କୋରାପୁଟ: ଆସନ୍ତା ମେ ମାସ ପ୍ରଥମ ସପ୍ତାହରୁ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ରବି ଧାନ କିଣା। ଏଥିପାଇଁ ଜିଲ୍ଲାରେ ୭୧ ଟି ମଣ୍ଡି ଖୋଲିବ। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାରେ ୧୨ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେବ ବୋଲି ନିଷ୍ପତ୍ତି ହୋଇଛି।
କୋରାପୁଟ ଜିଲ୍ଲାରେ ରବି ଧାନ କିଣା ପାଇଁ ଆଜି ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଯୋଗାଣ ବିଭାଗ ସହ ବହୁ ରାଜନେତା ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ରବି ଧାନ କିଣା ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଏଥର କରୋନାର ଦ୍ବିତୀୟ ଲହର କାୟା ବିସ୍ତାରିବାରେ ଲାଗିଥିବାରୁ ଧାନ କିଣାବିକା ଆଗଭଳି ସହଜ ହୋଇ ନ ପାରେ। ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ସେହିପରି ଧାନ କିଣାବିକା ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯିବ। ଧାନ କିଣାବିକା ପାଇଁ ମୋଟ ୭୧ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିରୁ ୫୮ ଟି ମଣ୍ଡି ଜୟପୁର ଉପଖଣ୍ଡ ଓ ୧୩ଟି କୋରାପୁଟ ଉପଖଣ୍ଡରେ ଖୋଲିବ। ପ୍ରାଥମିକ ପର୍ଯ୍ୟାୟରେ ପାଖାପାଖି ୧୨ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କିଣାଯିବ। ଜଣେ ଚାଷୀ ଦିନକୁ ୧୦୦ କୁଇଣ୍ଟାଲ ଧାନ ବିକ୍ରି କରିପାରିବେ। ଗତବର୍ଷ ୧୨ ଲକ୍ଷ ୪୦ ହଜାର କୁଇଣ୍ଟାଲ ଧାନ କିଣା ଯାଇଥିଲା। ଏଥର ଧାନ ବିକିବା ପାଇଁ ଆଗରୁ ପଂଜୀକରଣ କରିଥିବା ଚାଷୀଙ୍କୁ ଟୋକନ ମିଳିବ। ଏହି ଚାଷୀମାନେ ମଣ୍ଡିରେ ଧାନ ବିକିପାରିବେ।ଏବେ ଜିଲ୍ଲାରେ ୧୩ ହଜାର ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ଜଣାଯାଇଛି।
Follow Us