ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସକୁ ମିଳିଛି ଏକ ବଡ ସଫଳତା। ପୁରସ୍କାର ଘୋଷିତ ଏକ ନକ୍ସଲ ସଦସ୍ୟକୁ ପୁଲିସ ଗିରଫ କରିଛି। ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ନକ୍ସଲ ଦମନ ଅଭିଯାନରେ ପୁଲିସ ଲଗାତାର ନକ୍ସଲଙ୍କୁ ମାତ ଦେବାକୁ ଚେଷ୍ଟା କରି ସଫଳ ହେବାରେ ଲାଗିଛି।
ଏହି କ୍ରମରେ ଦନ୍ତେଵାଡା ଜିଲ୍ଲାର କଟେକଲ୍ୟାଣ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ମୁନଗା ଏବଂ ବଡେଗାଦମ ଜଙ୍ଗଲରେ କିଛି ନକ୍ସଲ ପଇଁତରା ମାରୁଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ମୁନଗା ଅଂଚଳରେ କୁମ୍ବିଂକୁ ବାହାରିଥିଲେ। ତେବେ ଜଂଗଲରେ ଜଣେ ନକ୍ସଲ ପୁଲିସକୁ ଦେଖି ଖସି ପଳାଇବାକୁ ଚେଷ୍ଟା କରୁଥିଲା। ତୁରନ୍ତ ପୁଲିସ ସେହି ବ୍ୟକ୍ତିକୁ ଧରି ପଚରାଉଚରା କରିବା ପରେ ସେ କଟେକଲ୍ୟାଣ ଏରିଆ କମିଟିର ସଦସ୍ୟ ବୋଲି କହିଥିଲେ।
ନିଜ ନାମ କୋସା ମାଣ୍ଡବୀ (୨୫) ବୋଲି କହିଥିଲା। କୋସା ନାମରେ ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ଜଣାପଡିଛି। ତେବେ କୋସାକୁ ଧରି ପୁଲିସ ପଚରାଉଚରା କରି କୋର୍ଟ ଚାଲାଣ କରିଥିବା କହିଛି। ତେବେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ କୋସାଠାରୁ ମିଳିଥିବା ଜଣାପଡିଛି। କୋସା ନାମରେ କଟେକଲ୍ୟାଣ ଥାନାରେ ବହୁ କେସ ରହିଥିବା ପୁଲିସ କହିଛି।
Follow Us