କୋରାପୁଟ ବିଜେପିରେ କମ୍ପନ, ୧୦ରେ ବିଜେପି ଛାଡିବେ ଜୟରାମ ପାଙ୍ଗୀ

ଦଣ୍ଡକାରଣ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଁ ଲଢିବେ

କୋରାପୁଟ ବିଜେପିରେ କମ୍ପନ, ୧୦ରେ ବିଜେପି ଛାଡିବେ ଜୟରାମ ପାଙ୍ଗୀ

Sambad English

କୋରାପୁଟ: କୋରାପୁଟ ବିଜେପିରେ କୋଣଠେସା ହୋଇ ରହିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ପୁଣି ଥରେ ଦଳ ଛାଡିବେ। ୨୦୧୭ରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପି ପକ୍ଷରୁ ଏମପି ଟିକେଟ୍‌ ପାଇ କୋରାପୁଟ ଲୋକସଭା ପାଇଁ ଲଢିଥିଲେ। ଦଳ ପକ୍ଷରୁ ତାଙ୍କୁ ସେପରି କୌଣସି ପଦପଦବୀ ଦିଆଯାଇ ନ ଥିବାରୁ ଜୟରାମ ପୁଣି ଦଳ ଛାଡି ଓଡ଼ିଶାକୁ ଭାଙ୍ଗି ଆଉ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ମନସ୍ଥ କରିଛନ୍ତି। ଚଳିତ ମାସ ୧୦ ତାରିଖ ପୂର୍ବରୁ ସେ ଦଳ ଛାଡି ଦଣ୍ଡକାରଣ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପାଇଁ ମଙ୍ଗ ଧରିବେ। ଗତକାଲି ଦଣ୍ଡକାରଣ୍ୟ ବିକାଶ ପରିଷଦ ଭାବେ ଏକ ଅନୁଷ୍ଠାନ ଗଢାଯାଇଥିବାବେଳେ ଅବିଭକ୍ତ କୋରାପୁଟ ଜିଲ୍ଲା, ବିଜୟନଗରମ ଓ ପାର୍ବତିପୂରମ ଜିଲ୍ଲାର କିଛି ଅଂଶକୁ ସେ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ସଂଗଠନ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁଭଳି ଭାବେ ଏହି ଅଞ୍ଚଳକୁ ବିକାଶ କରିବା କଥା ତାହା କରୁ ନାହାନ୍ତି। ରାଜନୀତିର ଅଭିସନ୍ଦିରେ ପଡି ଦଣ୍ଡକାରଣ୍ୟ ରାଜ୍ୟ ପ୍ରତିଷ୍ଠା ଦାବିକୁ ପୁଣି ଥରେ ଶାଣିତ କରିବାକୁ ଯାଉଛୁ। ଏବେ ରାଜ୍ୟ ବଦଳରେ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଯେଉଁମାନେ ନିଜସ୍ବ ଭାବେ ଯୋଗଦେବେ ସେମାନଙ୍କୁ ସ୍ବାଗତ କରିବୁ। ତେବେ ଏହି ଦଣ୍ଡକାରଣ୍ୟ ପ୍ରତିଷ୍ଠା ଦାବି ଆଜିର ନୁହେଁ ୪୦ବର୍ଷ ତଳର ଦାବି।

ସବୁକ୍ଷେତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ଛତିଶଗଡ ଓ ଆନ୍ଧ୍ରକୁ ମିଶାଇ ଗଠନ ହେବ ଦଣ୍ଡକାରଣ୍ୟ। ରାଜ୍ୟ ଦାବି ହେଲେ କ୍ଷତି ହେବା ଆଶଙ୍କା କରି କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ମନସ୍ଥ କରିଛନ୍ତି। କୋଟିଆ ବିବାଦଠାରୁ ଆରମ୍ଭ ଏଠିକାର ଲୋକଙ୍କର ଉନ୍ନତି ପାଇଁ ସରକାର ତ କିଛି କରୁନ୍ତାହାନ୍ତି। କୋଟିଆ ବିବାଦ ୧୯୬୧ରୁ ଆରମ୍ଭ ହୋଇଛି ତାହାର ସମାଧାନ ହୋଇପାରୁନି। ଯଦି କେନ୍ଦ୍ରଶାସିତ ଅଞ୍ଚଳ ହେବ ତେବେ ଏହି ବିବାଦ ସବୁଦିନ ପାଇଁ ଲୋପ ପାଇଯିବ। ଆମର ଉନ୍ନତି ପାଇଁ ଏହି ଦଣ୍ଡକାରଣ୍ୟ ଦାବି ରହିଛି ଓ ଆଗକୁ ରହିବ। ୪୪ ବର୍ଷ ବିଭିନ୍ନ ପାର୍ଟି ପାଇଁ କାମ କଲି ଏବେ ମାଟି ପାଇଁ କାମ କରିବାକୁ ସୁଯୋଗ ମିଳିଛି, ଆଉ ଏହାକୁ କରିବାକୁ ଯଦି ମୋ ପ୍ରାଣ ଆହୁତି ଦେବାକୁ ପଡେ ତେବେ ଏଥିପାଇଁ ପଛଘୁଞ୍ଚା ଦେବିନି। ଜୀବଦଶା ଥିବା ଯାଏ କୌଣସି ଦଳରେ ଯୋଗ ଦେବିନି। ଦଣ୍ଡକାରଣ୍ୟ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କାମ କରିବି ବୋଲି ସେ କହିଛନ୍ତି। ନିକଟରେ ଖୁବଶୀଘ୍ର ବାଇଲ ପ୍ରସ୍ତୁତ ହୋଇ ଆଇନଗତ ପଦକ୍ଷେପ ଗ୍ରହଣ ହେବ ବୋଲି ସେ କହିଛନ୍ତି।

ଦୀର୍ଘ ଦିନ ଧରି ବହୁବାର ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହିଥିବା ଆଦିବାସୀଙ୍କ ଉନ୍ନତି ହୋଇପାରିନି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ବହୁ କ୍ଷେତ୍ରରେ ଏବେ ବି ଏହି ଅଞ୍ଚଳ ପଛୁଆ। ସବୁର ଉନ୍ନତି ପାଇଁ ଆମକୁ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦିଆଯାଉ। ତେବେ ବିଜେଡିର ଜନ୍ମ ହେବା ଦିନଠାରୁ ଦଳର ମଙ୍ଗ ସମ୍ଭାଳିଥିବା ଜୟରାମ ପାଙ୍ଗୀ ୨୦୧୭ ମସିହା ମେ ମାସରେ ଦଳର ହାତ ଛାଡିଦେଇଥିଲେ। କୋରାପୁଟ ଜିଲ୍ଲାରେ ବିଜେଡି ଓ ବିଜେପିର ଚେହେରା ଥିଲେ ଜୟରାମ ପାଙ୍ଗୀ। ଏହା ପୂର୍ବରୁ ଦୀର୍ଘ ୪୦ ବର୍ଷ ହେଲା ସେ ଅଣ କ˚ଗ୍ରେସ ରାଜନୀତିର ନେତୃତ୍ବ ନେଇ ଆସୁଥିଲେ। ବିଜୁ ବାବୁଙ୍କ ନେତୃତ୍ବରେ ସେ ରାଜନୀତିକୁ ଆସିଥିଲେ। ଜନତା ଦଳ ସରକାରରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ବିଜୁ ଜନତା ଦଳ ଗଠନ ହେବା ପରେ ସେ ଏଥିରେ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ମାନିଥିଲେ। ବିଭିନ୍ନ ସମୟରେ ସେ ବିଜେଡିରୁ ବିଧାୟକ ଓ ସା˚ସଦ ହୋଇଛନ୍ତି। କୋରାପୁଟ ଓ ରାୟଗଡା ଜିଲ୍ଲାର ବିଜେଡି ସ˚ଗଠନରେ ତାଙ୍କର କର୍ତ୍ତୃତ୍ବ ରହିଥିଲା। ତେବେ ବିଜେପି ଦଳ ଛାଡି ଅନ୍ୟ କେଉଁଆଡେ ଗଲେ ଦଳ ପାଇଁ କିଛି ସମସ୍ୟା ହେବନି ବୋଲି ଜିଲ୍ଲା ବିଜେପିରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe