ଝୁମ୍ପୁଡିରେ ଅସହାୟ ବୃଦ୍ଧା

ଝୁମ୍ପୁଡିରେ ଅସହାୟ ବୃଦ୍ଧା

ଝରିଗାଁ:ଆଖି ଦେଖା ଯାଉନଥିବା ବେଳେ ଚଳାବୁଲା କରିବା ପାଇଁ ଆଶା ବାଡ଼ି ଭରଷା। ନିଜର ବୋଲି କେହି ନଥିବା ବେଳେ ନିଜସ୍ୱ ବୋଲି ମଧ୍ୟ କିଛି ନାହିଁ। ଦୀର୍ଘ ବର୍ଷ ତଳେ ଗ୍ରାମବାସୀ ସହାୟତାରେ ନିର୍ମାଣ ହୋଇଥିବା ଝୁମ୍ପୁଡିରେ ବିପଦ ଶଙ୍କୁଳ ଅବସ୍ଥାରେ ରହୁଛନ୍ତି ଜଣେ ବୃଦ୍ଧା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବଡ଼ଟେମେରା ପଞ୍ଚାୟତ ସଦର ମହକୁମା ଠାରେ ଏହି ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ପ୍ରକାରେ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଦୀର୍ଘ ଆଠ ବର୍ଷ ଧରି ରହି ଆସୁଛନ୍ତି ଜୟମତୀ ଗୌଡ଼।ବୟସ ପ୍ରାୟ ୭୦ ବର୍ଷ।ଆଖିକୁ ସଠିକ ଦେଖା ଯାଉନଥିବା ବେଳେ କୌଣସି କାରଣରୁ ତଳେ ପଡି ଯିବା ପରେ ବହୁ କଷ୍ଟରେ ଆଶା ବାଡ଼ି ସାହାଯ୍ୟରେ ଚଳାବୁଲା କରୁଛନ୍ତି।ବଳ ଓ ବୟସ ନଥବା ଯୋଗୁଁ ନିଜ କାମ ନିଜେ କରିବା ମଧ୍ୟ କଷ୍ଟ ହେଉଛି।ନିଜର ବୋଲି କେହି ନଥିବା ବେଳେ ନିଜସ୍ୱ ବୋଲି ମଧ୍ୟ କିଛି ନାହିଁ।ଫଳରେ ଗ୍ରାମରେ ଯିଏ ଯାହା ହାତ ଟେକି ଦେଲା ତାହା ସଂଗ୍ରହ କରି ଦୁଇ ଓଲି ଖାଉଛନ୍ତି।ଯେଉଁ ଦିନ କୌଣସି କାରଣରୁ ଗାଁରେ ଭିକ ମାଗିବା ପାଇଁ ଯାଇ ପାରନ୍ତି ନାହିଁ ସେହି ଦିନ ମାଣ୍ଡିଆରେ ତିଆରି ପେଜ ଭରସା ବୋଲି କହିଛନ୍ତି।

ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ସଠିକ ସମୟରେ ଭତ୍ତା ଟଙ୍କା ପାଉନଥିବା ବୃଦ୍ଧା ଜଣକ ଅଭିଯୋଗ କରିଛନ୍ତି।ପଞ୍ଚାୟତକୁ ବହୁ ବାର ଯିବା ପରେ ମଧ୍ୟ କୌଣସି ସୁଫଳ ନମିଳିବା ଅଭିଯୋଗ କରିଛନ୍ତି। ସେହିପରି ଆଜିକୁ ଆଠ ବର୍ଷ ତଳେ ଗ୍ରାମବାସୀଙ୍କ ସହାୟତରରେ ଏକ ଛୋଟିଆ ଝୁମ୍ପୁଡି ଘର ନିର୍ମାଣ କରିଥିଲେ।ଘର ଉପରେ ପଲିଥିନ ଦେଇ ରହୁଛନ୍ତି।ପଲିଥିନ ପବନରେ ଉଡି ଯିବା ଭୟରେ ପଲିଥିନ ଉପରେ କାଠ ପକାଇ ରଖୁଛନ୍ତି।ଗୋଟିଏ ବଖରା ବିଶିଷ୍ଟ ଛୋଟିଆ ଘରେ ବୃଦ୍ଧା ଜଣକ ରୋଷେଇ କରିବା ସହ ସେହି ଘରେ ହିଁ ଶୋଆ ବସା କରୁଛନ୍ତି।ବର୍ଷା ପାଣିରେ କାନ୍ଥ ଗୁଡିକ ନଷ୍ଟ ହେବା ସହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି।ତେଣୁ ପ୍ରଶାସନ ପକ୍ଷରୁ ଅସହାୟ ବୃଦ୍ଧାଙ୍କୁ ତୁରନ୍ତ ସମସ୍ତ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe