ରୋଜଗାରର ନୂଆ ଆଶା: ସାଢ଼େ ଦୁଇବର୍ଷ ପରେ ଆରମ୍ଭ ହେବ ପେପରମିଲ୍, ୨୫ରୁ ସ୍ଥାୟୀ କର୍ମଚାରୀଙ୍କୁ ଯୋଗ ଦେବାକୁ ବିଜ୍ଞପ୍ତି

Advertisment
ରୋଜଗାରର ନୂଆ ଆଶା: ସାଢ଼େ ଦୁଇବର୍ଷ ପରେ ଆରମ୍ଭ ହେବ ପେପରମିଲ୍, ୨୫ରୁ ସ୍ଥାୟୀ କର୍ମଚାରୀଙ୍କୁ ଯୋଗ ଦେବାକୁ ବିଜ୍ଞପ୍ତି

Sambad

ଜୟପୁର: କୋରାପୁଟ ଜିଲ୍ଲାର ଏକମାତ୍ର ଶିଳ୍ପାନୁଷ୍ଠାନ ବିଲଟ୍-ୟୁନିଟ-‌ସେବା ପେପରମିଲ୍ ଗତ ୨୦୧୯ ଏପ୍ରିଲରେ ଯନ୍ତ୍ରାଂଶ ମରାମତି ନାଁରେ ବନ୍ଦ ହୋଇଥିଲା। ସାଢ଼େ ଦୁଇବର୍ଷ ପରେ ଶୁଭ ଖବର ମିଳିଛି। ଏହି କମ୍ପାନୀର ମାଲିକାନା  ନେଇଥିବା ମଦର ଅର୍ଥ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡ୍ ୟୁନିଟ୍ ହେଡ୍ ଏସଏସପାଲ ଆସନ୍ତା ଡିସେମ୍ବର ୩୧ରୁ ମିଲ୍ ଚଲାଇବାକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାର ନକଲ ଜିଲ୍ଲାପାଳ, ଏସପି, ଜିଲ୍ଲାଶ୍ରମ କମିସନର, ଜିଲ୍ଲା ଶ୍ରମଅଧିକାରୀ, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, କମ୍ପାନିର ସବୁ ବିଭାଗୀୟ ମୁଖ୍ୟ, ବିଭିନ୍ନ ଶ୍ରମିକ ସଂଘର କାର୍ଯ୍ୟକାରୀ କମିଟିକୁ ଅବଗତ କରିଛନ୍ତି। ଏହାସହ କମ୍ପାନିରେ ଥିବା ୪ଟି ଶ୍ରମିକ ସଂଘ ସହ ଏ ନେଇ ବୈଠକ କରି ସୂଚନା ‌ବି ଦେଇଥିଲେ।

ଆସନ୍ତା ୨୫ ତାରିଖରୁ ସମସ୍ତ ସ୍ଥାୟୀ କର୍ମଚାରୀ ମାନେ ନିଜ ନିଜ ବିଭାଗରେ ଯୋଗ ଦେବାକୁ ନିର୍ଦେଶ ଦିଆଯାଇଛି। ଯେଉଁ ଶ୍ରମିକ ମାନେ ୨୫ ତାରିଖ ଦିନ ଯୋଗ ଦେଇ ପାରିବେ ନାହିଁ ସେମାନେ ଡିସେମ୍ବର ୧୦ ତାରିଖ ସୁଦ୍ଧା ଯୋଗ ଦେଇପାରିବେ। କମ୍ପାନି ପରିଚାଳନା କର୍ତ୍ତୃପକ୍ଷ ଡିସେମ୍ବର ୩୧ ସୁଦ୍ଧା ମିଲ୍ ଆରମ୍ଭ କରିବାକୁ ଯୋଜନା ରହିଥିବା ଉଲ୍ଲେଖ ରହିଛି। କର୍ମଚାରୀ ମାନେ ମିଲରେ କାମ କରିବା ସମୟରେ ସରକାର ଦେଇଥିବା ନିର୍ଦେଶ ମୁତାବକ କୋଭିଡ୍ -୧୯ ଗାଇଡ୍ ଲାଇନକୁ ପାଳନ କରିବେ। ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖିବେ। ଏହା ସହ କୋଭିଡ୍ ଟୀକାକରଣର ଶେଷ ପର୍ଯ୍ୟାୟ ସାର୍ଟିଫିକେଟ୍ ବି ମିଲ କାର୍ଯ୍ୟାଳୟରେ ଦାଖଲ କରିବେ।

ସୂଚନାଯୋଗ୍ୟ, ଏହାରି ମଧ୍ୟରେ କମ୍ପାନୀର ମାଲିକାନା ହାଇଦ୍ରାବାଦସ୍ଥିତ ମଦର ଅର୍ଥ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ ଅଧୀନରେ ରହିଛି। ଏହାର ପରିଚାଳନା କମିଟି କିଛି କମ୍ପାନୀର ରୋଲରେ ଥିବା ଶ୍ରମିକଙ୍କୁ ଫୋନ କରି ଡାକି ଡ୍ୟୁଟି କରାଉଥିଲେ। ଏହାକୁ ବିରୋଧ କରି ୪ଟି ଯାକ ଶ୍ରମିକ ସଂଗଠନ ଜିଲ୍ଲା ଶ୍ରମ କମିସନର ଓ ଜିଲ୍ଲାଶ୍ରମ ଅଧିକାରୀ, ଜୟପୁର ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ। ବାରମ୍ବାର ବୈଠକ ପରେ ବି ପରିଚାଳନା କମିଟି କିଛି ପଦକ୍ଷେପ ନେଉ ନଥିଲେ। ଗତକାଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ତୁରନ୍ତ କମ୍ପାନୀକୁ କାର୍ଯ୍ୟନ୍ବୟନ କରିବା ସହ ଏକକାଳୀନ ସମସ୍ତଙ୍କୁ ଡ୍ୟୁଟି ଦେବା ପାଇଁ ୟୁନିଟ୍‌ ହେଡ୍ ଶ୍ରୀ ପାଲଙ୍କ ସହ ଆଲୋଚନା କରିଥିଲେ। କମ୍ପାନୀ ସରକାରଙ୍କ ନିକଟରେ ବକେୟା ଥିବା ଜଳକର, ବିଦ୍ୟୁତକର ଆଦି ସହ କିଭଳି କମ୍ପାନି ଆରମ୍ଭ ହେବ ସେ ଦିଗରେ ସରକାରଙ୍କ ସହ ନିରନ୍ତର ଯୋଗଯୋଗରେ ଅଛନ୍ତି ବୋଲି ବିଧାୟକ ପରିଚାଳାନା କମିଟିକୁ ସୂଚନା ଦେଇଥିଲେ। ରାଜ୍ୟସରକାର ବି କମ୍ପାନି ଯେଭଳି ପୁନଃ କାର୍ଯ୍ୟକ୍ଷମ ହେବ ସେ ଦିଗରେ ପ୍ରୟାସରତ।

ଏହି ସ୍ଥିତିରେ ଶ୍ରମିକଙ୍କୁ ବାହାରେ ରଖିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ ପରିଚାଳନା କମିଟିର ୟୁନିଟ୍ ହେଡ଼ଙ୍କୁ ଅବଗତ କରିଥିଲେ। ଆଜି ପରିଚାଳନା କମିଟି ପକ୍ଷରୁ ୟୁନିଟ୍ ହେଡଙ୍କ ନେତୃତ୍ବରେ ୪ଟି ଯାକ ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କୁ ଡାକି ନଭେମ୍ବର ୨୫ରୁ କମ୍ପାନି ରୋଲରେ ଥିବା କର୍ମଚାରୀ ମାନେ ଯୋଗ ଦେବାକୁ ସୂଚନା ଦେବା ସହ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସଂଗଠନ ମାନଙ୍କର ପକ୍ଷରୁ ଅବସରପ୍ରାପ୍ତ ଶ୍ରମିକ କର୍ମଚାରୀ ମାନଙ୍କର ପିଏଫ୍, ପେନସନ, ଗ୍ରାଚ୍ୟୁଇଟି, ବକେୟା ପାଉଣା ହିସାବ କରିବା ଏବଂ ସମସ୍ତ କର୍ମଚାରୀଙ୍କୁ ପୂର୍ବଭଳି ଟ୍ରାନ୍ସପୋର୍ଟ ସହାୟତା କମ୍ପାନି ପକ୍ଷରୁ ଯୋଗାଇଦେବାକୁ ନିବେଦନ କରାଯାଇଥିଲା। ଶ୍ରମିକ କର୍ମଚାରୀ ସଂଗଠନ ପକ୍ଷରୁ ପ୍ରମୋଦ କୁମାର ମହାନ୍ତି, ଉମାଶଙ୍କର ଶତପଥୀ, ସନ୍ଦୀପ ପଟ୍ଟନାୟକ, ସରୋଜ ସୁଆର, ଉମା ପାଣିଗ୍ରାହୀ, ବାଳକୃଷ୍ଣ ପ୍ରଧାନ, ସୁଦର୍ଶନ ବିଷୋୟୀ, ମ୍ୟାନେଜମେଣ୍ଟର ଏଚଆର୍ ହେଡ୍ ଶ୍ରୀ ରମଣ ଯାଦବ ଉପସ୍ଥିତ ଥିଲେ। ବିଧାୟକଙ୍କ ଉଦ୍ୟମକୁ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe