ବାଲିଆପାଳରେ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ଓ ପେଟ୍ରୋକେମିକାଲ୍ସ ପ୍ରକଳ୍ପକୁ ବିରୋଧ 

Advertisment

୨୪ କିଲୋମିଟର ମାନବଶୃଂଖଳ କରି ପ୍ରତିବାଦ, ଶକ୍ତି ପ୍ରଦର୍ଶନ ପାଇଁ ହାତ ମିଳାଇଲେ ହଜାର ହଜାର ଲୋକ

୨୪ କିଲୋମିଟର ମାନବଶୃଂଖଳ କରି ପ୍ରତିବାଦ, ଶକ୍ତି ପ୍ରଦର୍ଶନ ପାଇଁ ହାତ ମିଳାଇଲେ ହଜାର ହଜାର ଲୋକ

ବାଲିଆପାଳରେ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ଓ ପେଟ୍ରୋକେମିକାଲ୍ସ ପ୍ରକଳ୍ପକୁ ବିରୋଧ 

ବାଲିଆପାଳ: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ରେ ସରକାର ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ଏବଂ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ସ୍ଥାପନ ନେଇ ସବୁଜ ସଂକେତ ଦେଇଛନ୍ତି। ହେଲେ ସ୍ଥାନୀୟ ଲୋକ ଏହାକୁ ଘୋର ବିରୋଧ କରୁଛନ୍ତି। ଯେଉଁ ମାଟି ତାଙ୍କୁ ପ୍ରଚୁର ଅନ୍ନ ଯୋଗାଉଛି, ସେହି ମାଟିକୁ ସେମାନେ କେବେ ବି ହାତଛଡ଼ା କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ହେଲେ ସରକାର ବି ତାଙ୍କ ଜିଦ୍‌ରେ ଅଟଳ। ଏପରି ସମୟ‌ରେ ଲୋକେ ରଣହୁଙ୍କାର ଦେଉଥିବା ବେ‌ଳେ ଆଜି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇଛନ୍ତି। ସରକାରଙ୍କ ପାଖରେ ଦାବି ପହଂଚାଇବା ଏବଂ ଏକ ପ୍ରକାର ଶକ୍ତି ପ୍ରଦର୍ଶନ ପାଇଁ ସେମାନେ ୨୪ କିମି ଲମ୍ବ ମାନବଶୃଙ୍ଖଳ କରିଛନ୍ତି।

publive-image

ବାଲିଆପାଳ ବ୍ଲକ୍‌ ଜମ୍ଭୀରାଇ, ନୂଆଗାଁ, ଅଳାଡ଼ିହା, ବେତଗଡ଼ିଆ, ଡଗରା ଓ ଚୌମୁଖ ପଞ୍ଚାୟତର ହଜାର ହଜାର ଏକର ଜମି ନେଇ ସରକାର ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋକେମିକାଲ୍ସ ପ୍ରକଳ୍ପ କରିବାକୁ ବସିଛନ୍ତି। ଯେଉଁଥି ପାଇଁ ପ୍ରଶାସନ ଜମି ଅଧିଗ୍ରହଣ କରିବାକୁ ତତ୍ପର ହୋଇ ଉଠିଛି। ବନ୍ଦର ଓ ପ୍ରକଳ୍ପ ହେଲେ ସ୍ଥାନୀୟ ଅଂଚଳର ହଜାର ହଜାର ଲୋକ ନିଯୁକ୍ତି ପାଇପାରିବେ ବୋଲି ସରକାର କହୁଥିବା ବେଳେ ଧାନ, ପାନ, ମୀନ, କାଜୁ, ନଡ଼ିଆ, ଗୁଆ, ଚିନାବାଦାମ ଓ ପନିପରିବା ଚାଷକୁ ନେଇ ଜୀବନଧାରଣ କରୁଥିବା ଲୋକ କିନ୍ତୁ ଜମି ଦେବାକୁ ପ୍ରସ୍ତୁତ ନାହାନ୍ତି। ଏପରି ସମୟ‌ରେ ସଂପୃକ୍ତ ୬ଟି ପଞ୍ଚାୟତର ହଜାର ହଜାର ଲୋକ ରଣହୁଙ୍କାର ଦେଉଥିବା ବେ‌ଳେ ଆଜି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇଛନ୍ତି।

ସରକାରଙ୍କ ପାଖରେ ଦାବି ପହଂଚାଇବା ଏବଂ ଏକ ପ୍ରକାର ଶକ୍ତି ପ୍ରଦର୍ଶନ ପାଇଁ ସେମାନେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନା, କଂଗ୍ରେସ ନେତା ତଥା ବାଲିଆପାଳ ବ୍ଲକ୍‌ ଅଧ୍ୟକ୍ଷ ବିଜନ କୁମାର ନାୟକ, ବାଲିଆପାଳ ଶାଖା ସୂଚନା ଅଧିକାର ସଂଘର ଆବାହକ ଅନୁଜ କୁମାର ମହାପାତ୍ର, କାର୍ତ୍ତିକ ନାୟଜ, ଶ୍ରମିକ ନେତା ମୃତ୍ୟୁଞୟ ରାଉତ, ବେଣୁଧର ରଣଜିତ, ରାଜେଶ ଚୌଧୁରୀ ପ୍ରମୁଖଙ୍କ ନେତୃତ୍ବରେ ଜମ୍ଭୀରାଇ ପଞ୍ଚାୟତ କାଳସିମୁଳିସ୍ଥ ଦ୍ବାରିକା ପୀଠରୁ ଚୌମୁଖ ପଞ୍ଚାୟତ ଅଧୀନ କଙ୍କଡ଼ାପାଳ ପର୍ଯ୍ୟନ୍ତ; ପ୍ରାୟ ୨୪ କିମି ଲମ୍ବ ଏକ ମାନବଶୃଙ୍ଖଳ କରିଛନ୍ତି। ତେବେ ପ୍ରଶାସନ ଏହା ପରେ ବି ଯଦି ଦାବି ନ ଶୁଣନ୍ତି, ଆଗକୁ ଅନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe