ଓଏସଆରଟିସିର ଜୟପୁର ଜୋନ ନ ଖୋଲିବା ପ୍ରସଙ୍ଗ: ଜୋନ ତୁରନ୍ତ ଖୋଲିବା ଦାବି ଜୋର ଧରିଲା

Advertisment
ଓଏସଆରଟିସିର ଜୟପୁର ଜୋନ ନ ଖୋଲିବା ପ୍ରସଙ୍ଗ: ଜୋନ ତୁରନ୍ତ ଖୋଲିବା ଦାବି ଜୋର ଧରିଲା

ଜୟପୁର: ଜୟପୁର ଓଏସଆରଟିସି ଜୋନର ବସ ଗୁଡିକ ପ୍ରବାସୀ ଶ୍ରମିକ ପରିବହନରେ ତେଲ ଖର୍ଚ୍ଚ ହଡପ ଏବଂ ବ୍ୟାପକ ଅନିୟମିତତାକୁ ଦୃଷ୍ଟିରେ ଏହାର ପରିଚାଳନା ନିର୍ଦେଶକ ସାମାୟିକ ଭାବେ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଜୋନ ବନ୍ଦ ହୋଇ ଏହାରି ମଧ୍ୟରେ ପ୍ରାୟ ୪୦ଦିନ ବିତିଗଲାଣି। ରାଜ୍ୟର ୯ଟି ଜୋନର ବସ ଜୟପୁର ସହରକୁ ଯିବା ଆସିବା ବି କଲାଣି। ଜୟପୁର ଜୋନର ବସ ବୁଲୁ ନଥିବା ବେଳେ ଅନ୍ୟ ଜୋନର ବସ ଯିବା ଆସିବା କରିବା ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ଜୋନ ଏଭଳି ଅଚାନକ ବନ୍ଦ ହେବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ଆଗାମୀ ଦିନରେ ଏହା ଜନଆନ୍ଦୋଳନର ରୁପ ନେବାକୁ ଯାଉଛି।

ଜୟପୁର ଜୋନ ଅବିଭକ୍ତ କୋରାପୁଟଜିଲ୍ଲାର ସର୍ବପୁରାତନ ଜୋନ, ଏହା ଉପରେ ଶତାଧିକ ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭର ବୋଲି କହିଛନ୍ତି ଜୟପୁର ଜିଲ୍ଲା ଓକିଲ ସଂଘର ଭାରପ୍ରାପ୍ତ ସଭାପତି ବିଜି ରାୟ ଜେନାଦେଓ । କିଏ ଭୁଲ କଲା , ଏବଂ ସାଧାରଣ ଜନତା ଦଣ୍ଡ ପାଇବେ କି। ଜୋନ ବନ୍ଦ କରିବା କେତେ ଦୁର ଯୁକ୍ତିଯୁକ୍ତ। ଏହା ଫଳରେ ସମସ୍ୟା ସମାଧାନ ହେବ କି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୁଣି ଏବେ ଅତ୍ୟାଧୁନିକ ବସ ଟର୍ମିନାଲ ବି ନିର୍ମାଣ ଚାଲିଛି । ଏପରି ସମୟରେ ଏହି ନିଷ୍ପତି ଯଥାର୍ଥ କି। ତୁରନ୍ତ ଜୋନ ଖୋଲା ନ ଗଲେ ଜୟପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ସଭାପତି ଶ୍ରୀ ଜେନା ଦେଓ।

କୌଣସି ସରକାରୀ କଳ ଅଧିନରେ ଥିବା ନିଗମ ହେଉ କି କାର୍ଯ୍ୟାଳୟ ହେଉ ସାଧାରଣ ଲୋକଙ୍କ ଅଧିକାର ସହ ସଂପୃକ୍ତି ଥିବା ସଂସ୍ଥାକୁ ବନ୍ଦ କରିବା ଯଥାର୍ଥ ନୁହେଁ ବୋଲି କହିଛନ୍ତି ୟୁଥ୍ ଫୋର ହ୍ୟୁମାନ ରାଇଟସ୍ ସଂସ୍ଥାର ରାଜ୍ୟ ନିର୍ଦେଶକ ସତୀଶ ନନ୍ଦ। ସଂପ୍ରତି ଲୋକେ କାମ ଧନ୍ଦା ନ ପାଇ ହଇରାଣ ହରକତ ହେଉଛନ୍ତି। ପରିସ୍ଥିତି ଧିରେ ଧିରେ ସ୍ବାଭାବିକ ହେଉଛି। ଏହି ସମୟରେ ବସ ବନ୍ଦ ହେବା ଫଳରେ ବିଭିନ୍ନ ଦୁର୍ଗମ ଅଂଚଳର ଲୋକେ ସହରକୁ ଯା ଆସ କରିପାରିବେ କି ? ସରକାର ନିଜେ ଏହି ସମସ୍ୟାର ସମାଧାନ କରିବା କଥା। ଆନ୍ଧ୍ର ବସ ଗୁଡିକ ବି କ୍ଷତି ହେଲେ ବି ନିର୍ଦ୍ଧାରିତ ସମୟରେ ଚାଳୁଛି। ଯଦି ଆନ୍ଧ୍ରର ଗାଡି ଚାଲୁଛି, ଆନ୍ଧ୍ର ସରକାର ଚଳାଇ ପାରୁଛନ୍ତି ତେବେ ଓଡିଶା ସରକାର ଚାହିଁଲେ କଣ ବସ ଚାଲିପାରିବନି କି ? ସାଧାରଣ ଲୋକଙ୍କ ଜୀବନଜୀବିକା ସହ ସଂପୃକ୍ତ ଥିବା ଜୋନକୁ ବନ୍ଦ କରି ଜୟପୁର ସହରକୁ ଅସମ୍ମାନୀତ କରିବା ବନ୍ଦ କରାଯାଉ। ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି କହିଛନ୍ତି ଶ୍ରୀ ନନ୍ଦ। କିଏ ଭୁଲ କଲା ବୋଲି ଜୋନକୁ ବନ୍ଦ କରି ଜୟପୁର ମାଟିକୁ ଅସମ୍ମାନ ଆଦୌ ଗ୍ରହଣୀୟ ନୁହଁ ବୋଲି ବରିଷ୍ଠ ବୁଦ୍ଧିଜୀବୀ ମଂଚ ପକ୍ଷରୁ କୁହାଯାଇଛି।

ତୁରନ୍ତ ଜୋନ ଖୋଲି ଏଠାକାର ବସ ଚଳାଚଳ କରାନଗଲେ ଆନ୍ଦୋଳନ କରିବାକୁ ପଛାଇବୁନି। ଏ ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ମଂଚର ସଭାପତି ଇଂ.ନିର୍ମଳ ଚନ୍ଦ୍ର ମଲ୍ଲୀକ, କାର୍ଯ୍ୟକାରୀ ସଭାପତି ଡ.ଗଙ୍ଗାଧର ନନ୍ଦ, ମୁଖ୍ୟ ସଂଯୋଜକ ମୀନକେତନ ଦାଶ, କାର୍ଯ୍ୟନିର୍ବାହୀ ସଂପାଦକ ଗୀତା ପ୍ରକାଶ ମିଶ୍ର କହିଛନ୍ତି।

ଦୀପାବଳି ପରେ କିଛି ନିଷ୍ପତି ନିଆଯିବ ବୋଲି ଓଏସଆରଟିସି କର୍ମଚାରୀ ସଂଘର ସଭାପତି ବାଲା ରାୟ ପରିଚାଳନା ନିର୍ଦେଶକଙ୍କ ସହ ଗତକାଲି ଆଲୋଚନା ବେଳେ କହିଥିବା କହିଛନ୍ତି। ସଂପ୍ରତି ସମଗ୍ର ରାଜ୍ୟର ବସ ଗୁଡିକର ରୁଟକୁ ନେଇ ଲିଜ୍ ଦେବା ପାଇଁ ଟେଣ୍ଡର ସରିଛି। ଏହା ଖୋଲିବା ପରେ କିଛି ପଦକ୍ଷେପ ନେଇ ପାରନ୍ତି। ଏହାରି ମଧ୍ୟରେ ୨୯ଜଣ ଚାଳକ ଟଙ୍କା ବାନ୍ଧି ସାରିଛନ୍ତି, ଅନ୍ୟ ମାନଙ୍କୁ ବି ଅନୁରୋଧ କରିଛି। ଯଦି ନ ବାନ୍ଧନ୍ତି ପରିଚାଳନା ନିର୍ଦେଶକ ପଦକ୍ଷେପ ନେଇ ପାରିବେ ବୋଲି କହିଛନ୍ତି ବାଲା ରାୟ।

ଜୋନ ବନ୍ଦ ହେବା ଏବଂ ସାଧାରଣ ଜନତା ପ୍ରଭାବିତ ହେବା ଠିକ୍ ନୁହେଁ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ତେବେ ଜୋନ ତୁରନ୍ତ ଖୋଲିବା ପାଇଁ ସେ ବ୍ୟକ୍ତିଗତ ଭାବେ ପରିଚାଳନା ନିର୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ଏବଂ ତୁରନ୍ତ ଖୋଲିବ। ଜୋନ ବନ୍ଦ ହେବା ପରେ ଶାସକ ଦଳରେ ରହିଥିବା ନେତା ମାନେ ହିଁ ଆନ୍ଦୋଳନ କରିବା ସହ ପରିଚାଳନା ନିର୍ଦେଶକଙ୍କ ସହ ଆଲୋଚନା ବି କରିଥିଲେ। ଏହାକୁ ନେଇ ରାଜନୀତି ନ କରି କିଭଳି ଖୋଲିବ ସେ ଦିଗରେ ପ୍ରୟାସ କରିବା ଆବଶ୍ୟକ ବୋଲି ବିଧାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe