ଏସିଏଫ୍ ମୃତ୍ୟୁ ମାମଲା: ଅଜ୍ଞାତାବାସରେ ଡିଏଫ୍‌ଓ! ଜେରା କେବେ?

Advertisment
ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ବ୍ୟବହୃତ କାର୍‌ ବନ ବିଭାଗର ନୁହେଁ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡ଼ି ହୋଇ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟଣାକୁ ଏହାମଧ୍ୟରେ ଏକ ସପ୍ତାହରୁ ଅଧିକ ସମୟ ବିତିସାରିଛି। ଆଉ ଦିନ ଗଡ଼ିବା ସାଙ୍ଗକୁ ସ‌ସ୍‌ପେନ୍ସ୍ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାରଳା ପୁଲିସକୁ ମାମଲାର ତଦନ୍ତରେ ସହଯୋଗ କରିବାକୁ କ୍ରାଇମ୍‌ବ୍ରାଞ୍ଚ୍‌ର ଏକ ଟିମ୍ ପହଞ୍ଚି ସାରିଛନ୍ତି। ଆଜି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ତଦନ୍ତ ଆରମ୍ଭ କରିନାହାନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଲା, ଏଯାଏ ଗଜପତି ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ତଦନ୍ତ ପରିସରକୁ ଅଣା ଯାଇ ନଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୃତକ ସୌମ୍ୟରଞ୍ଜନଙ୍କ ପରିବାରବର୍ଗଙ୍କ ଏତଲା କ୍ରମେ ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ପତ୍ନୀ ବିଦ୍ୟାଭାରତୀଙ୍କ ନାମରେ ହତ୍ୟା (ଆଇପିସିର ଦଫା ୩୦୨) ଓ ଅପରାଧିକ ଷଡ଼୍‌ଯନ୍ତ୍ର (ଦଫା ୧୨୦(ବି)) ମାମଲା ରୁଜୁ ହୋଇଥିଲା। ଏହାମଧ୍ୟରେ ତଦନ୍ତକୁ ତ୍ବରାନ୍ବିତ କରାଯିବା ସହ ରୋଷେୟା ଓ ବିଦ୍ୟାଭାରତୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଜେରା ସରିଛି। କିନ୍ତୁ ଡିଏଫ୍‌ଓଙ୍କୁ ଏଯାଏ ପୁଲିସ ଆନୁଷ୍ଠାନିକ ଜେରା କରିନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଘଟଣା ଦିନ ପରଠୁ ଡିଏଫ୍‌ଓ କେଉଁଠି ଅଛନ୍ତି ଏହାକୁ ନେଇ ଚର୍ଚ୍ଚା ଏବେ ଜୋର୍ ଧରିଛି। ପାରଳା ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଆଜି କିଛି କର୍ମଚାରୀ ଓ ଦାୟିତ୍ବରେ ଥିବା ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ବେଳେ ସେମାନେ କହିଛନ୍ତି, ଡିଏଫ୍‌ଓ ଛୁଟିରେ ନାହାନ୍ତି। କିନ୍ତୁ ୪ରୁ ୫ ଦିନ ହେଲା ଅଫିସ୍‌କୁ ଆସିନାହାନ୍ତି। ତାଙ୍କ ବାସଭବନରେ ମୁତୟନ ଥିବା ସୁରକ୍ଷା ଗାର୍ଡ଼ ବି ଏ ବିଷୟରେ ମୁହଁ ଖୋଲୁନାହାନ୍ତି। ଏହାସହ ଚାରିଦିନ ହେଲା ସେ କାହା ସହ ଦେଖା ସାକ୍ଷାତ କରି ନାହାନ୍ତି। ତାଙ୍କୁ ବାସଭବନରେ ମଧ୍ୟ ବାହାରୁ କେହି ଭେଟିବାକୁ ଅନୁମତି ନାହିଁ ବୋଲି ସୁରକ୍ଷା ଗାର୍ଡ଼ ସୂଚନା ଦେଇଛନ୍ତି। ଗଜପତି ଏସ୍‌.ପି ତପନ କୁମାର ପଟ୍ଟନାୟକ କହିଛନ୍ତି, ଖୁବ୍ ଶୀଘ୍ର ଡିଏଫ୍‌ଓଙ୍କୁ ଜେରା କରାଯିବ। କିନ୍ତୁ କେବେ ଜେରା ହେବ ଏସଂପର୍କରେ କିଛି କହିବାକୁ ମନା କରିଛନ୍ତି।

ତେବେ କରୋନା ଦ୍ବିତୀୟ ଲହର୍ ପ୍ରାଦୁର୍ଭାବ ପରେ ସେ ପ୍ରାୟ ୪ ମାସ ହେଲା ଘରୁ କାମ (ୱାର୍କ ଫ୍ରମ୍‌ ହୋମ୍) କରୁଥିବା ଜଣାପଡ଼ିଛି। ୧୨ ତାରିଖ ରାତିରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟିଥିଲା। ଗତ ୧୩ ତାରିଖରେ ଡିଏଫ୍‌ଓ ଶ୍ରୀ ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ। କିନ୍ତୁ ଏହା ପରଠୁ ଡିଏଫ୍‌ଓଙ୍କ ଆଉ ‌ଖୋଜ୍‌ଖବର ମିଳୁନି କି କେହି ତାଙ୍କୁ ଦେଖି ନାହାନ୍ତି। ସେ ନିଜ ସରକାରୀ କ୍ବାର୍ଟର୍ସରେ ହିଁ ଥିବା ଅନୁମାନ କରାଯାଉଛି। ତେବେ ସେ ଯାହା ହେଉନା କାହିଁକି, ଏହି ସମ୍ବେଦନଶୀଳ ଘଟଣାରେ ଏଯାବତ୍ ଡିଏଫ୍‌ଓଙ୍କୁ ପୁଲିସ କାହିଁକି ଜେରା କରୁନାହିଁ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏଣୁ ଡିଏଫ୍‌ଓଙ୍କ ଅଜ୍ଞାତବାସ ଓ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି। ସେହିପରି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଡିଏଫ୍‌ଓ ଏଯାଏ ଗଣମାଧ୍ୟମ ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe