DNA India
ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନାର ଆଡେନିଗଡ଼ ଫାଣ୍ଡି ଅନ୍ତର୍ଗତ ନୂଆଗାଁ (କଖାରୁଫାଳ) ଗ୍ରାମର କୋଲ୍ହସାହିରେ ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ମଦ୍ୟପ ହାତରେ ଜଣେ ନିରୀହ ବୃଦ୍ଧାଙ୍କ ଜୀବନ ଚାଲିଯିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ମତେ କଖାରୁଫାଳ ଗ୍ରାମର ତିଲ ଦେହୁରୀ ଆଜି ଅପରାହ୍ନ ସାଢେ ୪ଟା ବେଳେ ମଦ୍ୟପାନ କରି ଘରକୁ ଫେରିବା ପରେ ନିଜ ସ୍ତ୍ରୀ ସହିତ ପାଟିତୁଣ୍ଡ ହୋଇ ମାଡ଼ପିଟ କରିଥିଲା।
ଏହାଦେଖି ପଡୋଶୀ ଘର ବାବୁଲା ସାହୁ ଙ୍କ ସ୍ତ୍ରୀ ଚଂଚଳା ସାହୁ ନାମ୍ମୀ ଜଣେ ବୃଦ୍ଧା ସେମାନଙ୍କୁ ବୁଝାଶୁଝା କରୁଥିଲେ। ନିଶାସକ୍ତ ଅବସ୍ଥାରେ ତିଲ ହଠାତ ଏକ ଖଟ ପୁଆ ସାହାଯ୍ୟରେ ତାର ପତ୍ନୀକୁ ଆକ୍ରମଣ କରୁଥିବା ସମୟରେ ତାହା ଚଞ୍ଚଳାଙ୍କ ମୁଣ୍ଡରେ ବାଜିବାରୁ ସେ ସେଠାରେ ଟଳି ପଡି ମୃତ୍ୟୁବରଣ କରିଥିଲେ। ଏକଥା ଜାଣିବା ପରେ ତିଲ ସେଠାରୁ ଜଙ୍ଗଲ ଆଡକୁ ପଳାଇଥିଲା। ସୂଚନା ପାଇ ଆଡେନିଗଡ଼ ଫାଣ୍ଡି ଓ ପୁରୁଣାକଟକ ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିଥିବା ଜଣାଯାଇଛି।
ତେବେ ରାତି ହେବାପରେ ତିଲ ଜଙ୍ଗଲରୁ ଆସି ୫୭ନଂ ଜାତୀୟ ରାଜପଥ ଦେଇ ଆସୁଥିବା ବେଳେ ଫାଣ୍ଡି ପୁଲିସ ତାକୁ କାବୁକରି ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡିଛି। ଗତକାଲି ସକାଳେ ମୃତ ବୃଦ୍ଧଙ୍କ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଯିବ ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି। ଏ କଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି।
Follow Us