ନୂଆବର୍ଷରେ ହତ୍ୟା: ଭୋଜି କରୁଥିବା ସ୍ଥାନରୁ ଡାକିନେଇ ଯୁବକଙ୍କୁ ହତ୍ୟା, ଜଣେ ଗିରଫ, ୨ ଅଟକ

Advertisment
ନୂଆବର୍ଷରେ ହତ୍ୟା: ଭୋଜି କରୁଥିବା ସ୍ଥାନରୁ ଡାକିନେଇ ଯୁବକଙ୍କୁ ହତ୍ୟା, ଜଣେ ଗିରଫ, ୨ ଅଟକ

Daily Express

ଭଦ୍ରକ: ନୂଆବର୍ଷ ପାଇଁ ମଙ୍ଗଳବାର ରାତି ଭୋଜି ଚାଲିଥିବା ବେଳେ ସେଠାରୁ ଜଣେ ଯୁବକଙ୍କୁ ଡାକି ନେଇ ହତ୍ୟା କରାଯାଇଥିବା ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପୁଲିସ ଏହି ହତ୍ୟାକାଣ୍ଡ ଘଟଣାରେ ଜଡ଼ିତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଲଙ୍ଗା ଗାଁର ପ୍ରଶାନ୍ତ ବୋଲି ଜଣାପଡ଼ିଛି। ସେହିପରି ହତ୍ୟାକାଣ୍ଡ ଘଟଣା ସହିତ ସଂପୃକ୍ତି ରଖିଥିବା ଗାଁର ଅନ୍ୟ ୨ ଜଣ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଏହି ଘଟଣା ସହ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି, ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି।

ସୂଚନା ଅନୁସାରେ, ଜଳଙ୍ଗା ଗାଁର ସତ୍ୟବ୍ରତ ଶିଅଳ (୨୩) ନିଜ ଗାଁର ଅନ୍ୟ ଯୁବକଙ୍କ ସହିତ ନୂଆବର୍ଷର ପୂର୍ବ ସନ୍ଧ୍ୟା(ମଙ୍ଗଳବାର, ୨୦୧୯ ଡିସେମ୍ବର ୩୧)ରେ ନିଜ ଗାଁର ଜନୈକ ଯୁବକ ପ୍ରଶାନ୍ତ ବେହେରା ଓ ଅନ୍ୟ କିଛି ଯୁବକଙ୍କ ସହିତ ଭୋଜି କରିବାକୁ ଯାଇଥିଲେ। ଏହି ଯୁବଗୋଷ୍ଠୀ ଗାଁ ନିକଟରେ ଥିବା ଏକ ସ୍ଥାନରେ ଭୋଜି କରିଥିଲେ। ସତ୍ୟବ୍ରତକୁ ଭୋଜିସ୍ଥଳରୁ କୌଣସି କାମର ବାହାନା ଦେଖାଇ ପ୍ରଶାନ୍ତ ଓ ଅନ୍ୟ ୨ ଜଣ ଯୁବକ ଡାକି ନେଇଥିଲେ। ସେମାନେ ଆଉ ଭୋଜିସ୍ଥଳକୁ ଫେରି ନ ଥିଲେ।

ଭୋଜି ଖାଇ ସାରିବା ବେଳକୁ ବିଳମ୍ବିତ ରାତି ହୋଇ ଯାଇଥିଲା। କିନ୍ତୁ ବିଳମ୍ବିତ ରାତି ପରେ ବି ସତ୍ୟବ୍ରତ ଶିଅଳଙ୍କ ସମେତ ପ୍ରଶାନ୍ତ ନ ଫେରିବାରୁ ଗାଁର ଅନ୍ୟପିଲାମାନେ ବହୁ ଖୋଜାଖୋଜି କରିଥିଲେ। ପରେ ନିକଟସ୍ଥ ଏକ ପଡିଆରୁ ସତ୍ୟବ୍ରତଙ୍କ ମୃତଦେହ ମିଳିଥିଲା। ମୃତଦେହର ବେକରେ ଏକ ଚିହ୍ନ ଥିବା ଦେଖିବା ପାଇଁ ମିଳିଛି। ତେବେ ପ୍ରଶାନ୍ତ ବେହେରା ତାଙ୍କୁ ଡାକିନେଇଥିବା ବେଳେ ସେହି ଗାଁର ଅନ୍ୟ ଦୁଇଜଣ ଯୁବକ ହତ୍ୟାରେ ସମ୍ପୃକ୍ତି ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ସତ୍ୟବ୍ରତଙ୍କ ଦାଦା।

ପୁଲିସ ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ। ତେବେ ସତ୍ୟବ୍ରତକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୁଲିିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe