ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମହିଳା ମୃତ,୧୮ ଗୁରୁତର

Advertisment
ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମହିଳା ମୃତ,୧୮ ଗୁରୁତର

ଜଳେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ନିକଟରେ ଆଜି ଅପରାହ୍ନରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୮ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଭୀମ ହାଁସଦାଙ୍କ ଝିଅ ସାକରା ହାଁସଦା।

ସୂଚନା ଅନୁସାରେ ବସ୍ତା ଥାନା କୁଳିଦା ପଞ୍ଚାୟତର ଗରୀପୁର ଗାଁରୁ ବର ସହ ବରଯାତ୍ରୀ ଦଳ ବିବାହ ପାଇଁ ଜଳେଶ୍ୱର ଥାନା ଗୋପିମୋହନପୁର ପଞ୍ଚାୟତର ବାସୁଳିଆ ଗାଁକୁ ୮ ଟି ଭିନ୍ନ ଭିନ୍ନ ଗାଡ଼ିରେ ଯାଉଥିଲେ। ତେବେ ସେଥିମଧ୍ୟରୁ ଏକ ଟାଟାଏସି (ଓଡି ୦୧ଜେ-୨୯୧୨)ରେ ଚାଳକକୁ ମିଶାଇ ୨୦ ଜଣ ଯାତ୍ରୀ ଥିଲେ। ଏହି ଗାଡ଼ିଟି ଆମ୍ବଳିଅଠା ପୋଲ ନିକଟକୁ ରାସ୍ତା ଭୁଲି ଚାଲିଆସିଥିବା ବେଳେ ସ୍ଲିପ ରୋଡ଼ ଦେଇ ପୁଣି ରାଜପଥକୁ ଉଠୁଥିଲା। ଏହି ସମୟରେ ଲକ୍ଷ୍ମଣନାଥ ଦିଗରୁ ଆସୁଥିବା ଏକ ଟ୍ରକ (ଜିଏ ୦୩ ଡବ୍ଲ୍ୟୁ-୩୮୮୮) ଟାଟାଏସିିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଗାଡିଟି ପ୍ରାୟ ୨୫ ଫୁଟ ଆଗକୁ ଘୋଷାରି ହୋଇ ଯିବା ସହ ଓଲଟି ପଡିଥିଲା।

ଦୁର୍ଘଟଣାରେ ଗୁରୁତର ହୋଇଥିବା ୧୮ ଜଣଙ୍କୁ ଏନଏଚ ଆମ୍ବୁଲାନ୍‌ସ, ୧୦୮ ଓ ଜଳେଶ୍ୱର ପୁଲିସ ଗାଡ଼ିରେ ଏକ ଘରୋଇ ଡାକ୍ତରଖାନାକୁ ଅଣା ଯାଇଥିଲା। ସେମାନଙ୍କ ମଧ୍ୟରୁ ସାକରା ହାଁସଦା, ରୁପା ହାଁସଦା, ଟୁନା ମୁର୍ମୁ, ରମେଶ ଟୁଡୁ, ବୁଧୁ ହାଁସଦା ଓ ଆଶୁ ଟୁଡୁଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସାକରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟାଟାଏସିର ଚାଳକ ସୁସ୍ଥ ଥିବାବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକର ଚାଳକ ଓ ହେଲପର ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe