଥିଲେ। ହେଲେ ଗତ କିଛିବର୍ଷ ହେବେ ସେମାନଙ୍କ ପାଖରେ ଏହି ପାରମ୍ପରିକ ବସ୍ତ୍ର ଓ ଏହାକୁ ବୁଣିବା ପାଇଁ ବ୍ୟବହାର କରାଯାଉଥିବା ତନ୍ତର ବ୍ୟବହାର ଚିନ୍ତାଜନକ ଭାବେ କମି ଯାଇଛି। ଏହାକୁ ପୁନଃରଜୀବିତ ହେବ ବୋଲିମତ ପ୍ରକାଶ ପାଇଛି। ଲମତାପୁଟ ବ୍ଲକର ଗଡିହଞ୍ଜର ଗ୍ରାମରେ ବାସ କରୁଥିବା ଗଦବା ଜନଜାତିର ଚାଷୀ ଲକ୍ଷ୍ମଣ ବଡନାୟକ କହିଛନ୍ତି ଯେ ଜଙ୍ଗଲରେ କେରେଙ୍ଗ ବୃକ୍ଷ ଜଙ୍ଗଲ ନିଆଁରେ ନଷ୍ଟ ହୋଇଯାଇଛି। ଏହାସହ ଅନେକ ତନ୍ତ ମଧ୍ୟ ଭାଙ୍ଗିରୁଜି ଯାଇଥିବାରୁ ବସ୍ତ୍ର ପ୍ରସ୍ତୁତ କରିବାରେ ନାହିଁ ନ ଥିବା ସମସ୍ୟା ହେଉଛି ବୋଲି ସେ କହିଥିଲେ। ତେବେ ଗତ କିଛିଦିନ ପୂର୍ବେ କୋରାପୁଟ ଜିଲ୍ଲାରେ ଇଣ୍ଟାକର ବିଶେଷଜ୍ଞ ମାନେ ଆଦିବାସୀ ଜନଜାତିଙ୍କ କଳା ଓ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ କରିବାସମୟରେ କେରେଙ୍ଗ ବସ୍ତ୍ର ଲୁପ୍ତ ପ୍ରାୟ ହୋଇଯାଉଥିବା ଆଶଙ୍କା କରିଥିଲେ।

publive-image Sambad

ଏହି ଆଶଙ୍କା କୁ ବ୍ୟକ୍ତ କରିବା ପରେ ଦିଲ୍ଲୀ ସ୍ଥିତ ଇଣ୍ଟାକ ମୁଖ୍ୟ କାର୍ଯ୍ୟାଳୟ ସ୍ପନ୍ଦିତ ହୋଇ ଏହି ପାରମ୍ପରିକ ବସ୍ତ୍ରର ପୁନରୁଦ୍ଧାର ପାଇଁ ଏକ ଯୋଜନାକୁ ଅନୁମୋଦନ କରାଯାଇଥିବା ଇଣ୍ଟାକ ଭୁବନେଶ୍ୱରର ବିଶେଷଜ୍ଞ ଅନିଲ ଧିର ଜଣାଇଛନ୍ତି। ଏହି ଯୋଜନାରେ ଜଙ୍ଗଲରେ କେରେଙ୍ଗ ବୃକ୍ଷର ସୁରକ୍ଷା ତଥା ପୁନଃ ପ୍ରସାର ନିମନ୍ତେ ପ୍ରୟାସ କରାଯିବା ସହ ତନ୍ତର ମରାମତି ଓ ଉତ୍ପାଦର ବଜାର ଯୋଗାଇଦେବା ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀଧିର ଜଣାଇଛନ୍ତି। ଏହି ଯୋଜନାର ସଫଳ ରୂପାୟନ ପାଇଁ ଇଣ୍ଟାକ ସହ ରାଜ୍ୟ ସରକାର ହାତ ମିଶାଇ ଥିବା ରାଜ୍ୟର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ଇଣ୍ଟାକର ବିଶିଷ୍ଟ ସଦସ୍ୟ ସଞ୍ଜୀବ ହୋତା ଜଣାଇଥିବା ବେଳେ ଏହି ଲୁପ୍ତ ପ୍ରାୟ କଳା ଓ ବସ୍ତ୍ରକୁ ପୁନଜୀବିତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ବିଭାଗ ମାଧ୍ୟମରେ ସହଯୋଗ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିବା ଜିଲ୍ଲାପାଳ ଅବଦଲ ଏମ. ଅଖତର ସୂଚନା ଦେଇଛନ୍ତି। ଏହା ବାଦେ ମଧ୍ୟ ଯେ କୌଣସି ଆବଶ୍ୟକତାକୁ ପୁରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ ଥିବା ସେ ଜଣାଇଛନ୍ତି। ଓଡ଼ିଶା ମାଟିରେ ଇଣ୍ଟାକ ଦ୍ଵାରା ଏପରି ଏକ ଯୋଜନା ପ୍ରଥମ ଥର ପାଇଁ କରାଯାଉଥିବା ଯୋଗୁଁ ଏହାର ସଫଳତା ପରେ ରାଜ୍ୟରେ ଅନ୍ୟାନ୍ୟ ଲୁପ୍ତ ପ୍ରାୟ କଳାକୁ ଜୀବନ ଦେବା ପାଇଁ ବାଟ ଖୋଲିଯିବାର ସମ୍ଭାବନା ଉଜ୍ଜ୍ବଳ ହେବ ବୋଲି ଶ୍ରୀ ଧିର ଆଶା ପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe