କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଭଞ୍ଜପାଲି ଗ୍ରାମଠାରେ ଗତକାଲି ସନ୍ଧ୍ୟା ୭ଘଟିକା ସମୟରେ ଉକ୍ତ ଗ୍ରାମର ରିଙ୍କୁ ଦେହୁରୀ (୨୩)ଙ୍କୁ ଏକ ଟ୍ରକ( ଓଡି ୨୩ - ୩୭୦୨) ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ ।
ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ କହି ଗ୍ରାମବାସୀ ମାନେ ଉତ୍ତେଜିତ ହୋଇ ରାଜରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ କ୍ଷତିପୂରଣ ଦାବୀ କରିଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଇବା ପାଇଁ କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁଙ୍କ ସମେତ କୋଇଡା ତହସିଲଦାର ଡିଏସ୍ ଶୁଭଦର୍ଶୀ ଜୋଷୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ଲୋକଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ । ଫଳରେ ରାତି ତମାମ ରାସ୍ତା ଅବରୋଧ ହେବା ସହ ରାତି ତମାମ ଶବ ପଡି ରହିଥିଲା ।
ଆଜି ସକାଳୁ ପୁଣି ବଣାଇଁ ଅତିରିକ୍ତ ଆରକ୍ଷୀ ମୁଜିବୁର ରେହେମାନ ସହ ଲହୁଣୀପଡା ଥାନା ଅଧିକାରୀ ସନ୍ତୋଷ ଜେନା, କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ, କାଲଟା ଫାଣ୍ଡି ଅଧିକାରୀ ଗୟାଧର ବାରିକ, ଟେନସା ଫାଣ୍ଡି ଅଧିକାରୀ ଅଶୋକ ବେହେରା ସମେତ ତହସିଲଦାର ତଥା ମାଜିଷ୍ଟ୍ରେଟ ଶୁଭଦର୍ଶୀ ଜୋଷୀ , କୋଇଡା ବିଡିଓ ପଲ୍ଲଭି ରାଣୀ ରାଜ, ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ପୁର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, ସମାଜସେବୀ କୁଶ ଆପଟ ଘଟଣାସ୍ଥଳରେ ପହଞ୍ଚି ପରିବାରବର୍ଗ ଓ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ପରେ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ବାବଦକୁ ରେଡ କ୍ରସ୍ ପାଣ୍ଠି ରୁ ଦଶ ହଜାର ,ଦୁର୍ଘଟଣା ଘଟେଇଥିବା ଟ୍ରକ୍ ର ମାଲିକ ଲକ୍ଷେ ଟଙ୍କା, ଡି.ଏମ.ଏଫ ତରଫରୁ ଲକ୍ଷେ ଟଙ୍କା, ସୁଧକ୍ରିୟା ନିମନ୍ତେ ସମାଜସେବୀ କୁଶ ଆପଟଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କା, କୋଇଡା ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ ପକ୍ଷରୁ ପଚାଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ରିଙ୍କୁ କାର୍ଯ୍ୟରତ ଥିବା ଜିତୁ ପଟ୍ଟନାୟକ ଖଣି ପକ୍ଷରୁ ଭଉଣୀ ର ପାଠପଢା ଖର୍ଚ୍ଚ ବାବଦରେ ଆର୍ଥିକ ସହାୟତା ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘ ୧୫ ଘଣ୍ଟାର କସରତ ପରେ ପ୍ରଶାସନ ଶବ ଓ ଟ୍ରକ ଜବତ୍ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ । ଅନ୍ୟ ପଟେ ଏକ ମାତ୍ର ରୋଜଗାରିଆ ପୁଅ କୁ ହରାଇ ବିଧବା ମାଆ ଆଖି ରୁ ଲୁହ ସରୁନଥାଏ । ସମଗ୍ର ଭଞ୍ଜପାଲି ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା ।
Follow Us