ଓଡ଼ିଶାର ଅସ୍ମିତାକୁ ନେଇ ରାଜନୀତି ନହେଉ; ରାଜ୍ୟ ପାଇକ ଆଖଡ଼ା ମହାସଂଘ

ଓଡ଼ିଶାର ଅସ୍ମିତାକୁ ନେଇ ରାଜନୀତି ନହେଉ; ରାଜ୍ୟ ପାଇକ ଆଖଡ଼ା ମହାସଂଘ

Sambad

ଖୋର୍ଦ୍ଧା: ଖୋର୍ଦ୍ଧାର ଐତିହାସିକ ବରୁଣେଇ ପା‌ଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ସମଗ୍ର ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ପ୍ରତୀକ। ଏହାର ନିର୍ମାଣ ବିଳମ୍ବକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଦୋଷାରୋପ କରିବା ଛାଡ଼ନ୍ତୁ। ଓଡ଼ିଆ ଅସ୍ମିତାକୁ ନେଇ ରାଜନୀତି ନହେଉ ବୋଲି ଆଜି ଗୁରୁବାର ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ କୁହାଯାଇଛି। ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ତଳସାହି ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣରେ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି। ୨୦୧୯ ଡିସେମ୍ବର ୮ ତାରିଖରେ ଦେଶର ରାଷ୍ଟ୍ରପତି ଏହି ସ୍ମାରକୀର ଶିଳାନ୍ୟାସ କରିଥିଲେ। ପାଇକ ସ୍ମାରକୀ ପାଇଁ ରାଜ୍ୟସରକାର ୯.୫ ଏକର ଜମିରୁ ୩୨ କୋଟି ଟଙ୍କା ପ୍ରିମିୟମ ଛାଡ଼ କରିବା ସହ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ୯୦ କୋଟି ଟଙ୍କା ଅନୁଦାନ ଦେଇଛି। ଏହାପରେ ସଂଘ ପକ୍ଷରୁ ବିଜୟ ଉତ୍ସବ ପାଳନ କରା ଯାଇଥିଲା। ଉଭୟ ରାଜ୍ୟ ଓକେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଦିଆଯାଇଥିଲା। କିନ୍ତୁ, ଏହାପରେ ବିଭିନ୍ନ କାରଣ ଯୋଗୁଁ ଏହାର ନିର୍ମାଣରେ ବିଳମ୍ବ ହୋଇଆସୁଛି।

ଏନେଇ ସଂଘ ପକ୍ଷରୁ ଅନେକ ଥର ଦାବିପତ୍ର, ଖୋର୍ଦ୍ଧା, ଭୁବନେଶ୍ବର ଆଦି ସ୍ଥାନରେ ପାଇକ ଜନଗର୍ଜନ ସମାବେଶ ଆଦି ଆୟୋଜିତ ହୋଇଛି। ବର୍ତ୍ତମାନ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଯଥାଶ୍ରୀଘ୍ର ଆରମ୍ଭ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର ଦିଆଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହାସହ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା, ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରିବା, ଖୋର୍ଦ୍ଧା ଗଡ଼ର ପୁନରୁଦ୍ଧାରରେ ଆଗ୍ରହ ନଦେଖାଇବା ଅତ୍ୟନ୍ତ ଦୁଃଖ ଓପରିତାପର ବିଷୟ। ସରକାରଙ୍କ ଏହି ପ୍ରସଙ୍ଗ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଆସନ୍ତା ୧୮ ତାରିଖ ସକାଳ ୧୦ଟାରେ ଖୋର୍ଦ୍ଧାର ବରୁଣେଇ ପୀଠରୁ ପୁଣି ଏକ ଜନଗର୍ଜନ ସମାବେଶ ଦିଲ୍ଲୀ ଯିବ। ଏହାସହ ସମଗ୍ର ରାଜ୍ୟରେ ଜନଜାଗରଣ ସମାବେଶ ଆୟୋଜନ କରାଯିବ ବୋଲି ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ ଓ ମୁଖ୍ୟ ସଂଯୋଜକ ନରେନ୍ଦ୍ର କୁମାର ପୃଷ୍ଟି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe