ବିଲରେ ପଡ଼ିଛି କଟା ଧାନ:ଦାଉ ସାଜିଲା ଅଦିନିଆ ବର୍ଷା, ଚିନ୍ତାରେ ଚାଷୀ

Advertisment

କ୍ଷୟକ୍ଷତିର ଆକଳନ ପରେ କ୍ଷତିପୂରଣ ପ୍ରଦାନ ନେଇ ଆଶା ଦେଲା ବିଭାଗ

କ୍ଷୟକ୍ଷତିର ଆକଳନ ପରେ କ୍ଷତିପୂରଣ ପ୍ରଦାନ ନେଇ ଆଶା ଦେଲା ବିଭାଗ

ବିଲରେ ପଡ଼ିଛି କଟା ଧାନ:ଦାଉ ସାଜିଲା ଅଦିନିଆ ବର୍ଷା, ଚିନ୍ତାରେ ଚାଷୀ

ବାରିପଦା: ଧାନ କଟା ହୋଇ ବିଲରେ ପଡ଼ିଛି। ଖଳାକୁ ଉଠାହୋଇପାରିନାହିଁ। ମାତ୍ର ଅଦିନିଆ ବର୍ଷା ଦାଉ ସାଜିଲା। ଯାହାକି ଚାଷୀଭାଇଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଏବେ କେମିତି ପାଣି ଜମିଥିବା ବିଲରୁ ଅମଳ କରିବେ ତାକୁ ନେଇ ଅକଳରେ ପଡ଼ିଛନ୍ତି ଚାଷୀ। ପୁଣି ଧାନର ମାନ ଠିକ ନରହିଲେ ବିକ୍ରିବେଳେ ଅସୁବିଧା। ଏମିତି ବିଭିନ୍ନ କଥାକୁ ନେଇ ଘାରି ହେଉଛନ୍ତି ଚାଷୀ। ଜିଲ୍ଲାର ପ୍ରାୟ ୨୧ଟି ବ୍ଲକ୍ରେ ଗତ ୩ ଦିନ ହେବ ସନ୍ଧ୍ୟାରେ ଏବଂ ଆଜି ସକାଳେ ହୋଇଥିବା ଅଦିନିଆ ବର୍ଷା ସମସ୍ୟା ଆଣିଥିବା ପରିଲକ୍ଷିତ ହୋଇଛି। ପାଣିପାଗ ବିଭାଗର ରିପୋର୍ଟ ଆଧାରରେ ନଭେମ୍ବର ୧୯ରେ ଜିଲ୍ଲାରେ ହାରାହାରି ୪୨ ମି.ମି ବର୍ଷା ହୋଇଥିବା ବେଳେ ଜାମଦା ବ୍ଲକରେ ସର୍ବାଧିକ ୩୦ ମି.ମି. ଓ ଶୁଳିଆପଦା ବ୍ଲକରେ ସର୍ବନିମ୍ନ ୪ ମିମି ବର୍ଷା ରେକର୍ଡ କରାଯାଇଥିଲା । ସେହିପରି ଗତକାଲି (ନଭେମ୍ବର ୨୦)ରେ ଜିଲ୍ଲାରେ ହାରାହାରି ୩୪ ମିମି ବର୍ଷା ରେକର୍ଡ କରାଯାଇଥିବା ସମୟରେ ସାରସକଣା ବ୍ଲକରେ ସର୍ବାଧିକ ୧୭ ମିମି ଓ ମୋରଡ଼ା ବ୍ଲକରେ ସର୍ବନିମ୍ନ ୩ ମିମି ବୃଷ୍ଟିପାତ ହୋଇଥିଲା ।

କିନ୍ତୁ ଆଜି ଜିଲ୍ଲାରେ ହାରାହାରି ୫୫୪.୪୦ ମିମି ବର୍ଷା ହୋଇଥିବା ବେଳେ ବିଜାତଳା ବ୍ଲକରେ ୫୫ମିମି., ବାଙ୍ଗିରିପୋଷିରେ ୫୧.୨ମିମି, ଶୁଳିଆପଦାରେ ୫୧, ରାଇରଙ୍ଗପୁରରେ ୫୦, ବାରିପଦା ଓ ରାସଗୋବିନ୍ଦପୁର ବ୍ଲକରେ ୪୦, ଯଶୀପୁରରେ ୩୨.୨, ଶାମାଖୁଣ୍ଟାରେ ୩୨, ବିଶୋଇରେ ୩୦ ଓ ତିରିଂ ବ୍ଲକରେ ୨୫.୨୦ମିମି ବୃଷ୍ଟିପାତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାର ୨୬ଟି ବ୍ଲକ୍ ମଧ୍ୟରୁ ଖୁଣ୍ଟା, ଜି.ବି.ନଗର, ଉଦଳା, ରାଇରଙ୍ଗପୁର ଓ ରରୁଆଁ ବ୍ଲକ୍କୁ ବାଦ ଦେଇ ଅନ୍ୟ ୨୧ ଟି ବ୍ଲକ୍ରେ ହୋଇଥିବା ଅଦିନିଆ ବର୍ଷା ଖରିଫ ଧାନ ଫସଲ ଅମଳ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି। ଧାନ ଅମଳ ନେଇ ସମସ୍ୟାରେ ପଡ଼ିଛନ୍ତି ଚାଷୀ।

publive-image

କରୋନା ମହାମାରୀ ସମୟରେ ଖରିଫ ଧାନ ଉପରେ ବହୁତ ନିର୍ଭର କରିଛନ୍ତି ଚାଷୀକୁଳ। ତେବେ ଗତ ୩ଦିନର ବର୍ଷା ଫଳରେ ବିଲରେ କଟା ଯାଇଥିବା ଧାନକୁ ପାଣିରୁ ଛାଣି ହିଡ଼ରେ ଜମା କରୁଥିବା ଦେଖିବାକୁ ମିଳିଛି। ଶ୍ୟାମାଖୁଣ୍ଟା ବ୍ଲକ୍ର କାଳିଆ ସିଂ, ବାଲା ସିଂ, ଜର୍ମାନ ସିଂ, ନାଲୁ ମହାନ୍ତ, ଦିବାକର ମହାନ୍ତ, ଶିରିଶ ବେହେରା, ନିର୍ମଳ ସିଂ, ରାଜାରାମ ସିଂ ପ୍ରମୁଖ ଚାଷୀମାନଙ୍କ ଧାନ ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରକାଶ କରିଛନ୍ତି। ଏନେଇ କ୍ଷୟକ୍ଷତିର ସଠିକ ଆକଳନ ନିମନ୍ତେ ଦାବି ହୋଇଛି। ଏସମ୍ପର୍କରେ ଜିଲ୍ଲା କୃଷି ବିଭାଗର ମୁଖ୍ୟ ଅଧିକାରୀ ଦାମୋଦର ସେଠୀ କହିଛନ୍ତି ଯେ ଅଦିନିଆ ବର୍ଷାକୁ ନେଇ ଚାଷୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା । ଯେଉଁମାନେ ଫସଲ ବୀମା କରାଇଛନ୍ତି, ସେମାନଙ୍କୁ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ମିଳିବ । ଏଥି ସହିତ ଯେଉଁମାନେ ଫସଲ ବୀମା କରି ନାହାନ୍ତି ସେମାନେ ଧାନ ଗଛକୁ ବିଲରୁ ଆଣି ହିଡ଼ରେ ଶୁଖାଇବାକୁ କରାମର୍ଶ ଦେବା ସହିତ ଚାଷୀମାନେ ସେମାନଙ୍କ କ୍ଷୟକ୍ଷତି ସମ୍ପର୍କରେ କୃଷି ବିଭାଗ ନିକଟରେ ଆବେଦନ କରିବା ପରେ ଏକ ମିଳିତ ଅନୁଧ୍ୟାନ କରାଯାଇ କ୍ଷୟକ୍ଷତି ଆକଳନ କରାଯିବ। ସରକାରଙ୍କୁ ରିପୋର୍ଟ ଦିଆଯିବ ଓ ତଦନୁଯାୟୀ ଚାଷୀମାନଙ୍କୁ କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ସେଠୀ ଆଶା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe