image source-new indian express
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ଯୋକା ଯୋଡ଼ାଜାମ ଗ୍ରାମର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ରୋହୀଦାସ ସିଂ(୫୦) ୧୨ ବର୍ଷରୁ ଅଧିକ ଦିନ ଧରି ବାରିପଦା ସହରର ନକୁଳ ଦାସ ନାମକ ଜଣେ ଠିକାଦାରଙ୍କ ନିକଟରେ କାର୍ଯ୍ୟ କରିଆସୁଥିବା ବେଳେ ଗତ ଅଗଷ୍ଟ ୨୪ରେ ଠିକାଦାର ନକୁଳ ୱାର୍ଡ଼ ନମ୍ବର ୨୫ ଛାଞ୍ଚ ରଞ୍ଜିତ ସାହୁଙ୍କ ଘରର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଇଥିଲେ । ତେବେ ରଞ୍ଜିତ ସାହୁଙ୍କ ଘର ଛାତ ଉପର ଦେଇ ୧୧ କେଭି ବିଦ୍ୟୁତ୍ ତାର ଯାଇଥିବା କାରଣରୁ ରୋହୀଦାସ ସିଂ କାର୍ଯ୍ୟ କରିବାକୁ ମନା କରିଦେଇଥିଲେ । ମାତ୍ର କାର୍ଯ୍ୟ ନ କଲେ ବକେୟା ପାଉଣ ମିଳିବ ନାହିଁ ଓ କାର୍ଯ୍ୟରୁ ବାହାର କରିଦେବାର ଧମକ ଦେଇଥିଲେ ଠିକାଦାର ନକୁଳ । ଫଳରେ ରୋଜଗାର ହରାଇବା ସାଙ୍ଗକୁ ବକେୟା ପାଉଣା ହରାଇବା ଭୟରେ ରୋହୀଦାସ ରଞ୍ଜିତ ସାହୁଙ୍କ ଘରର ଛାତ ଉପରେ ଅନ୍ୟ କେତେକ ଶ୍ରମିକମାନଙ୍କ ସହ ମିଶି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ ଏବଂ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛିଟିକି ପଡ଼ିଥିଲେ ।
ଏହି ସମୟରେ ନିକଟରେ କାର୍ଯ୍ୟ କରୁଥିବା ଅନ୍ୟ ଶ୍ରମିକମାନେ ରୋହୀ ଦାସଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଅପରାହ୍ନ ୨.୨୪ରେ ଭର୍ତ୍ତି କରାଇଥିଲେ ଏବଂ ୨.୩୦ରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁର ପ୍ରାୟ ୩୦ ମିନିଟ ପରେ ରୋହୀଦାସଙ୍କ ପୁତୁରା ରାଜେନ୍ଦ୍ର ସିଂଙ୍କ ମୋବାଇଲକୁ ସୂଚନା ଦିଆଯାଇଥିଲା । ରୋହୀଦାସଙ୍କ ପୁତୁରା ରାଜେନ୍ଦ୍ର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ତଳେ କାର୍ଯ୍ୟ ନିମନ୍ତେ ଶ୍ରମିକ ନିୟୋଜନ କରାଇବା ଆଇନର ବିରୁଦ୍ଧା ଚରଣ ଅଟେ । ଏଥିସହିତ ଶ୍ରମିକ ବିପଦ ଶଙ୍କୁଳ ସ୍ଥାନରେ କାର୍ଯ୍ୟ ନ କରିବାକୁ ମନା କରିବା ପରେ ଠିକାର ଧମକ ଦେଇ ଅନିଚ୍ଛା ସତ୍ତ୍ବେ କାର୍ଯ୍ୟ କରିବାକୁ ବାଧ୍ୟ କରାଇବା ମଧ୍ୟ ଏକ ଅପରାଧ ବୋଲି ଦର୍ଶାଇ ଆଜି ପୁତୁରା ରାଜେନ୍ଦ୍ର ସିଂ ଠିକାଦାର ନକୁଳ ଦାସ ଓ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଗୃହକର୍ତ୍ତା ରଞ୍ଜିତ ସାହୁଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ କ୍ଷତିପୂରଣ ଦାବି କରି ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ପୁଲିସ ପକ୍ଷରୁ ଆଇପିସି ଧାରା ୩୦୪(ଏ), ୩୪ ଅନୁସାରେ ମାମଲା ରୁଜୁ କରାଯାଇଥିବା ବାରିପଦା ଟାଉନ୍ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।
Follow Us