ରାୟଗଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଅନଲାଇନ୍ ପରୀକ୍ଷା ଦାବିରେ ଗେଟରେ ଝୁଲାଇଲେ ତାଲା

Advertisment
ରାୟଗଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଅନଲାଇନ୍ ପରୀକ୍ଷା ଦାବିରେ ଗେଟରେ ଝୁଲାଇଲେ ତାଲା

ରାୟଗଡ଼ା: ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଅନଲାଇନରେ କରିବା ଦାବିରେ ରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟରେ ଆଜି ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜ କର୍ତ୍ତୃପକ୍ଷ ଅଫଲାଇନ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବାରୁ ତୁରନ୍ତ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ପ୍ରତିବାଦରେ କଲେଜ ଗେଟରେ ତାଲା ଝୁଲାଇ ଛାତ୍ରଛାତ୍ରୀ ଧାରଣାରେ ବସି ରହିଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ୩ ଦିନ ସମୟ ମାଗିବା ପରେ ଛାତ୍ର ଅଶାନ୍ତି ଥମିବା ସହ କଲେଜ ଗେଟରୁ ତାଲା ଖୋଲିଥିଲା।

ଆସନ୍ତା ୨୫ ତାରିଖରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଡିଗ୍ରୀ ଶେଷ ବର୍ଷ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଏହି ପରୀକ୍ଷା ହେଉଥିବା ବେଳେ କିଛି କଲେଜରେ ଅନଲାଇନ୍ ପରୀକ୍ଷା ପାଇଁ ନିର୍ଦେଶ ରହିଛି। ରାୟଗଡ଼ାରୁ ୧୨ କିମି ଦୂର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ମଡେଲ୍ ଡିଗ୍ରୀ କଲେଜ ପରୀକ୍ଷା ଅନଲାଇନରେ ହେବାକୁ ଥିବା ବେଳେ ରାୟଗଡ଼ା କଲେଜ ପାଇଁ ଅଫଲାଇନ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାର ତୀବ୍ର ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଏ ନେଇ ଛାତ୍ରଛାତ୍ରୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି। କଲେଜ କର୍ତ୍ତୃପକ୍ଷ ଅଫଲାଇନରେ ପରୀକ୍ଷା କରିବାକୁ ଜିଦ୍ ଧରିଥିବାରୁ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ରାଜ୍ୟର ଅଧିକାଂଶ ବିଶ୍ୱବିଦ୍ୟାଳୟ, ସ୍ୱଂୟଶାସିତ ମହାବିଦ୍ୟାଳୟ ଗୁଡିକରେ ଚତୁର୍ଥ ସେମିଷ୍ଟାରକୁ ଅନଲାଇନ ମାଧ୍ୟମରେ ସଞ୍ଚାଳନ କରାଯାଉଥିବା ବେଳେ ରାୟଗଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଅଫଲାଇନ ଢଙ୍ଗରେ କରାଯାଉଛି । ଯଦି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ସ୍ତରରେ ପାଠ୍ୟସୂଚୀ ଏବଂ ପ୍ରଶ୍ନ ଢ଼ାଞ୍ଚା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ତେବେ ପରୀକ୍ଷା ସୁବିଧା ମଧ୍ୟ ସମସ୍ତଙ୍କ ପାଇଁ ଏକା ହେବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ପରୀକ୍ଷା ଅଫଲାଇନ ମାଧ୍ୟମରେ ନ କରିବାକୁ ଛାତ୍ର ସଂଘ ପୂର୍ବରୁ ମହାବିଦ୍ୟାଳୟ ଅଧ୍ୟକ୍ଷା ଭି. ରତ୍ନଶ୍ରୀଙ୍କ ସହ ଆଲୋଚନା କରିଥିଲା। ଏଥି ସହିତ ଅନଲାଇନରେ ପରୀକ୍ଷା କରିବାକୁ ଲିଖିତ ଅଭିଯୋଗ ପତ୍ର ସେପ୍ଟେମ୍ବର ମାସ ୨୨ ତାରିଖରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଆଜି ଛାତ୍ର ଅଶାନ୍ତି ଉଗ୍ର ରୂପ ଧାରଣ କରିବା ପରେ ୩ ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ କଲେଜ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe