କରୋନା ବେଳେ ବେଳାଭୂମିରେ ପଲ୍ଲିଶ୍ରୀ ମେଳା: ସନ୍ଧ୍ୟା ହେଲେ ଭିଡ଼ ଜମୁଛି, ଅଧିକାଂଶ ବିନା ମାସ୍କରେ

Advertisment
କରୋନା ବେଳେ ବେଳାଭୂମିରେ ପଲ୍ଲିଶ୍ରୀ ମେଳା: ସନ୍ଧ୍ୟା ହେଲେ ଭିଡ଼ ଜମୁଛି, ଅଧିକାଂଶ ବିନା ମାସ୍କରେ

Sambad

ଜଗତସିଂହପୁର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ଧୀରେ ଧୀରେ କଡ଼ ଲେଉଟାଉଛି। ଏଣୁ ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଗତକାଲିଠାରୁ ଜିଲ୍ଲା ପ୍ରଶାସନ, ଓର୍‌ମାସ୍‌ ଓ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗର ମିଳିତ ଉଦ୍ୟମରେ ପାରାଦୀପ ‌ବେଳାଭୂମିରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା। ଅପରାହ୍ନରୁ ମେଳାରେ ଲୋକମାନଙ୍କ ଭିଡ଼ ଜମିବା ଆରମ୍ଭ ହେଉଛି। ସନ୍ଧ୍ୟା ହେଲେ ଅସମ୍ଭବ ଭିଡ଼ ହେଉଛି। ମାତ୍ର ବର୍ତ୍ତମାନ କରୋନା ସଂକ୍ରମଣଙ୍କ ସଂଖ୍ୟା ଭୟଙ୍କର ଭାବେ ବଢ଼ିବାରେ ଲାଗିଛି। ଏହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଳାରେ ଯଦି ସଂକ୍ରମଣ ବଢ଼େ, ତେ‌ବେ ଏଥିପାଇଁ ଦାୟୀ କିଏ ରହିବ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଲେଣି।

ଅପରାହ୍ନରେ ବେଳାଭୂମିକୁ ସ୍ବାଭାବିକ ଭାବେ ‌ବନ୍ଦର ନଗରୀବାସୀ ସମୟ ଅତିବାହିତ କରିବାକୁ ଆସନ୍ତି। ମାତ୍ର ପଲ୍ଲିଶ୍ରୀ ମେଳା ଯୋଗୁଁ ଏଠାରେ ‌ଏବେ ଶହଶହ ଲୋକଙ୍କ ଭିଡ଼ ଜମୁଛି। କେବଳ ପାରାଦୀପ ନୁହେଁ ଉପକଣ୍ଠ ଗାଁ ଗୁଡ଼ିକରୁ ମଧ୍ୟ ଲୋକମାନେ ଆସୁଛନ୍ତି। ବିଶେଷ କରି ମେଳାରେ ପଡ଼ିଥିବା ଘର କରଣା ଜିନିଷ ବିକ୍ରି ଷ୍ଟଲ ଗୁଡ଼ିକରେ ମହିଳାମାନଙ୍କର ନାହିଁ ନଥିବା ଭିଡ଼ ଜମୁଛି। ମେଳାର ଗେଟ୍ ପାଖରେ ନିଯୁକ୍ତ ଦୁଇ ଜଣ ସୁରକ୍ଷାକର୍ମୀ କିନ୍ତୁ ମାସ୍କ ପିନ୍ଧିନଥିବା ଲୋକମାନଙ୍କୁ ତାଗିଦ୍‌ କରୁଛନ୍ତି। ଫଳରେ ବାଧ୍ୟରେ ସେମାନେ ମାସ୍କ ପିନ୍ଧି ଏହି ମେଳାକୁ ଆସୁଛନ୍ତି। ମାତ୍ର ଭିତର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା। ପ୍ରତ୍ୟେକ ଷ୍ଟଲରେ ଲୋକମାନେ ଖୁନ୍ଦାଖୁନ୍ଦି ହୋଇ ଛିଡ଼ା ହୋଇ ରହିଛନ୍ତି।

ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନାହିଁ। ଏହା ମଧ୍ୟରେ ଲୋକମାନେ ଖୋଲାଖୋଲି ଭାବେ ଛିଙ୍କୁଛନ୍ତି। ସତେ ଯେମିତି କାହାରି ଚିନ୍ତା ନାହିଁ। ଏପଟେ ଓମିକ୍ରନ୍ ବ୍ୟାପୁଥିବାରୁ ରାଜ୍ୟ ସରକାର କରୋନା କଟକଣାକୁ କଡ଼ାକଡ଼ି କରୁଛନ୍ତି। ନାଇଟ୍ କର୍ଫ୍ୟୁ ସାଙ୍ଗକୁ ପିକ୍‌ନିକ୍‌ ଉପରେ କଟକଣା ଲଗାଯାଉଛି। ମାତ୍ର ଏପରି ମେଳା ଆୟୋଜନ କରି ଶତାଧିକ ଲୋକଙ୍କୁ ଏକାଠି କରିବାର ପ୍ରକୃତ ଅର୍ଥ କ’ଣ ତାହା ବୁଝି ହେଉ ନାହିଁ। ପାରାଦୀପ ଏକ ଏମିତି ଜାଗା ଏଠାରେ ଦେଶ ତଥା ଦେଶ ବାହାରର ଲୋକ ଆସି ରହୁଛନ୍ତି। ଯଦି କୌଣସି ଆକ୍ରାନ୍ତ ଏହି ଭିଡ଼ରେ ଆସନ୍ତି ଓ ତାଙ୍କ ଦ୍ବାରା କରୋନା ଭୂତାଣୁ ବ୍ୟାପେ, ତେବେ ଏଥିପାଇଁ ଦାୟୀ ରହିବ କିଏ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋରଂଜନ ଦାସ କୁହନ୍ତି ଯେ, ଦୈନିକ ୨୦୦ ତଳେ ରହୁଥିବା ସଂକ୍ରମଣ ଏବେ ୫୦୦ ମୁହାଁ ହେଲାଣି। ଏଭଳି ସ୍ଥିତିରେ ମୁକାବିଲା ପାଇଁ ସରକାର ମନ୍ଦିର ମସଜିଦଠାରୁ ଆରମ୍ଭ କରି ମେଳା ମହୋତ୍ସବ ଏପରିକି ବଣଭୋଜି ଉପରେ କଟକଣା ଲଗାଯାଇଛି। ମାତ୍ର ପାରାଦୀପ କ’ଣ ରାଜ୍ୟ ବାହାରେ। ଏଠାରେ କେମିତି ଏହି ମେଳା ଆୟୋଜନ କରାଯାଉଛି। ଯଦି କିଛି ବ୍ୟତିକ୍ରମ ହେଲା ଜିଲ୍ଲା ପ୍ରଶାସନ ଏଥିପାଇଁ ଦାୟୀ ରହିବେ କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe