Bangalore Mirror
ନୂଆପଡା: ଆଜି ନୂଆଁଖାଇରେ ଖଡ଼ିଆଳ ବ୍ଲକ ସୁନାରୀସିକୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଖଡ଼ିଆଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ମିଳିଥିବା ସୂଚନା ମୁତାବକ ସୁନାରୀସିକୁଆଁ ଗ୍ରାମର ଅଭିମନ୍ୟୁ ବୈଠାରୁ ନାମକ ବ୍ୟକ୍ତିଙ୍କର ତାଙ୍କ ପଡ଼ୋଶୀଙ୍କ ସହ କିଛି ଦିନ ତଳେ ବଚସା ହୋଇଥିଲା।
ଧୀରେ ଧୀରେ ଏହି ବଚସା ଉଗ୍ର ରୂପ ନେଇଥିଲା। ଆଉ ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଏକାଧିକ ଲୋକ ଅଭିମନ୍ୟୁ ବୈଠାରୁ ନାମକ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି | ହତ୍ୟାକାଣ୍ଡ ବାବଦରେ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନ, ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସେହିପରି ଏହି ଘଟଣାରେ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି | ତାଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ତେବେ ଗାଁରେ ଉତ୍ତେଜନା ଲାଗିରହିଥିବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି |
Follow Us