ଖୋର୍ଦ୍ଧା: ପଥର ଓ ମୋରମ ମାଫିଆଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ମୁକ୍ତ ଜଙ୍ଗଲ ପ୍ରାୟତଃ ନଷ୍ଟ ହୋଇଯାଇଛି । ଲୋକଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ପ୍ରତି ଆବଶ୍ୟକ ସଚେତନତା ଅଭାବରୁ ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହୋଇଛି । ଜଙ୍ଗଲ ସୀମା କମିଯିବା ଫଳରେ ହାତୀ ଏବେ ଜନବସତି ମୁହାଁ ହୋଇଛି । ଆଜି ଭୋରରେ ଖୋର୍ଦ୍ଧା ଉପକଣ୍ଠ ପାନବରଜ ଓ ଟାଙ୍ଗିଆପଡ଼ା ଠାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି ।
ସୂଚନାନୁସାରେ, ଆଜି ଭୋରରେ ଚନ୍ଦକା ଜଙ୍ଗଲରୁ ଏକ ଦନ୍ତାହାତୀ ଟାଙ୍ଗିଆପଡ଼ା ଦେଇ ଚାଲିଆସିଥିଲା । ଶୌଚ ହେବା ପାଇଁ ଯାଇଥିବା ସେହି ଗାଁର ବିକ୍ରମ ସାମନ୍ତରାୟ ନାମକ ଜଣେ ଯୁବକ ହାତୀ ହାବୁଡ଼ରେ ପଡ଼ିଥିଲେ । ସମ୍ମୁଖରେ ତାଙ୍କୁ ଦେଖି ହାତୀ ଆକ୍ରମଣ କରିବାକୁ ଗୋଡ଼ାଇଥିଲା । ଏଥିରେ ସେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ କୌଣସି ମତେ ରକ୍ଷା ପାଇଯାଇଥିଲା । ଏହାପରେ ହାତୀଟି ପାନବରଜ ନିକଟ ମୁକ୍ତ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା । ଏହି ସମୟରେ ସେହି ଗାଁର ଫୁଲ ତୋଳିବା ପାଇଁ ଯାଇଥିବା କିରଣବାଳା ମାନ୍ଧାତା (୫୭) ହାତୀ ସମ୍ମୁଖକୁ ହଠାତ୍ ଆସିଯାଇଥିଲେ ।
ଏଥିରେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଏହା ସହ ଅନ୍ୟ ଜଣେ ମହିଳା ରମା ବେହେରା (୬୦) ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ)ର ଅଶୋକ ସାହୁ, କାର୍ତିକ ଘଡ଼େଇ, ଜୟନ୍ତ ମହାନ୍ତି, ଅବିନାଶ ପ୍ରଧାନ, ଶ୍ରୀକାନ୍ତ ନାୟକ, ଅରୁଣ ନାୟକ, ଶିବ ସ୍ୱାଇଁ ଓ ଗ୍ରାମବାସୀମାନେ ମୃତକ ଓ ଆହତଙ୍କ ପରିବାରକୁ ଯଥାକ୍ରମରେ ୨୦ଲକ୍ଷ ଓ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ବନ ବିଭାଗର ନିୟମିତ ପାଟ୍ରୋଲିଂ ଆଦି ଦାବି କରି ରାସ୍ତା ଉପରେ ଧାରଣାରେ ବସିଥିଲେ । ଏହାପରେ ୧୧ଟା ବେଳେ ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ତାରିକ ଅହମ୍ମଦ, ତହସିଲଦାର ଓ ବନବିଭାଗର ଫରେଷ୍ଟର, ରେଂଜର ପ୍ରମୁଖ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ଆହତଙ୍କୁ ୫ ହଜାର ଟଙ୍କା ଓ ମୃତବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ବନବିଭାଗ ପକ୍ଷରୁ କ୍ଷତିପୂରଣ ବାବଦରେ ନିର୍ଦ୍ଧାରିତ ଟଙ୍କାକୁ ଖୁବଶୀଘ୍ର ପ୍ରଦାନ କରିବା ଓ ଆହତଙ୍କ ଚିକିତ୍ସା ଦାୟିତ୍ୱ ବହନ କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା । ଏନେଇ ଖୋର୍ଦ୍ଧା ରେଂଜର ଜୟକୃଷ୍ଣ ପଣ୍ଡା କହିଛନ୍ତି, ଚନ୍ଦକା ଜଙ୍ଗଲରୁ ଏହି ରାସ୍ତା ଦେଇ ହାତୀ ନିୟମିତ ଭାବେ ଜରିପୁଟ ଜଙ୍ଗଲ, ରାମେଶ୍ୱର ଓ ପୁଣି ଖୋର୍ଦ୍ଧା ଦେଇ ଚନ୍ଦକା ମଧ୍ୟକୁ ଯିବାଆସିବା କରିଥାନ୍ତି । ଖୋର୍ଦ୍ଧା, ଜରିପୁଟ, ପାନବରଜ ମଧ୍ୟରେ ହାତୀ ଏହି ୫-୬ ବର୍ଷ ମଧ୍ୟରେ କାହାରିକୁ ଆକ୍ରମଣ କରିନାହିଁ । ବର୍ତମାନ ହାତୀଟି ଜରିପୁଟ ଜଙ୍ଗଲରେ ରହିଛି । ବନବିଭାଗର ଏକଟିମ୍ ପୁଣି ତାକୁ ଚନ୍ଦକା ଜଙ୍ଗଲକୁ ଘଉଡ଼ାଇବାକୁ ଯୋଜନା କରୁଛନ୍ତି । ରାତିରେ ଜନଗହଳି କମିଲେ ହାତୀଟିକୁ ଚନ୍ଦକା ଘଉଡ଼ାଇଦିଆଯିବ ।
Follow Us