ବ୍ରହ୍ମପୁର : କୁକୁର ବୁଲାଇବାକୁ କେନ୍ଦ୍ର କରି ପ୍ରଥମେ ଗଣ୍ଡଗୋଳ, ତା’ପରେ ଫୁଟିଛି ଗୁଳି। ଗୁଳିମାଡ଼ରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିର ସୁରଜ ଦଳେଇ ଆହତ ହୋଇଛନ୍ତି। ତାଙ୍କର ଡାହାଣ ହାତ ଆଙ୍ଗୁଠିରେ ଗୁଳି ବାଜିଛି। ସୁରଜଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ପୁଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ବିଳମ୍ବିତ ରାତିରେ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋଡ଼ାସିଙ୍ଗି ତୋଟାସାହିର ଦିବାକର ନାୟକ, କୁନା ନାୟକ ଓ ପ୍ରଦୀପ ହାତୀ ବୋଲି ପୁଲିସ କହିଛି। ସେମାନଙ୍କ ନିକଟରୁ ଏକ ପିସ୍ତଲ୍ ଜବତ ହୋଇଥିବା ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଖୋଡ଼ାସିଙ୍ଗିରେ ରହୁଥିବା ସୁରଜ ସଂଧ୍ୟାରେ ତାଙ୍କର କୁକୁରକୁ ବାହାରକୁ ବୁଲାଇବାକୁ ଆଣିଥିଲେ। ଏହି ସମୟରେ ଦିବାକର ଓ କୁନା କାହିଁକି ଏଠାରେ କୁକୁର ବୁଲାଉଛୁ କହି ତାଙ୍କ ସହିତ ଝଗଡ଼ା କରିଥିଲେ। ଏହାକୁ ନେଇ ସେଠାରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ପରେ ସମସ୍ତେ ନିଜ ନିଜର ଘରକୁ ଚାଲି ଯାଇଥିଲେ। ରାତି ପ୍ରାୟ ୧୨ଟା ବେଳେ ଦିବାକର, କୁନା ଓ ପ୍ରଦୀପ ପୁଣିଥରେ ସୁରଜ ରହୁଥିବା ସାହିକୁ ଯାଇଥିଲେ। ସେଠାରେ ସୁରଜଙ୍କୁ ଏକୁଟିଆ ପାଇ ପୁଣି ଝଗଡ଼ା କରିଥିଲେ। ଦିବାକର ହଠାତ୍ ଏକ ପିସ୍ତଲ ବାହାର କରି ସୁରଜଙ୍କ ଉପରକୁ ଗୁଳି ଫୁଟାଇଥିଲା। ସୌଭାଗ୍ୟକ୍ରମେ ଗୁଳିଟି ସୁରଜଙ୍କ ହାତ ଆଙ୍ଗୁଠିକୁ ଛୁଇଁ ଚାଲି ଯାଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତ ସୁରଜଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନା ପଠାଇଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦିବାକର, କୁନା ଓ ପ୍ରଦୀପଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଏକ ପିସ୍ତଲ ଜବତ ହୋଇଛି। କେସ୍ ନମ୍ବର ୭୦/୨୧ରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦିବାକର ବିଏମ୍ସିର ଜଣେ ସଫେଇ କର୍ମଚାରୀ ବୋଲି ପୁଲିସ କହିଛି।
Follow Us