୩.୯ କେଜି ଅଫିମ ଓ ୪୦ହଜାର ଟଙ୍କା ଜବତ, ସ୍କୁଟି ସହ ଅଭିଯୁକ୍ତ ଗିରଫ

Advertisment
୩.୯ କେଜି ଅଫିମ ଓ ୪୦ହଜାର ଟଙ୍କା ଜବତ, ସ୍କୁଟି ସହ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଏକ ବଡ଼ ଧରଣର ନିଶା କାରବାର ପର୍ଦ୍ଦାଫାସ୍‌ କରିଛି। ଏ ସଂକ୍ରାନ୍ତରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୩କେଜି ୯ଶହ ଗ୍ରାମ ଅଫିମ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହରିଡ଼ାଖଣ୍ଡି ଲକ୍ଷ୍ମୀବିହାରର ହାଡ଼ୁବନ୍ଧୁ ସାହୁ(୫୮) ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଜବତ ଅଫିମର ମୂଲ୍ୟ ପ୍ରାୟ ୩ଲକ୍ଷ ୯୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ବ୍ରହ୍ମପୁର ଅବକାରୀ ଡେପୁଟି କମିସନର୍‌ଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ବଡ଼ ଡାକ୍ତରଖାନା ଖେଳ ପଡ଼ିଆ ରାସ୍ତାରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ସ୍କୁଟିରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖାଯାଇଥିଲା। ଯାଞ୍ଚ ପରେ ତାଙ୍କ ନିକଟରୁ ଅଫିମ ଜବତ ହୋଇଥିଲା। ପଚରାଉଚରା ପରେ ବ୍ୟକ୍ତି ଜଣକ ନିଜର ନାମ ହାଡ଼ୁବନ୍ଧୁ ବୋଲି କହିଥିଲେ। ଅଧିକ ଯାଞ୍ଚ ପରେ ହାଡ଼ୁଙ୍କ ନିକଟରୁ ୪୦ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା। ଯାହାକି ଅଫିମ ବିକ୍ରି ଟଙ୍କା ବୋଲି ଅବକାରୀ ବିଭାଗ କହିଛି।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ହାଡ଼ୁବନ୍ଧୁଙ୍କୁ ଗିରଫ କରି ସମସ୍ତ ଅଫିମ ଜବତ କରିଥିଲା। ଅଫିମଗୁଡ଼ିକ ଛୋଟ ଛୋଟ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଇଥିଲା। ହାଡ଼ୁବନ୍ଧୁ ତାହା ବିକ୍ରି କରିବା ପାଇଁ ଗ୍ରାହକଙ୍କ ନିକଟକୁ ଯାଉଥିଲେ। ଏହା ପୂର୍ବରୁ ଅବକାରୀ ବିଭାଗ ତାଙ୍କୁ ମାଡ଼ି ବସିଥିଲା। ଜଣେ ନିଶା ମାଫିଆଙ୍କ ଠାରୁ ଅଫିମ ଆଣି ହାଡ଼ୁବନ୍ଧୁ ବ୍ରହ୍ମପୁରରେ ତାହା ବିକ୍ରି କରୁଥିଲେ ବୋଲି ତଦନ୍ତରେ ଜଣାପଡ଼ିଛି। ଚଢ଼ଉରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍ଆଇ ବିଶ୍ବଜିତ ଦାଶ, ଏଏସ୍‌ଆଇ ବ୍ରଜ ବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ। ନୂଆ ବସ୍‌ଷ୍ଟାଣ୍ଡ୍‌ରୁ ବଡ଼ ଡାକ୍ତରଖାନା ଦ୍ବିତୀୟ ଗେଟ୍‌ ଦେଇ ନିଶା ସାମଗ୍ରୀ ଚାଲାଣ ବେଳେ ପୂର୍ବରୁ ମଧ୍ୟ ଅବକାରୀ ବିଭାଗ ହାତରେ ଧରାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe