ମଣ୍ଡି ବନ୍ଦ: ଧାନ ନେଇ ଘରକୁ ଫେରି‌ଲେ ଚାଷୀ

Advertisment
ମଣ୍ଡି ବନ୍ଦ: ଧାନ ନେଇ ଘରକୁ ଫେରି‌ଲେ ଚାଷୀ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ମଣ୍ଡିରେ ଧାନକିଣା ବନ୍ଦ ଯୋଗୁଁ ଚାଷୀମାନେ ଧାନ ନେଇ ପୁଣି ଘରକୁ ଫେରିଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନା ଅନୁସାରେ ଡିସେମ୍ବର, ୨୬, ୩୦ ଓ ଜାନୁଆରି ୨ ତାରିଖରେ ଧାନ କିଣିବା ପାଇଁ ଘଟଗାଁ, ବୀଣାଝରୀ, କେନ୍ଦୁଆପଦା, ନଳବିଲା, କୋଳିପଶି, ମଣତା ଓ ତରା ଗ୍ରାମର ୭୦ରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଟୋକନ ଦିଆଯାଇଥିଲା। ୨୬ ତାରିଖରେ କିଛି ଚାଷୀଙ୍କ ଧାନ କିଣାଯାଇଥିବା ବେଳେ ୩୦ ତାରିିଖ ଓ ଆଜି ଜଣେ ହେଲେ ବି ଚାଷୀଙ୍କ ଧାନ କିଣାଯାଇ ନଥିଲା। ମଣ୍ଡି କର୍ମଚାରୀ ଧାନ କିଣିବାକୁ ମନା କରିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ‌ପରିଚାଳନା ନିର୍ଦ୍ଦେଶକଙ୍କୁ ଘେରାଉ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଗତବର୍ଷ ବୀଣାଝରୀ ଗ୍ରାମର ଚାଷୀ ସଂଜୀବ ସାହୁ ଧାନର ଅଭାବୀ ବିକ୍ରି ନେଇ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ହୋଇଥିଲା। ଶ୍ରୀ ସାହୁ ୨୦ ହଜାର ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଥିଲେ। ମାତ୍ର ଏଯାଏ ଏହି ମାମଲାର ସମାଧାନ ହୋଇନି। ଆଜି ପୁଣି ସେ ଅଭାବୀ ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ସେହିପରି ଆଦୌ ଚାଷଜମି ନଥିବା ଜଣେ ବ୍ୟକ୍ତି ୫୩ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଆଜି ତରା ଗ୍ରାମର ରଶ୍ମି ରାଉତ, ମଣତା ଗ୍ରାମର ହରେକୃଷ୍ଣ ସାହୁ, କୋଳିପଶିର ପ୍ରେମାନନ୍ଦ ବେହେରା, ବୀଣାଝରୀର ସଂଜୀବ ସାହୁ, ନିର୍ମଳ ସାହୁ, ବିଜୟ ସାହୁ, କରୁଣା ସାହୁ, ଭରତ ସାହୁ ଓ ନିକୁଞ୍ଜ ସାହୁ ପ୍ରମୁଖ ଧାନ ବିକ୍ରି ନକରି ଫେରିଥିବା ଜଣାପଡ଼ିଛି।

publive-image

ଏ ସମ୍ପର୍କରେ ଏମ୍‌ଡି ଅକ୍ଷୟ ମହାନ୍ତଙ୍କୁ ପଚାରିବାରୁ, ୨୬ ତାରିଖରେ ୫୪୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଅର୍ଡର ମିଳିଥିଲା। ସେଥିରୁ ୫୨୦୯ କୁଇଣ୍ଟାଲ ଧାନ କିଣା ସରିଲାଣି। ମାତ୍ର ଚାଷୀଙ୍କୁ ୭୧୯୮ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଟୋକନ ଦିଆଯାଇଛି। ଅଧିକ ୨୨୦୦ କୁଇଣ୍ଟାଲ ଧାନ ଆମେ କେମିତି କିଣିବୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ମିଲରମାନେ ଧାନ କିଣିବା ପାଇଁ ଅଗ୍ରିମ ଡିପୋଜିଟ କରିବା ପରେ ଟୋକନ ଇସ୍ୟୁ ହୋଇଥାଏ। ମାତ୍ର ଆଜି ଏଭଳି ସମସ୍ୟା କାହିଁକି ଉପୁଜିଲା ତାହାର ତଦନ୍ତ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe