୧୨ ବର୍ଷ ତଳେ କଲିକତାରେ ନିଖୋଜ ହୋଇଯାଇଥିଲେ, ଖୁଣ୍ଟୁଣୀରୁ ହଜିଲା ପୁଅକୁ ଫେରି ପାଇଲେ ବାପା-ମା’

Advertisment
୧୨ ବର୍ଷ ତଳେ କଲିକତାରେ ନିଖୋଜ ହୋଇଯାଇଥିଲେ, ଖୁଣ୍ଟୁଣୀରୁ ହଜିଲା ପୁଅକୁ ଫେରି ପାଇଲେ ବାପା-ମା’

Sambad

ଖୁଣ୍ଟୁଣୀ: କଲିକତାର ଏକ ହୋଟେଲ୍‌ରେ କାମ କରିବା ସମୟରେ ୧୨ ବର୍ଷ ତଳେ ମାନସିକ ବିକୃତି ଦେଖାଦେଇଥିଲା। ସେଠାରୁ ନିଖୋଜ ହୋଇଯାଇଥିଲେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା କଳିଙ୍ଗା ଅଞ୍ଚଳର ଯୁବକ ମୋହନ ଗୋଚ୍ଛାୟତ। ଆଜି ଖୁଣ୍ଟୁଣୀ ବଜାରରୁ ହଜିଲା ପୁଅ ମୋହନକୁ ଫେରି ପାଇ ଆତ୍ମହରା ହୋଇଉଠିଛନ୍ତି ବାପା-ମା’ ଓ ପରିବାର। ସୂଚନା ମୁତାବକ, ମହାମାରୀ କରୋନା ପୂର୍ବରୁ ମାନସିକ ଭିନ୍ନକ୍ଷମ ମୋହନ ଖୁଣ୍ଟୁଣୀ ବଜାରକୁ ଆସି ବୁଲୁଥିବା ଦେଖିବାକୁ ମିଳିଥିଲା। ସେ ମାଗିକରି ଖାଇବା ସହ ଏଣେତେଣେ ବୁଲୁଥିଲେ। କିଛିଦିନ ତଳେ ମୋହନଙ୍କ ଜଣେ ସମ୍ପର୍କୀୟ ମହିଳା ନିଜ ବାପଘର ଖୁଣ୍ଟୁଣୀ ଥାନା ଡାଳୁଆ ଗ୍ରାମକୁ ଆସିଥିଲେ। ଏହି ସମୟରେ ମୋହନ ଏକ ଦୋକାନ ବାରଣ୍ଡାରେ ଶୋଇଥିବା ଦେଖି ମହିଳାଜଣକ ତାଙ୍କ ପରିବାରବର୍ଗଙ୍କୁ କହିଥିଲେ।

ଆଜି ମୋହନଙ୍କ ଜଗବନ୍ଧୁ ଗୋଚ୍ଛାୟତ, ମା’ ଦ୍ରୌପଦୀ ଗୋଚ୍ଛାୟତ ଓ ସମ୍ପର୍କୀୟ ମହିଳାଜଣକ ଖୁଣ୍ଟୁଣୀରେ ପହଞ୍ଚି ପୁଅକୁ ଚିହ୍ନିଥିଲେ। ସେମାନେ ହଜିଲା ପୁଅ ମୋହନଙ୍କୁ କୋଳେଇ ନେବା ସହ ଚୁଟି ଓ ଦାଢ଼ି କାଟି ନୂଆ ପ୍ୟାଣ୍ଟସାର୍ଟ ପିନ୍ଧାଇଥିଲେ। ଏହାପରେ ଖୁଣ୍ଟୁଣୀ ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀ ସନ୍ତୋଷ ଜେନା, ଚନ୍ଦନ ନାୟକ, ବିଶ୍ୱଜିତ୍‌ ମହାପାତ୍ର, ପ୍ରାଣବନ୍ଧୁ ରଣା ପ୍ରମୁଖଙ୍କ ସହଯୋଗରେ ସେମାନେ ମୋହନଙ୍କୁ ଘରକୁ ନେଇଯାଇଥିଲେ। ଏ ନେଇ ମୋହନଙ୍କ ବାପା ଜଗବନ୍ଧୁଙ୍କ ସହିତ ଯୋଗାଯୋଗ କରିବାରୁ ଏକମାତ୍ର ପୁଅ ମୋହନକୁ ପାଇ ପରିବାର ବହୁତ ଖୁସି ଥିବା ସେ କହିଛନ୍ତି। ତାଙ୍କର ଚିକିତ୍ସା କରି ରୋଗ ଭଲ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe