ଢେଙ୍କାନାଳ: ଆଜି ଦିନ ୧୨.୩୦ରେ ୫-ଟି ସଚିବ ଭିକେ ପାଣ୍ଡିଆନ ଯୋରନ୍ଦା ମହିମା ପୀଠରେ ପହଞ୍ଚିଥିଲେ l ହେଲିକପଟର ଯୋଗେ ଯୋରନ୍ଦା ହାଇସ୍କୁଲ ପଡିଆରେ ଅବତରଣ କରିବା ପରେ ସ୍ୱତନ୍ତ୍ର ଗାଡ଼ିରେ ଆସି ମୁଖ୍ୟ ଗାଦ୍ଦି ମନ୍ଦିର ନିକଟରେ ପହଂଚିବା ପରେ ମନ୍ଦିରକୁ ଯାଇଥିଲେ l କୌପୁନି ସମାଜଙ୍କୁ ପ୍ରଦତ୍ତ ଜାଗା ଉପରେ ନିର୍ମିତ ସଭାସ୍ଥଳକୁ ଆସି ମୁଖ୍ୟମନ୍ତ୍ରୀ ତାଙ୍କୁ ଯୋରନ୍ଦା ପଠାଇ ସାଧୁମାନଙ୍କ ସମସ୍ୟା ବିଷୟରେ ବୁଝିବାକୁ କହିଛନ୍ତି ବୋଲି କହିଥିଲେ l ସଭା ମଣ୍ଡପରେ ଉଭୟ ବକଳ ଓ କୌପୁନି ସାଧୁମାନେ ଏକାଠି ରହିଥିଲେ l ମହିମା ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହା ଆବଶ୍ୟକ ରହିଛି ତାକୁ ପୂରଣ କରାଯିବ ବୋଲି ସାଧୁମାନଙ୍କୁ କହିଥିଲେ l କଲୁରିଆଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ପୋଲକୁ ମହିମା ସେତୁ ରୂପରେ ନାମିତ କରାଯାଇଛି ବୋଲି ଭିକେ ପାଣ୍ଡିଆନ କହିଥିଲେ |
କୌପୁନିଧାରୀଙ୍କ ମଠକୁ ଯାଇ ସାଧୁଙ୍କ ଆଶୀର୍ବାଦ ନେବା ପରେ ବକ୍କଳ ସମାଜଙ୍କ ବତୀ ମନ୍ଦିର, ଧୂନି ମନ୍ଦିର, କାଗଜ ଘର ଆଦି ପରିଦର୍ଶନ କରିବା ପରେ ବକ୍କଳ ସାଧୁଙ୍କ ବିଶ୍ୱନାଥ ବାବାଙ୍କ ଆମ୍ବମୂଳ ଆଶ୍ରମରେ ଭିକ୍ଷା ଅର୍ଥାତ ଭୋଜନ କରିବା ପରେ ଭୁବନେଶ୍ୱର ଫେରିଯାଇଛନ୍ତି l ଉଲ୍ଲେଖ ଥାଉ କି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋରନ୍ଦା ପୀଠକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତରିତ କରିବାକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି l ତେବେ ଉଭୟ ବକଳ ଓ କୌପୁନି ସମାଜ ସାଧୁମାନେ ସେମାନଙ୍କ ଭିତରେ ଆଉ ବିବାଦ ନାହିଁ ବୋଲି କହିଥିଲେ |
Follow Us