Telegraph India
ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ଗତ ୧୭ ତାରିଖ ଦିନ ତାମିଲନାଡ଼ୁରୁ ଆସି ଅନୁଗୁଳ ବ୍ଲକର ଏକ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ୨୩ ବର୍ଷର ଏହି ତାମିଲନାଡୁ ଫେରନ୍ତା ଯୁବକଙ୍କୁ ଆଜି ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇଛନ୍ତି। ଏଥି ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଂଚିଛି।
ଏମାନଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହେବା ପରେ ଡାକ୍ତରଖାନାରେ ଡିସ୍ଚାର୍ଜ କରାଯାଇଛି। ସେମାନେ ଏବେ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ୪୪୧୫ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ୩୬୯୯ଟି ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇଛି। ଏଥିରୁ ୨୦ଟି ପିଜିଟିଭ୍ ଥିବା ବେଳେ ଅନ୍ୟ ସବୁ ନେଗେଟିଭ୍ ଆସିଛି।
ତେବେ ଏପର୍ଯ୍ୟନ୍ତ ୭୧୬ଟି ରିପୋର୍ଟ ଆସିବା ବାକି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷଣୁ ଚଳିତ ମାସ ୧୯ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଅଣଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ଯାତାୟାତ ଉପରେ କଟକଣା ଲାଗିଛି। ଜନସାଧାରଣ ଆତଙ୍କିତ ନହୋଇ ନିଜର ସୁରକ୍ଷା ନିମନ୍ତେ ସାମାଜିକ ଦୂରତା ବଜାୟ ରଖିବା ସହିତ ଘରୁ ବାହାରିଲେ ମାକ୍ସ ପିନ୍ଧିବାକୁ ଜିଲ୍ଲାପାଳ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।
Follow Us