Image Courtesy of Zee News
ନିଶ୍ଚିନ୍ତକୋଇଲି: ଗତ ଦୁଇବର୍ଷ ହେଲା ମହାମାରୀ କରୋନା ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ବିଶେଷ କରି, ଚାଷ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ଘୋର ଆର୍ଥିକ ଅନଟନରେ ଗତି କରୁଛନ୍ତି। ଏଭଳି ସ୍ଥିତି ସହ କୃଷିପ୍ରଧାନ ଅଞ୍ଚଳ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ରେ ଦୁଇବର୍ଷ ହେଲା ଜଳବାୟୁରେ ଅନିୟମିତତା ଯୋଗୁଁ ଲାଭଦାୟକ ଫସଲ ମୁଗ, ବିରି, କୋଳଥ ଚାଷ କରି ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଫଳରେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଓ ଗାଁ ମହାଜନଙ୍କ ନିକଟରୁ ଆଣିଥିବା ଋଣ ପରିଶୋଧ ହୋଇପାରୁ ନାହିଁ। ଚଳିତବର୍ଷ ଅନୁକୂଳ ପାଗ ଥିବାରୁ ବ୍ଲକ୍ ଅଞ୍ଚଳର ଚାଷୀମାନେ ଖରିଫ ଧାନଚାଷ କରି କିଛିଟା ଲାଭ ପାଇବେ ବୋଲି ଆଶା କରିଥିଲେ। ଏଥିନିମନ୍ତେ ଚାଷୀମାନେ କ୍ଷେତ ପ୍ରସ୍ତୁତ କରି ରଖିଛନ୍ତି। ହେଲେ, ଅକ୍ଷୟ ତୃତୀୟାର ଦୀର୍ଘଦିନ ପରେ ବି ଧାନ ବିହନ ନ ଥିବାରୁ ଅଞ୍ଚଳର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବା ଦେଖିବାକୁ ମିଳିଛି।
ପ୍ରକାଶଥାଉ କି, ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ୪୧ ପଞ୍ଚାୟତରେ ଚଳିତବର୍ଷ ୧୪ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ ୧୦୦ ହେକ୍ଟର ଜମି ବୁଆ ପଡ଼ିବାର ଥିଲା ବେଳେ ୧୩ ହଜାର ୯୦୦ ହେକ୍ଟର ଜମିରେ ରୁଆପୋତା ହୋଇଥାଏ। ଅକ୍ଷୟ ତୃତୀୟା ପରେ ଚାଷୀମାନେ ଖାଲୁଆ ଜମିରେ ବୁଆ ବୁଣିବା ଏବଂ ଉପର ଜମିରେ ତଳି ପକାଇଥା'ନ୍ତି। କିନ୍ତୁ ବିହନ ନ ଥିବାରୁ କ୍ଷେତ ପ୍ରସ୍ତୁତ ହୋଇ ସାରିଥିଲେ ମଧ୍ୟ ଚାଷକାର୍ଯ୍ୟ ଆରମ୍ଭ ହୋଇପାରୁ ନ ଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ବ୍ଲକ୍ରେ ଧାନଚାଷ ପାଇଁ ୭ ହଜାର କ୍ବିଣ୍ଟାଲ ବିହନର ଆବଶ୍ୟକତା ରହିଛି। ଅଞ୍ଚଳର ୧୩ଟି ସୋସାଇଟି ଓ ୫ଜଣ ଡିଲର୍ଙ୍କ ମାଧ୍ୟମରେ ସରକାରୀ ବିହନ ବିକ୍ରି ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ୧୦୧୮, ୧୦୦୯, ପୂଜା, ସ୍ବର୍ଣ୍ଣ, ସାରଳା, ରାଣୀ ଧାନ, କଳା ଚମ୍ପା ଆଦି କିସମର ଧାନ ବିହନ ପାଇଁ କୃଷି ବିଭାଗ ପକ୍ଷରୁ ଇଣ୍ଡେଣ୍ଟ କରାଯାଇଛି। ହେଲେ, ବର୍ତ୍ତମାନସୁଦ୍ଧା କେହି ବିହନ ଉଠାଇ ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବ୍ଲକ୍ କୃଷି ଅଧିକାରୀ ସିଦ୍ଧାର୍ଥ ସାରଥି ପରିଡ଼ାଙ୍କୁ ପଚାରିବାରୁ ଖୁବ୍ଶୀଘ୍ର ବିହନ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି।
Follow Us