ଦେବଗଡ଼: ବେଆଇନ ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ଦେବଗଡ଼ ପୁଲିସର ସ୍ପେଶାଲ ସ୍କ୍ଵାର୍ଡ ହାତରେ ଧରା ପଡିଛି ଜଣେ ବେପାରୀ। ଅଭିଯୁକ୍ତର ନାମ ସୁନୀଲ ପୋଢ଼ (୨୬)। ପୁଲିସ ତାନିକଟରୁ ଦୁଇଟି ହାତୀ ଦାନ୍ତ ମଧ୍ୟ ଜବତ କରିଥିବା ନେଇ ଦେବଗଡ଼ ଏସ.ପି ରାଜ କିଶୋର ପାଇକରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଦେବଗଡ଼ ଥାନା ଅନ୍ତର୍ଗତ ପ୍ରଭାସୁଣୀ ଗ୍ରାମକୁ ହାତୀ ଦାନ୍ତ ବିକ୍ରିପାଇଁ ଆସିଥିବା ଖବର ପାଇ ଜିଲ୍ଲା ପୁଲିସର ସ୍ୱୱତନ୍ତ୍ର ସ୍କ୍ଵାର୍ଡ ଗ୍ରାହକ ହୋଇ ସେଠାରେ ପହଞ୍ଚି ଥିଲା। ସବ ଇନିସ୍ପେକ୍ଟର ବୁଧରାୟ ମାଝୀ ଗ୍ରାହକ ବେଶରେ ପହଞ୍ଚି ପନ୍ଦର ଲକ୍ଷ ଟଙ୍କାରେ ମୁଲଚାଲ କରିଥିଲେ। ଏହି ସମୟରେ ଜିଲ୍ଲା ସ୍କ୍ଵାର୍ଡର ମୁଖ୍ୟ ଏସ୍ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଟିମ ଚଢ଼ଉ କରିଥିଲା। ଏହି ସମୟରେ ଅଭିଯୁକ୍ତ ଫେରାର ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ କାବୁ କରିନେବା ସହ ତା ନିକଟରୁ ଦୁଇଟି ହାତୀ ଦାନ୍ତ ଜବତ କରିଥିଲା। ଅଭିଯୁକ୍ତ ବ୍ୟକ୍ତି ସମ୍ବଲପୁର ଜିଲ୍ଲା ଶାସନ ଥାନାଞ୍ଚଳ ରାଣୀଖିଣ୍ଡା ଗ୍ରାମର ବେପାରୀ ସୁନୀଲ ବୋଲି ଜଣାପଡିଛ। ହାତୀ ଦାନ୍ତର ଓଜନ ପ୍ରାୟ ଅଢେଇ କିଲେରୁ ଊର୍ଦ୍ଧ୍ୱ ହେବ। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଥିବା ନେଇ ଏସ୍ପି ସୂଚନା ଦେଇଛନ୍ତି। ଏହି ଦାନ୍ତ କେଉଁଠୁ ଆସିଛି ଏବଂ ଏଥିରେ ଆଉ କିଏ ସମ୍ପୃକ୍ତି ଅଛି ସେ ନେଇ ତଦନ୍ତ କରିବା ସହିତ ଜଙ୍ଗଲ ବିଭାଗର ମଧ୍ୟ ସହଯୋଗ ନିଆଯାଉଥିବା ନେଇ ଏସ.ପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।
Follow Us