କମ୍ପାନି ଅଧିକାରୀଙ୍କୁ ଧମକ, ବଟି ଆଦାୟ ଅଭିଯୋଗରେ ଶ୍ରମିକ ନେତା ଗିରଫ

Advertisment

ଭୂମିହରା କୃଷକ ଏକତା ମଞ୍ଚର ତୀବ୍ର ପ୍ରତିକ୍ରିୟା, ଆଜି ଘେରିବ ଅଭୟଚାନ୍ଦପୁର ଥାନା

ଭୂମିହରା କୃଷକ ଏକତା ମଞ୍ଚର ତୀବ୍ର ପ୍ରତିକ୍ରିୟା, ଆଜି ଘେରିବ ଅଭୟଚାନ୍ଦପୁର ଥାନା

କମ୍ପାନି ଅଧିକାରୀଙ୍କୁ ଧମକ, ବଟି ଆଦାୟ ଅଭିଯୋଗରେ ଶ୍ରମିକ ନେତା ଗିରଫ

Sambad

ଜଗତସିଂହପୁର: ଆଇଓସିଏଲରେ କାର୍ଯ୍ୟରତ ମ୍ୟାକନିଲ୍ କମ୍ପାନି ଅଧିକାରୀଙ୍କୁ ଧମକଚମକ ଦେଇ ବଟି ଆଦାୟ ଅଭିଯୋଗରେ ଗତକାଲି ଅଭୟଚାନ୍ଦପୁର ଥାନାରେ ଅଟକ ଥିବା ଶ୍ରମିକ ନେତା ପ୍ରକାଶ ତ୍ରିପାଠୀଙ୍କୁ କୋର୍ଟଚାଲାଣ କରାଯାଇଛି। କମ୍ପାନିର ଅଧିକାରୀ ମଳୟ ରାୟଙ୍କ ଅଭିଯୋଗକ୍ରମେ କେସ୍‌ ନଂ ୨୨/୨୨ରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ୩୪୨, ୨୯୪, ୩୪୧, ୩୨୩, ୩୮୫, ୩୮୭, ୩୪, ୧୨୦(ଖ) ଦଫାରେ ମାମଲା ରୁଜୁ କରି ପୁଲିସ୍‌ ତାଙ୍କୁ ଗିରଫ କରିଛି। ତେବେ ପ୍ରକାଶଙ୍କ ଗିରଫଦାରୀକୁ ନେଇ ଭୂମିହରା କୃଷକ ଏକତାମଞ୍ଚ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିନା କାରଣରେ ପୁଲିସ ପ୍ରକାଶଙ୍କୁ ଥାନାରେ ଅଟକ ରଖି ପରେ ଗିରଫ କରିଛି ବୋଲି ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛିଆସନ୍ତା କାଲି ମଞ୍ଚ ପକ୍ଷରୁ ପ୍ରତିବାଦ ପୂର୍ବକ ଥାନା ଘେରାଉ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ପୂର୍ବରୁ ମ୍ୟାକନିଲ୍ ଇଂଜିନିୟରିଂ ଲିମିଟେଡ୍ କମ୍ପାନିର ଭୂମିହରା ପରିବାର ସଦସ୍ୟଙ୍କୁ ଚାକିରି ଦେବା ପାଇଁ ମଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା। ଏହାକୁ ଗ୍ରହଣ କରି କମ୍ପାନିର ମହାପ୍ରବନ୍ଧକ ମଞ୍ଚର ୧୦ ଜଣଙ୍କୁ ଚାକିରି ଦେବାକୁ ମୌଖିକ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରେ କମ୍ପାନି ଏଥିପ୍ରତି ଦୃଷ୍ଟି ନ ଦେଇ ଅନ୍ୟମାନଙ୍କୁ ନିଯୁକ୍ତି ଦେଇଥିଲା।ଏହାକୁ ନେଇ ମଞ୍ଚ ଓ କମ୍ପାନି ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିଲା ଓ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରାଯାଇଥିଲା। ପରେ ଭୂମିହରାଙ୍କୁ ନିଯୁକ୍ତି ଦେବା ପାଇଁ ଥାନାରେ ମଞ୍ଚ, କମ୍ପାନି ଓ ପୁଲିସର ମଧ୍ୟସ୍ଥତାରେ ଏକ ବୁଝାମଣାପତ୍ର ଲେଖାଯାଇଥିଲା। ଏଥିରେ ଗତବର୍ଷ ‌ସେପ୍ଟେମ୍ବର ୨୪ ସୁଦ୍ଧା ମଞ୍ଚର ୧୦ ଜଣଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନି ସମ୍ମତି ପ୍ରଦାନ କରିଥିଲା।

ମାତ୍ର ଏହାକୁ ବି କମ୍ପାନି ନ ମାନିବାରୁ ଗତ ୨୪ ତାରିଖରେ ମଞ୍ଚର ସଦସ୍ୟମାନେ କମ୍ପାନି ମହାପ୍ରବନ୍ଧକଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ‌ସେ ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ଏ ନେଇ ମଞ୍ଚର ସଦସ୍ୟମାନେ ଥାନାରେ ଅଭିଯୋଗ କରିଥିଲେ। ସେପଟେ କମ୍ପାନି ଷଡ଼ଯନ୍ତ୍ର କରି ଏସ୍‌ପିଙ୍କ ନିକଟରେ ଅଭିଯୋଗରେ କରିଥିଲା ଓ ଅଭିଯୋଗ ଆଧାରରେ ପ୍ରକାଶଙ୍କୁ ଗିରଫ କରାଯାଇଛି।  ମାତ୍ର ସେଦିନ ପ୍ରକାଶ ନିଜସ୍ବ କାମରେ ବାହାରେ ଥିଲେ ଓ ମଞ୍ଚର ଉପଦେଷ୍ଟା ଭାବେ ସେ ଦୈନନ୍ଦିନ କାର୍ଯ୍ୟରେ ‌ହସ୍ତକ୍ଷେପ କରନ୍ତି ନାହିଁ। ମାତ୍ର ଏହି ମାମଲାରେ ଷଡ଼ଯନ୍ତ୍ର କରାଯାଇ ତାଙ୍କୁ ଗିରଫ କରାଯାଇଛି। ତେଣୁ ତାଙ୍କୁ କାହିଁକି ଗିରଫ କରାଯାଇଛି ପୁଲିସ ସର୍ବସାଧାରଣରେ ତାର ଉତ୍ତର ରଖୁ। ଥାନାରେ ଲିଖିତ ପ୍ରତିଶ୍ରୁତି ଦେଇ ପାଳନ କରୁନଥିବା କମ୍ପାନି ମ୍ୟାନେଜରଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ମଞ୍ଚ ପ୍ରଶ୍ନ କରିବା ସହ ଭୂମିହରା ଓ ବିସ୍ଥାପିତ ଲୋକଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ପୁଲିସ ସମ୍ବେଦନଶୀଳ ହେବା ଆବଶ୍ୟକ। ସାଧାରଣ ଲୋକଙ୍କୁ ସାମାଜିକ ନ୍ୟାୟ ଦେବାରେ ପୁଲିସ ଅଗ୍ରଣୀ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରୁ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଚୈତନ୍ୟ ଖଟୁଆ, ରବି ସାମଲ, ବୀଣାପାଣି ସାମଲ, ରମେଶ ପରିଡ଼ା, ପବନି ତରାଇ ଓ ଡଲି ସାମଲଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe