ଧର୍ମଶାଳା : ଉଦ୍ଘାଟନର ୮ ଦିନରେ ପିଚୁରାସ୍ତା ଦିଫାଳ। ଧର୍ମଶାଳା-କବାଟବନ୍ଧ ରାସ୍ତାର ଇମାମନଗର ଗାଁ ନିକଟରେ ଗତମାସ ୧୮ ତାରିଖରେ ଉଦ୍ଘାଟିତ ହୋଇଥିବା କୁଆଁରିଆ ସେତୁର ସଂଯୋଗ ରାସ୍ତାଟି ଗତ ୨୬ ତାରିଖରେ ଫାଟି ଯାଇଥିଲା। ଏନେଇ ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ପରେ ଆଜି ସକାଳେ ଠିକାଦାର ଉକ୍ତ ଫାଟରେ ବାଲି ଭର୍ତ୍ତି କରି ଦେଇଥିଲେ। ଏହା ଜଣାପଡ଼ିବା ପରେ ଫାଟରେ ବାଲି ଭର୍ତ୍ତି ହୋଇଥିବା ଫଟୋ ପୁଣି ଭାଇରାଲ ହୋଇଥିଲା। ସଂଧ୍ୟାରେ ଠିକାଦାର ସିମେଣ୍ଟ କଂକ୍ରିଟ୍ ଦେଇ ଫାଟ ବୁଜି ଦେଇଥିବା ଦେଖିବାକୁ ମିଳିଛି।
ଏଭଳି ଅଭିନବ ଠକେଇ ଘଟଣାକୁ ନେଇ ଆଜି ଧର୍ମଶାଳା ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ, ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତ ଇମାମନଗର ଗାଁ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ୩କୋଟି ୮୦ଲକ୍ଷ ୨୩ ହଜାର ଟଙ୍କା ବ୍ୟୟରେ କୁଆଁରିଆ ସେତୁ ଓ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇଥିଲା। ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ପୂର୍ତ୍ତ ବିଭାଗର ଉପନିବାର୍ହୀ ଯନ୍ତ୍ରୀ ନରୋତ୍ତମ ଦାସ ଓ ସହକାରୀ ଯନ୍ତ୍ରୀ ନରେନ୍ କୁମାର ଜେନାଙ୍କ ସମେତ ବହୁ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ। ଏଠାରେ ବ୍ରିଟିଶ୍ ଅମଳରୁ ଥିବା ପୁରୁଣା ପୋଲଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ବନ୍ୟା ସମୟରେ ଏଥିରେ ବନ୍ୟାଜଳ ନିଷ୍କାସନ ହୋଇପାରୁ ନଥିଲା। ଅଂଚଳବାସୀଙ୍କ ବାରମ୍ବାର ଦାବିପରେ ପୂର୍ତ୍ତ ବିଭାଗ ପକ୍ଷରୁ ୭ବର୍ଷ ପୂର୍ବେ କୁଆଁରିଆ ସେତୁ ଓ ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ଟେଣ୍ତର ଡକାଯାଇ ମା’ ବାସୁଳାଇ କନଷ୍ଟ୍ରକସନ୍କୁ ୨କୋଟି ୯୦ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା।
ହେଲେ ଉକ୍ତ ଠିକାସଂସ୍ଥା କାମ ଅଧାପନ୍ତରିଆ କରି ଛାଡ଼ି ଚାଲିଯାଇଥିଲା। ୨ବର୍ଷ ପୂର୍ବେ ପୁନର୍ବାର ଟେଣ୍ତର ଡକାଯାଇ ଠିକାଦାର ଆଶିଷ କୁମାର ସାମଲଙ୍କୁ ୩କୋଟି ୮୦ଲକ୍ଷ ୨୩ ହଜାର ଟଙ୍କାରେ କାର୍ଯ୍ୟାଦେଶ ଦିଆଯାଇଥିଲା। ତେବେ ଦୁଇଟି ପର୍ଯ୍ୟାୟରେ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ସତ୍ତ୍ବେ ରାସ୍ତା ଫାଟିଯିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ନିମ୍ନମାନର କାମ ପାଇଁ ପୂର୍ତ୍ତ ବିଭାଗ ଧର୍ମଶାଳା ଅଂଚଳରେ ବାରମ୍ବାର ନିନ୍ଦିତ ହେଉଥିଲେ ମଧ୍ୟ ସୁଧୁରିବା ନାଁ ଧରୁନି। ସେହିପରି ନାକପୋଲ ଲକ୍ଛକ ନିକଟ ହାଇଲେଭଲ୍ କେନାଲ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇବର୍ଷ ପୂର୍ବେ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ ସହିତ ରାସ୍ତାର ସୁଦୃଢ଼ୀକରଣ କରାଯାଇଥିଲା। ତେବେ ଉକ୍ତ ପ୍ରକଳ୍ପ ନିର୍ମାଣକୁ ବର୍ଷେ ହୋଇନଥିବା ବେଳେ ଏହାର ୱାରିଂ କୋର୍ଟର କଂକ୍ରିଟ୍ ଭାଙ୍ଗିଯିବା ସହିତ ଲୁହାଛଡ଼ ପଦାକୁ ବାହାରିଛି। ଯାହାକି ଭବିଷ୍ୟତରେ ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
Follow Us