ସୁନ୍ଦରଗଡ଼ରେ ଖୋଲିବ ଆଦର୍ଶ କୃଷି ଉଦ୍ୟୋଗ କେନ୍ଦ୍ର, ପରିଚାଳନା ପାଇଁ ଓୟୁଏଟିରେ ଆରମ୍ଭ ହେବ ବର୍ଷିକିଆ ସାର୍ଟିଫିକେଟ କୋର୍ସ

ଓମ୍ବାଡସି ସହାୟତାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା

ସୁନ୍ଦରଗଡ଼ରେ ଖୋଲିବ ଆଦର୍ଶ କୃଷି ଉଦ୍ୟୋଗ କେନ୍ଦ୍ର, ପରିଚାଳନା ପାଇଁ ଓୟୁଏଟିରେ ଆରମ୍ଭ ହେବ ବର୍ଷିକିଆ ସାର୍ଟିଫିକେଟ କୋର୍ସ

Sambad

ଭୁବନେଶ୍ଵର: ରାଜ୍ୟରେ କୃଷି ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ଗ୍ରାମୀଣ ଯୁବଗୋଷ୍ଠୀଙ୍କୁ ଏଥିଲାଗି ଆବଶ୍ୟକ ତାଲିମ ଓ ବୈଷୟିକ ସହାୟତା ଯୋଗାଇ ଦେବା ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ଏବଂ ଓମ୍ବାଡସିର ଆର୍ଥିକ ସହାୟତାରେ ଚାଲିଥିବା ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଓମ୍ବାଡସି ଓଭରସାଇଟ୍ ଅଥରିଟି ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ। ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଠାରେ ପ୍ରଥମ ଆଦର୍ଶ କୃଷି ଉଦ୍ୟୋଗ କେନ୍ଦ୍ରର ପ୍ରତିଷ୍ଠା ହେବାକୁ ଯାଉଛି। ଆଗାମୀ
ସେପ୍ଟେମ୍ବର ମାସ ସୁଦ୍ଧା ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ଲାଗି ଜଷ୍ଟିସ ପଟ୍ଟନାୟକ ସମୀକ୍ଷା ବୈଠକ ବେଳେ ପରାମର୍ଶ ଦେଇଛନ୍ତି।

ବୁଧବାର ଭୁବନେଶ୍ଵର ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ଓମ୍ବାଡସି ସହାୟତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ଓମ୍ବାଡସି ସହାୟତାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଚାଲିଥିବା ରାଜ୍ୟର ୮ଟି ଜିଲ୍ଲାରେ ଥିବା ରିଜିଓନାଲ୍ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେସନରେ (ଆର୍‌ଆର୍‌ଟିଟିଏସ୍) ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଏବଂ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ଏଥିଲାଗି ଆବଶ୍ୟକ ଭିତ୍ତିଭୂମି ବିକାଶ କରାଯିବ। ଏହି କୃଷି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଲାଗି ୨୦୨୩-୨୪ ଆର୍ଥିକ ବର୍ଷରେ ୬୭.୩୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଓୟୁଏଟିର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସନତ ମିଶ୍ର ସୂଚନା ଦେଇ କହିଥିଲେ ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୃଷି ଉଦ୍ୟୋଗର ସୃଷ୍ଟି ପାଇଁ କୃଷକ ଓ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ଲାଗି ଖସଡ଼ା ପ୍ରସ୍ତୁତ ହୋଇଛି। ଏହା ସହିତ ପ୍ରକଳ୍ପ ନିର୍ମାଣ ଲାଗି ଡିଜାଇନ ଚୂଡ଼ାନ୍ତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଲାଗୁ କରିବା ପାଇଁ ଆବଶ୍ୟକ ସହଯୋଗୀ ସଂସ୍ଥା ଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଛି। ସେହିପରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗ୍ରାମୀଣ ଯୁବଚାଷୀ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଏକ ବର୍ଷିକିଆ କୃଷି ଉଦ୍ୟୋଗୀ ପାଠ୍ୟକ୍ରମ ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଯାଉଛି। ଏହି ପାଠ୍ୟକ୍ରମରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ପାଳନ ଓ ମତ୍ସ୍ୟପାଳନ ଆଦି ବିଷୟକୁ ସାମିଲ କରାଯାଇଛି।

publive-image

ଏହି ତାଲିମପ୍ରାପ୍ତ ଯୁବଉଦ୍ୟୋଗୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଓ ସହାୟତା ଦିଆଯିବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆପିକଲ୍‌ ସହ ସମନ୍ଵୟ ରଖି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଓଭରସାଇଟ୍ ଅଥରିଟି ଜଷ୍ଟିସ ପଟ୍ଟନାୟକ ଓମ୍ବାଡସି ସିଇଓଙ୍କୁ ପରାମର୍ଶ ଦେଇଥିଲେ। କୃଷି ଉଦ୍ୟୋଗ ବିକାଶ ଓ ପରିଚାଳନା ବାବଦରେ ଅଧିକ ଜ୍ଞାନ ଆହରଣ ପାଇଁ ଓୟୁଏଟିର ବୈଜ୍ଞାନିକ ଓ ଅଧିକାରୀମାନେ ତାମିଲନାଡୁ କୃଷି ବିଶ୍ଵବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଚାଲିଥିବା ଇନ୍‌କ୍ୟୁବେସନ ମଡେଲ ଅନୁଧ୍ୟାନ କରିବାକୁ ଓଭରସାଇଟ୍‌ ଅଥରିଟି ପରାମର୍ଶ ଦେଇଥିଲେ। ଓଡ଼ିଶାରେ ହେବାକୁ ଥିବା ଆଦର୍ଶ କୃଷି ଉଦ୍ୟୋଗ କେନ୍ଦ୍ରରେ ତା’ର ପ୍ରୟୋଗ କରିବାକୁ ଜଷ୍ଟିସ ପଟ୍ଟନାୟକ କହିଥିଲେ। ସେହିପରି କୃଷି କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ପଶ୍ଚିମବଙ୍ଗ ଓ କେରଳ ଭଳି ରାଜ୍ୟ ପରିଦର୍ଶନ କରିବା ପାଇଁ ସେ ଓୟୁଏଟି ଅଧିକାରୀ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଓମ୍ବାଡସି ସିଇଓ ଜି. ରାଜେଶ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିରେ ଓୟୁଏଟି କୁଳପତି ପ୍ରଫେସର ପିକେ ରାଉଳ, ଏକ୍ସେଟେନ୍‌ସନ ଏଜୁକେସନ୍‌ର ଡିନ୍ ଡକ୍ଟର ପ୍ରସନଜିତ୍‌ ମିଶ୍ର ଭାଗ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓମ୍ବାଡସି ଓଭରସାଇଟ୍‌ ଅଥରିଟିଙ୍କ ଓଏସ୍‌ଡି ଶେଖ ନଇମୁଦ୍ଦିନ ଏବଂ ଦ୍ୱିପାୟନ ପଟ୍ଟନାୟକ, ଓମ୍ବାଡସିର ଜେନେରାଲ ମ୍ୟାନେଜର (ପ୍ରଶାସନ) ସୁଧାକର ବୁର୍ଗି, ଜେନେରାଲ ମ୍ୟାନେଜର (ଅପରେସନ) ଜୟନ୍ତ କୁମାର ଦାସ ଓ ଟିମ୍ ଲିଡର ଅମ୍ବଜ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe