ବଇଁଚୁଆ ପଞ୍ଚାୟତରେ ରାଜ୍ୟସ୍ତରୀୟ କଂସା ପିତ୍ତଳ ହସ୍ତଶିଳ୍ପ ମେଳାରେ ଯୋଗ ଦେଲେ ୧୯୬ କାରିଗର

Advertisment
ବଇଁଚୁଆ ପଞ୍ଚାୟତରେ ରାଜ୍ୟସ୍ତରୀୟ କଂସା ପିତ୍ତଳ ହସ୍ତଶିଳ୍ପ ମେଳାରେ ଯୋଗ ଦେଲେ ୧୯୬ କାରିଗର

Sambad

ବାଲିଅନ୍ତା: ସ୍ଥାନୀୟ ବଇଁଚୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ରାଜ୍ୟ ସ୍ତରୀୟ କଂସା ପିତ୍ତଳ ହସ୍ତଶିଳ୍ପ ମେଳା ଅନୁଷ୍ଠିତ ହୋଇଯାଇଛି। କଂସାରି ସମାଜ ଉନ୍ନୟନ ପରିଷଦ ଭୁବନେଶ୍ବର ଏବଂ କେନ୍ଦ୍ରୀୟ ହସ୍ତଶିଳ୍ପ ମନ୍ତ୍ରଳାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ମେଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଯଥା-ବାଳକାଟି ରଥିଜେମା, ସ୍ଥାନୀୟ ବଇଁଚୁଆ ପଞ୍ଚାୟତ ସମେତ, ଭଟିମୁଣ୍ଡା, କେନ୍ଦୁପାଟଣା, କଣ୍ଟିଲୋ, ରେମୁଣା, ଗଞ୍ଜାମ, ପୋଲସରା, ବଲାଙ୍ଗିର, ବରଗଡ଼, କଟାପାଲି, ରେଙ୍ଗାଳି ଏବଂ ଗଣେସନଗର ଆଦି ଅଞ୍ଚଳର ୧୯୬ ଜଣ କାରିଗର ଯୋଗ ଦେଇ ସେମାନେ କଂସା ପିତ୍ତଳ ଶିଳ୍ପରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ଏନେଇ ଆୟୋଜିତ ସଭାରେ ନବୀନ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ପୂର୍ବ କ୍ଷେତ୍ରୀୟ ନିର୍ଦ୍ଦେଶକ ନୀର ଲକ୍ଷ୍ମୀ ପଲେଇ ମୁଖ୍ୟ ଅତିଥି, ଭୁବନେଶ୍ବର ହସ୍ତଶିଳ୍ପ ଟ୍ରେନିଂ ସେଣ୍ଟର ପ୍ରମୁଖ ଅଧିକାରୀ ଅଶୋକ କୁମାର ହୋତା, ତପନ କୁମାର ଦାଶ, ସ୍ମୃତି ପଟ୍ଟନାୟକ, ହସ୍ତଶିଳ୍ପ ପ୍ରମୋସନ ଅଧିକାରୀ ବିଜୟ ଲକ୍ଷ୍ମୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାରିଗର ମାନଙ୍କ ସହ ଏନେଇ ବିସ୍ତୃତ ଆଲୋଚନା କରିବାସହ ସେସବୁର ସମାଧାନ ଦିଗରେ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି  ଦେଇଥିଲେ।

ସୂଚନା ଅନୁସାରେ, ଦିନ ଥିଲା ସାରା ରାଜ୍ୟରେ ୫ହଜାରରୁ ଅଧିକ ଶାଳ ବିଭିନ୍ନ ଗ୍ରାମରେ ଚାଲିଥିଲା। ସେଥିମଧ୍ୟରୁ ‌କଂସା ପିତ୍ତଳ ତାରକସି କାମ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ଏବଂ ବାଳକାଟି (ରଥିଜେମା) ଅଞ୍ଚଳରେ ୫ଶହରୁ ଅଧିକ ଶାଳ କାର୍ଯ୍ୟକ୍ଷମ ଥିଲା। ଏବେ ସାରା ରାଜ୍ୟରେ ୨ହଜାର ଶାଳ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ୨୦୦ରୁ ଅଧିକ ଶାଳ ଚାଲିଛି। ସରକାରଙ୍କ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଫଳରେ ହଜାର କାରିଗର ପରିବାର ଗୁଜୁରାଣ ମେଣ୍ଟାଇବାରେ କୌଣସି ସମସ୍ୟା ଦେଖା ଦେଉନଥିଲା।

ପୂର୍ବଭଳି ସରକାରଙ୍କ ପକ୍ଷରୁ ଆଉ କାରିଗରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉ ନାହିଁ। ‌ବାସନ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଯଥା ରଙ୍ଗ, ତମ୍ବା ଓ କୋଇଲା ତଥା ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ନେଇ ସରକାରଙ୍କର କୌଣସି ପଞ୍ଜୀକୃତ ସଂସ୍ଥା ନଥିବାରୁ ଖୋଲା ବଜାରରୁ କିଣିବାକୁ ପଡ଼ୁଥିବାରୁ କାରିଗର ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରଙ୍ଗ ଓ ତମ୍ବା ସଂଗ୍ରହ ବେଳେ ପୁଲିସ ଗିରଫଦାରୀ ଭୟ ଲାଗି ରହିଛି। ତେଣୁ ବନ୍ଦ ପଡ଼ିଥିବା ଶାଳର ପୁନରୁଦ୍ଧାର ସହ ଶତକଡ଼ା ୬ ପ୍ରତିଶତ ସୁଧରେ ବ୍ୟାଙ୍କ ଋଣ ପ୍ରଦାନ ନେଇ କାରିଗର ମାନେ ଦାବି ଉପସ୍ଥାପନ କରିଥିଲେ। ବ୍ୟାଙ୍କ ପକ୍ଷରୁ ସୁଧହାର କମ ନେଇ ସେହିପରି ପ୍ରସ୍ତୁତ ବାସନ ସାମଗ୍ରୀ ବିକ୍ରି ଆଉ ଗୋଟିଏ ବଡ଼ ସମସ୍ୟା। ବଜାର ସମସ୍ୟାର ସମାଧାନ ନେଇ ସରକାର ଉତ୍କଳୀକା ଭଳି ସରକାରୀ ସଂସ୍ଥା ଜରିଆରେ ପ୍ରସ୍ତୁତ ବାସନ ସାମଗ୍ରୀ ମାର୍କେଟିଂ କରାଯିବା ନେଇ କାରିଗର ମାନେ ଦାବି କରିଥିଲେ। ଏହି ଅବସରରେ ମେଳାରେ ବିଭିନ୍ନ କଂସାପିତ୍ତଳ ସାମଗୀ ସହିତ ପ୍ରତିମୂର୍ତ୍ତି ଏବଂ ସୌଖୀନ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe