ରାଜଗାଙ୍ଗପୁରରେ ସିମେଣ୍ଟ କାରଖାନାରେ ବିସ୍ଫୋରଣ, ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ, ୩ ଆହତ

Advertisment
ରାଜଗାଙ୍ଗପୁରରେ ସିମେଣ୍ଟ କାରଖାନାରେ ବିସ୍ଫୋରଣ, ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ, ୩ ଆହତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ କାରଖାନାରେ ଆଜି ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କାରଖାନାର ଲାଇନ୍‌-୩ର ବ୍ଲାଷ୍ଟଫର୍ଣ୍ଣେସ୍‌ରେ ବିସ୍ଫୋରଣ ଯୋଗୁଁ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ଘଟଣାରେ ଅନ୍ୟ ୩ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର କୁଟୁରୀ ଗ୍ରାମର ରଶ୍ମିତା କୁଜୁର (୩୦)। ଆହତମାନଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ କାରଖାନା ବାହାରେ ଚାପା ଉତ୍ତେଜନା ଦେଖାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସୂଚନା ଅନୁସାରେ ରାଜଗାଙ୍ଗପୁରସ୍ଥିତ ଓସିଏଲ୍‌ ସିମେଣ୍ଟ କାରଖାନାରେ ଆଜି ସନ୍ଧ୍ୟା ସମୟରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ କାରଖାନାର ଲାଇନ୍‌-୩ର ବ୍ଲାଷ୍ଟଫର୍ଣ୍ଣେସ୍‌ରେ ମହିଳା ଶ୍ରମିକମାନେ କାମ କରୁଥିଲେ। ଲାଇନ୍‌-୩ ବ୍ଲାଷ୍ଟଫର୍ଣ୍ଣେସ୍‌ରେ ସକାଳ ୮ଟାରୁ ୮ ଜଣ ମହିଳା ଶ୍ରମିକ କାମ କରିବାକୁ ଯାଇଥିଲେ।

ତେବେ ସନ୍ଧ୍ୟା ୫ଟାରେ କାରଖାନା ଭିତରୁ ୭ ଜଣ ମହିଳା ବାହାରି ଥିବା ବେଳେ ଆଉ ଜଣେ ମହିଳା ଆସି ନଥିଲେ। ସେ ଶ୍ୱାସରୁଦ୍ଧ ହୋଇ ଅଥବା ନିଆଁର ଝାସର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ବେଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ କାରଖାନା ଭିତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି।

ତେବେ କମ୍ପାନି ପକ୍ଷରୁ କୁହାଯାଇଛି, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରସ୍ଥିତ ଡାଲମିଆ ଡିଏସପି ୟୁନିଟ-୧ରେ ଆଜି ଅପରାହ୍ନ ସାଢ଼େ ୪ଟାରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରଶ୍ମୀ କୁଜୁର ନାମରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଯଦିଓ କମ୍ପାନି ତରଫରୁ ଜରୁରୀକାଳୀନ ଚିକିତ୍ସା କରାଯାଇଥିଲା, ତଥାପି ତାଙ୍କର ମୃତ୍ୟୁ ହୋଇଯାଇଛି।

ରଶ୍ମୀ କୁଜୁରଙ୍କ ମୃତ୍ୟୁରେ ଆମେ ଶୋକ ପ୍ରକାଶ କରୁଛୁ ବୋଲି କମ୍ପାନି କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି। କମ୍ପାନି କହିଛି ଯେ, ଆମେ ଶୋକସନ୍ତପ ପରିବାର ପ୍ରତି ସମବେଦନା ଜଣାଉଛୁ। ଆମେ ଘଟଣାର ତଦନ୍ତ କରୁଛୁ ଏବଂ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। ପୀଡ଼ିତ ପରିବାରକୁ ଯଥା ସମ୍ଭବ ସହଯୋଗ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ପ୍ରାୟ ୧୦ ବର୍ଷ ତଳେ ଓସିଏଲ୍‌ ଇଣ୍ଡିଆ ଲିମିଟେଡ କାରଖାନରେ ମଧ୍ୟ ଦୁର୍ଘଟଣା ଘଟିଥିଲା। ସେହି ସମୟରେ କାରଖାନାର ଟନେଲ ଭିତରେ ପଡ଼ିଯାଇଥିଲେ ୩ ଜଣ ଶ୍ରମିକ। ଫଳରେ ଘଟଣାସ୍ଥଳରେ ହିଁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe