Sambad
ବୈପାରିଗୁଡା: ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଚାରି ଜଣଙ୍କୁ ବୈପାରିଗୁଡା ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ କ୍ବିଣ୍ଟାଲ ସାତ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା ସିଜି ୦୪ ଏନ୍ଏମ୍ ୧୯୪୪ ନମ୍ବର ବିଶିଷ୍ଟ ଗୋଟିଏ ବୋଲେରୋ ଏବଂ ଓଡି ୧୦କେ ୫୮୭୮ ଏବଂ ଓଡି ୧୦ଆର୍ ୩୬୦୧ ନମ୍ବର ବିଶିଷ୍ଟ ଦୁଇଟି ବାଇକ ଏବଂ ତିନୋଟି ମୋବାଇଲ ଓ ଦୁଇଟି ଡେବିଟ୍ କାର୍ଡ ମଧ୍ୟ ଜବତ କରିଛି। ବୈପାରିଗୁଡା ଡିଏସପି ବିରଞ୍ଚିନାରାୟଣ ଜଗତ ସାମ୍ବାଦିକ ମାନଙ୍କ ନିକଟରେ ପ୍ରକାଶ କରିଛନ୍ତି ଯେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୈପାରିଗୁଡା ପୁଲିସ ହଳଦିକୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ଘୋଡାଘାଟ ଠାରେ ସନ୍ଧ୍ୟା ଛଅଟା ପରେ ଛକି ବସିଥିଲା। ବୋଲେରୋ ଯୋଗେ ଚୋରା ଚାଲାଣକାରୀ ଏକ ବୋଲେରୋ ଯୋଗେ ପହଞ୍ଚିବା ମାତ୍ରେ ପୁଲିସ ସେମାନଙ୍କୁ କାବୁ କରିଥିଲା। ଗିରଫ ଚାଲାଣକାରୀ ମାନଙ୍କ ମଧ୍ୟରୁ ଛତିଶଗଡ଼ର ଶିଶୁପାଳ ବିଷ୍ଣୋଇ, ରହିଥିବା ବେଳେ ରାଜସ୍ଥାନର ନାରାୟଣ ବିଷ୍ଣୋଇ, ଏବଂ ବିକାଶ ବିଷ୍ଣୋଇ।
ଏମାନଙ୍କ ସହ ଜଣେ ନାବାଳକ ମଧ୍ୟ ରହିଥିବା ପ୍ରକାଶ। ଡିଏସପି ଶ୍ରୀ ଜଗତ ପ୍ରକାଶ କରିଛନ୍ତି ଯେ, ଅଭିଯୁକ୍ତ ମାନେ ଘୋଡାଘାଟ ଠାରେ ଡଙ୍ଗାରେ ନଦୀ ପାର ହୋଇ ଛତିଶଗଡ଼ ସୀମାରେ ପହଞ୍ଚିବା ପରେ ସେସବୁକୁ ଅନ୍ୟ ରାଜ୍ୟକୁ ବିକ୍ରି କରିବାର ଯୋଜନା କରିଥିଲେ। ତେବେ ଏମାନଙ୍କୁ ଏହି ଅଞ୍ଚଳର କିଛି ବ୍ୟକ୍ତି ଚୋରା ଚାଲାଣରେ ସହଯୋଗ କରୁଥିବା ସନ୍ଦେହ କରାଯାଉଛି। ତେବେ ଏହି ସହଯୋଗକାରୀଙ୍କୁ ଏବଂ ପାଇଲଟିଂ କରୁଥିବା ବ୍ୟକ୍ତି ମାନଙ୍କୁ ଖୋଜି ବାହାର କରାଯିବ। ଏନେଇ ଏହି ଅଞ୍ଚଳରେ ପୁଲିସ ପେଟ୍ରୋଲିଂ କରିବା ସହ ସେମାନଙ୍କୁ ଚିହ୍ନଟ କରାଯିବ। ବୈପାରିଗୁଡା ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ପୁଲିସ ଦୃଢ଼ ପଦକ୍ଷେପ ନେବ ବୋଲି ପ୍ରକାଶ କରିଛନ୍ତି ଡିଏସପି ବିରଞ୍ଚିନାରାୟଣ ଜଗତ।
Follow Us