‘ପରିକ୍ରମା ପ୍ରକଳ୍ପରେ ରଖାଯାଉ ପାର୍ଶ୍ବ ଦେବଦେବୀ, ସାରଥି ଓ ଘୋଡ଼ା’

Advertisment

ରଥରୁ ଓହ୍ଲାଇଲେ ଦେବଦେବୀ

ରଥରୁ ଓହ୍ଲାଇଲେ ଦେବଦେବୀ

‘ପରିକ୍ରମା ପ୍ରକଳ୍ପରେ ରଖାଯାଉ ପାର୍ଶ୍ବ ଦେବଦେବୀ, ସାରଥି ଓ ଘୋଡ଼ା’

ପୁରୀ: ଗୁଣ୍ଡିଚା ଯାତ୍ରା ପରେ ମହାପ୍ରଭୁ ରଥରୁ ରତ୍ନବେଦୀକୁ ଫେରିଛନ୍ତି। ଚତୁର୍ଦ୍ଧା ବିଗ୍ରହ ରଥ ଛାଡ଼ି ଯିବା ପରେ ରଥରୁ ଓହ୍ଲାଇଛନ୍ତି ପାର୍ଶ୍ବ ଦେବତା। ସାରଥିଙ୍କ ସମେତ ଘୋଡ଼ାଙ୍କୁ ରଥରୁ ଓହ୍ଲାଯାଇଛି। ଏହାବ୍ୟତୀତ ଶିଖର ଡମ୍ବରୁ, କନିଆପଟା, ହଂସପଟା ଆଦି ରଥରୁ ଖୋଲାଯାଇ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭୋଇ ସେବକମାନଙ୍କ ଦ୍ବାରା ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ରଥ ସହ ସଂଯୋଗ ହୋଇଥିବା ପାର୍ଶ୍ବ ଦେବଦେବୀଙ୍କଠାରୁ ଆରମ୍ଭ କରି ସାରଥି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନାରେ ରଖାଯାଉଛି।

ଚତୁର୍ଦ୍ଧା ବିଗ୍ରହ ରତ୍ନବେଦିକୁ ଫେରିଯିବା ପରେ ଯେମିତି ଏମାନେ ଅଲୋଡ଼ା ହୋଇ ଯାଉଛନ୍ତି। ତେଣୁ ରଥରେ ସଂଯୋଗ ହେଉଥିବା ପ୍ରତିଟି ଅଂଶକୁ ସଂଗ୍ରହାଳୟ କରି ସଂରକ୍ଷିତ ରଖାଯିବା ନେଇ ରୂପକାର ଓ ଭୋଇ ସେବକମାନେ ଦାବି କରିଛନ୍ତି। ରଥଯାତ୍ରା ଶେଷ ହେବା ପରେ ୧୨ଟି ଘୋଡ଼ା ଯଥା ତାଳଧ୍ବଜ ରଥର ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ, ଦେବଦଳନ ରଥର ରୋଚିକା, ମୋଚିକା, ଜିତା, ଅପରାଜିତା ଓ ନନ୍ଦିଘୋଷ ରଥର ଶଙ୍ଖ, ବଳାହକ, ଶ୍ବେତ ଓ ହରିଦ୍ବାଶଙ୍କୁ ଗୁଣ୍ଡିଚା ମନ୍ଦିର ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ ନନ୍ଦିଘୋଷ ରଥ ଦଉଡ଼ି ଶଙ୍ଖଚୂଡ଼ ନାଗୁଣୀ, ଦେବଦଳନ ରଥ ଦଉଡ଼ି ସ୍ବର୍ଣ୍ଣଚୂଡ଼ ନାଗ, ତାଳଧ୍ବଜ ରଥ ଦଉଡ଼ି ବାସୁକୀ, ଚାରମାଳ, କନିଆପଟା, ହଂସପଟା ଆଦି ଖୋଲାଯିବା ପରେ ଗୁଣ୍ଡିଚା ମନ୍ଦିରକୁ ସ୍ଥାନାନ୍ତର ହୋଇଛି। ସେହିପରି ଶ୍ରୀବଳଭଦ୍ରଙ୍କ ରଥର ସାରଥି ମାତଳୀ, ଦେବୀ ସୁଭଦ୍ରାଙ୍କ ରଥର ସାରଥି ଅର୍ଜୁନ, ଶ୍ରୀଜଗନ୍ନାଥଙ୍କ ରଥ ସାରଥି ଦାରୁକଙ୍କୁ ଉତ୍ତରପାର୍ଶ୍ବ ମଠକୁ ସ୍ଥାନାନ୍ତର କରାଯାଇଛି। ପାର୍ଶ୍ବ ଦେବତା ଓ ଶିଖର ଡମ୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଖାଯାଇଛି।

publive-image

ଏନେଇ ଭୋଇ ସର୍ଦାର ରବି ଭୋଇ କହିଛନ୍ତି, ୭୭ ଜଣ ଭୋଇ ସେବକଙ୍କ ସହଯୋଗରେ ପାର୍ଶ୍ବ ଦେବଦେବୀଙ୍କଠାରୁ ନେଇ ସାରଥିଙ୍କ ପର୍ଯ୍ୟନ୍ତ ଓହ୍ଲାଯାଇଛି। ବାଲିହରଚଣ୍ଡୀଙ୍କ ନିକଟରେ ଯାଇ ପୂଜାର୍ଚ୍ଚନା କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେବେ ବି ରଥ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଆସିବ ରଥ ଭାଙ୍ଗିବା କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି। ଶ୍ରୀ ଭୋଇ କହିଛନ୍ତି, ରଥଯାତ୍ରା ଦେଖିବାକୁ ସମସ୍ତ ଭକ୍ତଙ୍କୁ ସୁଯୋଗ ଜୁଟେ ନାହିଁ। ଯଦି ଅନ୍ତତଃ ସଂପ୍ରତି ଚାଲୁଥିବା ପରିକ୍ରମା ପ୍ରକଳ୍ପ ମଧ୍ୟରେ ରଥରୁ ଓହ୍ଲାଯାଉଥିବା ପାର୍ଶ୍ବ ଦେବଦେବୀ ଓ ସାରଥିଙ୍କଠାରୁ ନେଇ ରଥ ଦଉଡ଼ି ଆଦି ରଥର ବିଭିନ୍ନ ଅଂଶକୁ ନାମକରଣ ସହ ଏକ କାଚ ଘର କରାଯାଇ ସଂରକ୍ଷିତ ରଖାଯାଇପାରନ୍ତା, ତେବେ ଭଲ ହୁଅନ୍ତା।

ପ୍ରତିବର୍ଷ ରଥରେ ପୁରୁଣାକୁ କାଢ଼ି ନୂଆ ରଥର ଅଂଶବିଶେଷ ରଖାଯାଇପାରିଲେ ଏହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଗରିମାକୁ ବୃଦ୍ଧି କରନ୍ତା। ଯେଉଁ ଭକ୍ତମାନେ ରଥ ଦେଖୁଛନ୍ତି ଓ ରଥର ବିଭିନ୍ନ ଅଂଶର ନାଁ ଜାଣିବାକୁ ଉତ୍ସୁକ, ସେମାନେ ରଥର ବିଭିନ୍ନ ଅଂଶକୁ ଗୋଟିଏ ସ୍ଥାନରେ ଦେଖିବାର ସୁଯୋଗ ପାଆନ୍ତେ ବୋଲି କହିଛନ୍ତି। ପୂର୍ବରୁ ଜଗନ୍ନାଥ ବଲ୍ଲଭ ପରିସରରେ ତିନି ରଥ ରଖିବା ପାଇଁ ପରିକଳ୍ପନା ହୋଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନଥିଲା। ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଲିଥିବାରୁ ଏହା ମଧ୍ୟରେ ଏସମସ୍ତ ଅଂଶବିଶେଷ ରଖିବା ପାଇଁ ସୁଯୋଗ ରହିଛି ବୋଲି ଶ୍ରୀ ଭୋଇ କହିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe