ରୋଗ ଯନ୍ତ୍ରଣା ହେଲା ଅସହ୍ୟ, ଶେଷରେ ଆତ୍ମହତ୍ୟା ରାସ୍ତା ବାଛିଲେ ବୃଦ୍ଧା

ଜଳଭଣ୍ଡାରରେ ବୁଡି ଯାଉଥିବା ବେଳେ ଉଦ୍ଧାର କଲେ ଧୀବର, ଘରେ ନେଇ ଛାଡିଲା ପୁଲିସ୍ 

ରୋଗ ଯନ୍ତ୍ରଣା ହେଲା ଅସହ୍ୟ, ଶେଷରେ ଆତ୍ମହତ୍ୟା ରାସ୍ତା ବାଛିଲେ ବୃଦ୍ଧା

ଭଞ୍ଜନଗର: ରୋଗ ଯନ୍ତ୍ରଣା ହେଲା ଅସହ୍ୟ। ବହୁ ଚିକିତ୍ସା ପରେ ବି ରୋଗରୁ ଉପଶମ ମିଳିଲା ନାହିଁ। ଦିନକୁ ଦିନ ଶରୀର ଦୁର୍ବଳ ହେବା ସହ ପରିବାର ପାଇଁ ନିଜକୁ ବୋଝ ବୋଲି ଅନୁଭବ କରି ଶେଷରେ ଆତ୍ମହତ୍ୟା ଭଳି କୁଚ୍ଛିତ ରାସ୍ତା ବାଛିଲେ ବୃଦ୍ଧା। କିନ୍ତୁ ସୌଭାଗ୍ୟ ବଶତଃ ଜଳଭଣ୍ଡାର ଭିତରେ ପଶି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଦେବଦୂତ ସାଜି ବୃଦ୍ଧାଙ୍କୁ ପାଣିରୁ ଉଦ୍ଧାର କଲେ ଧୀବର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ରସଲକୋଣ୍ଡା ଜଳଭଣ୍ଡାରରେ। ବୃଦ୍ଧା ଜଣଙ୍କ ହେଲେ ଆସିକା ଥାନା କାଳୀ ମନ୍ଦିର ସାହିର ଶୈଳବାଳା ନାୟକ। ତାଙ୍କ ସ୍ଥାନୀୟ ଧୀବର ଗରୀବ ନାୟକ ଉଦ୍ଧାର କରିଥିବା ବେଳେ ପୁଲିସ ବୃଦ୍ଧା ଜଣଙ୍କୁ ଡାକ୍ତରଖାନାରେ ସ୍ବାସ୍ଥ ପରୀକ୍ଷା କରିବା ପରେ ଆସିକା ନେଇ ପୁଅ ମୁନା ନାୟକ ଠାରେ ଛାଡି ଆସିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

publive-image

ସୂଚନା ଅନୁଯାୟୀ, ଶୈଳ ଆସିକା କାଳୀ ମନ୍ଦିର ସାହିରେ ନିଜର ଏକମାତ୍ର ପୁଅ ନିକଟରେ ରହୁଥିଲେ। ବର୍ତ୍ତମାନ ତାଙ୍କୁ ବସୟ ପ୍ରାୟ ୭୦ ହୋଇଥିବା ବେଳେ ଦୀର୍ଘବର୍ଷ ହେବ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଗତ କିଛି ବର୍ଷ ତଳେ ଚର୍ମ ରୋଗରେ ସେ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଚେଷ୍ଟା ପରେ ମଧ୍ୟ ସେହି ରୋଗ ତାଙ୍କର ଭଲ ହୋଇନଥିଲା। ଦିନକୁ ଦିନ ଯନ୍ତ୍ରଣା ବଢି ଚାଲୁଥିବା ବେଳେ ଏକାକୀ ରୋଜଗାର ପୁଅ ଉପରେ ସେ ବୋଝ ବୋଲି ନିଜକୁ ଭାବୁଥିଲେ। ଶେଷରେ ମାନସିକ ଅବସାଦରେ ଆତ୍ମହତ୍ୟାର କରିବା ନେଇ ଚିନ୍ତା କରି ସକାଳୁ ଚାଲି ଚାଲି ଭଞ୍ଜନଗର ଅଭିମୁଖେ ଆସିଥିଲେ। ମଧ୍ୟାହ୍ନରେ ସେ ଭଞ୍ଜନଗରରେ ପହଞ୍ଚିବା ପରେ ଜଳଭଣ୍ଡାରକୁ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଯାଇଥିଲେ। ସେଠାରେ ମାଛ ଧରିବାକୁ ଆସିଥିବା ସ୍ଥାନୀୟ ଧୀବର ଗରୀବ ନାୟକ ଜଣେ ବୃଦ୍ଧା ପାଣିରେ ବୁଡ଼ି ଯାଉଥିବା ଦେଖି ଦୌଡି ଯାଇ ଶୈଳଙ୍କୁ ଉଦ୍ଧାର କରିଥିଲେ।

ଏହାପରେ ପୁଲିସ୍‌କୁ ଖବର ଦେଇଥିବା ବେଳେ କିଛି ସ୍ଥାନୀୟ ବ୍ୟକ୍ତି ଖାଇବାକୁ ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶୈଳଙ୍କୁ ମେଡିକାଲ୍ ନେଇ ସ୍ବାସ୍ଥ ପରୀକ୍ଷା କରିଥିଲେ। ଏହାପରେ ଆସିକାରେ ନେଇ ତାଙ୍କ ଘରେ ଛାଡିଥିଲେ। ଗରୀବଙ୍କ ଏକାକୀ ବୃଦ୍ଧା ଜଣଙ୍କୁ ପାଣିରୁ ଉଦ୍ଧାର କରିଥିବାରୁ ବିଭିନ୍ନ ମହଲରୁ ତାଙ୍କ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe