ବନ୍ଦ ଘରେ ଅହିରାଜ ସହିତ ଏକ ଘଣ୍ଟା, ଝରକା ଭାଙ୍ଗି ମୁକୁଳିଲେ ଆଦିବାସୀ ଦମ୍ପତ୍ତି, ଶିଶୁ ପୁତ୍ର

Advertisment
ବନ୍ଦ ଘରେ ଅହିରାଜ ସହିତ ଏକ ଘଣ୍ଟା, ଝରକା ଭାଙ୍ଗି ମୁକୁଳିଲେ ଆଦିବାସୀ ଦମ୍ପତ୍ତି, ଶିଶୁ ପୁତ୍ର

ବାରିପଦା : ରାତ୍ରିର ନିର୍ଜନତାରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବିଷାକ୍ତ ସାପ ଅହିରାଜ ସହିତ ଏକ ଘଣ୍ଟା। ଗୋଟିଏ ଘରେ ଅହିରାଜ ଓ ଆଦିବାସୀ ଦମ୍ପତ୍ତି ଏବଂ ତାଙ୍କର ଏକ କୁନି ପୁଅ। ଘରୁ ବାହାରିବା କବାଟ ନିକଟରେ ହିଁ ଥିଲା ସାପ।

ଅଗତ୍ୟା ଉକ୍ତ କୋଠରୀରେ ଥିବା ଏକମାତ୍ର ବାଟ ଦେଇ ବାହାରକୁ ବାହାରିବା ବିପଦପୂର୍ଣ୍ଣ ଥିଲା। ମାତ୍ର ସାହସ ହରାଇନଥିଲେ ଆଦିବାସୀ ଦମ୍ପତ୍ତି ଓକିଲ ଓ କୁଇଲି ମୁଣ୍ଡା। ଘରେ ପଡିଥିବା ଖଟ ଉପରେ ଉଭୟ ଓକିଲ ଓ କୁଇଲି ଏବଂ ତାଙ୍କର ଦୁଇ ବର୍ଷର ଏକ ଶିଶୁ ପୁତ୍ର ଠିଆ ହୋଇଥିଲେ। ଖଟ ଉପରେ ପରିବାର ଯାକ ଠିଆ ହୋଇ ଝରକା ରେ ଲାଗିଥିବା ଲୁହା ରେଲିଂ କୁ ଗୋଇଠା ମାରି ମାରି ବଡ଼ କଷ୍ଟ ରେ ଭାଙ୍ଗି ବାକୁ ଚେଷ୍ଟା କରିଥିଲେ । ପାଳି କରି ଗୋଇଠା ମାରି ଏବଂ ହାତରେ ପେଲି ଉଭୟ ଓକିଲ ଓ କୁଇଲି ମୁଣ୍ଡା ପ୍ରାୟ ଘଣ୍ଟାଏ କାଳ ଅକ୍ଲାନ୍ତ ପରିଶ୍ରମ କରି ଲୁହା ରେଲିଂ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ସେହି ଝରକା ପଟେ ସ୍ତ୍ରୀ କୁଇଲି ଏବଂ ଦୁଇ ବର୍ଷ ର ଶିଶୁ ପୁତ୍ରକୁ ନେଇ ଜୀବନ ବିକଳରେ ବାହାରି ଆସିବାରେ ସକ୍ଷମ ହୋଇଥିଲେ । ଫିଲ୍ମ ଭଳି ଲାଗୁଥିଲେ ମଧ୍ୟ ଘଟଣା ସମ୍ପୂର୍ଣ୍ଣ ସତ। ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଞ୍ଚଳରେ ଥିବା ପିଠାବଟା ରେଞ୍ଜ ଅନ୍ତର୍ଗତ ଲୁଲୁଙ୍ଗ ଗେଟ ନିକଟରେ ଥିବା ଏକ ଘରୋଇ ପାନ୍ଥ ନିବାସରେ ରହୁଥିବା ଆଦିବାସୀ ଦମ୍ପତ୍ତି ଓକିଲ ଓ କୁଇଲି ମୁଣ୍ଡାଙ୍କ ସହିତ ଗତକାଲି ରାତି ପ୍ରାୟ ୮ରେ ଘଟିଥିଲା ଏପରି ଘଟଣା।

ଗତକାଲି ରାତିରେ ଓକିଲଙ୍କ କୁନି ପୁଅ କବାଟ କଣ କୁ ଯିବାବେଳେ ସେହି କଣରୁ ଗର୍ଜନ କରି ଫଣା ଟେକି ଏକ ଅହିରାଜ ସାପ ମାଡି ଆସିଥିଲା। ଓକିଲ କିନ୍ତୁ ପୁଅକୁ ଆଖିପିଛୁଳାକେ ଟାଣି ଆଣିଥିଲେ। ଅତ୍ୟନ୍ତ ସାହସିକତାର ସହିତ ପୁଅର ଜୀବନ ବଞ୍ଚେଇ ଥିବା ଓକିଲ କିନ୍ତୁ ନିଜର ଏବଂ ତାଙ୍କ ପରିବାରର ଜୀବନ ବଞ୍ଚାଇବା ପାଇଁ ଅକଳରେ ପଡ଼ିଥିଲେ। କାରଣ ଅହିରାଜ ସାପ କବାଟ ପାଖରେ ଫଣା ଟେକି ଠିଆ ହୋଇଥିଲା। ତେଣୁ ଉପସ୍ଥିତ ବୁଦ୍ଧି ପାଞ୍ଚି ଉପରୋକ୍ତ ଉପାୟରେ ମୁକୁଳିଥିଲେ। ବାହାରକୁ ଆସି ବିଶାଳ ଅହିରାଜକୁ ଘରୁ ବାହାରକୁ ଆଣିବା  ଚିନ୍ତାରେ ସ୍ଥାନୀୟ ବନ ବିଭାଗ କୁ ଖବର ଦିଆଗଲା । ପିଠାବଟା  ରେଞ୍ଜ ଅଫିସର ଏହି ଖବର ପାଇ ବାରିପଦାର ଅଭିଜ୍ଞ ଯୁବ ସାପ ଉଦ୍ଧାରକାରୀ କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ଅହିରାଜ ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କଲେ । କୃଷ୍ଣଚନ୍ଦ୍ର ନିଜର ସହଧର୍ମିଣୀ ସସ୍ମିତାଙ୍କୁ ସାଥିରେ ନେଇ ଘଟଣା ସ୍ଥଳରେ ପହଞ୍ଚି ସତର୍କତାର ସହିତ ୮ ଫୁଟ ଲମ୍ବର ଅହିରାଜ ସାପକୁ ଘର ଭିତରୁ ଉଦ୍ଧାର କରି ବାହାରକୁ ଆଣିଥିଲେ ।

ବିଷଧର ଅହିରାଜକୁ ପିଠାବଟା ରେଞ୍ଜ ଅଧିକାରୀ ଗତକାଲି ରାତିରେ ହିଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡି ଦେଇଥିଲେ । ପ୍ରାୟ ୪ ବର୍ଷ ବୟସ୍କ ଏହି ଆଠ ଫୁଟିଆ ବିଷଧର ଅହିରାଜକୁ କାବୁ କଏଇ ସସ୍ମିତା ବେଶ ସାହସିକତାର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଏନେଇ ସବୁଠି ତାଙ୍କର ପ୍ରଶଂସା କରାଯାଇଛି। ଏହି ଘଟଣାରେ ଉକ୍ତ ଆଦିବାସୀ ଦମ୍ପତ୍ତି ଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି କୁ ମଧ୍ୟ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe