ଦୀପ ତଳ ଅନ୍ଧାର: ଗାନ୍ଧୀ ଶିଶୁ ବିନୋଦନ ଉଦ୍ୟାନ; ଭାଙ୍ଗିଗଲାଣି ପିଲାଙ୍କ ଖେଳ ସାମଗ୍ରୀ, ନାହିଁ ଶୌଚାଳୟ

ଦୀପ ତଳ ଅନ୍ଧାର: ଗାନ୍ଧୀ ଶିଶୁ ବିନୋଦନ ଉଦ୍ୟାନ; ଭାଙ୍ଗିଗଲାଣି ପିଲାଙ୍କ ଖେଳ ସାମଗ୍ରୀ, ନାହିଁ ଶୌଚାଳୟ

Sambad

ଜୟପୁର: ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ କାଢ଼ି ବିଭିନ୍ନ ବର୍ଗର ଲୋକ ଖୋଲା ଆକାଶ ତଳେ ସମୟ ବିତେଇବା ପାଇଁ ପାର୍କକୁ ଆସିଥାନ୍ତି। ଏଥିପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲାଯାଇଛି ପାର୍କ। ହେଲେ ସେଗୁଡ଼ିକର ରକ୍ଷଣାବେକ୍ଷଣ କେମିତି ହେଉଛି ତାହା ଏବେ ନଜରକୁ ଆସିଛି। ପୌରପାଳିକା କାର୍ୟ୍ୟାଳୟର ସମ୍ମୁଖରେ ତଥା ମାତ୍ର ୧୦୦ମିଟର ପାର୍କସାହିରେ ରହିଥିବା ଗାନ୍ଧୀ ଶିଶୁ ବିନୋଦନ ଉଦ୍ୟାନ ଅବସ୍ଥା ଦେଖିଲେ ଏଥିରୁ ସ୍ପଷ୍ଟ ଅନୁମେୟ।

ଏହି ପାର୍କର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ଲାଗି ପୌରପରିଷଦ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହାର ଅବସ୍ଥା ଖରାପ ହେବାରେ ଲାଗିଛି। ଏହି ପାର୍କର ମଧ୍ୟ ଭାଗ ସଫା ରହିଛି। ଘାସ ଗାଲିଚା ସାଙ୍ଗକୁ ଜାତିର ଜନକ ବାପୁଙ୍କ ପ୍ରତିମୂର୍ତ୍ତି ରହିଛି। ପ୍ରତିମୂର୍ତ୍ତିର ଅବସ୍ଥା ନ କହିବା ଭଲ। ତା ସାଙ୍ଗକୁ ଗେଟ ଖୋଲା ରହୁଥିବାରୁ ଦିନ ତମାମ ନିଶାଖୋର ଓ ସଂଧ୍ୟା ନଇଁବା ମାତ୍ରକେ ଅସମାଜିକ ମାନେ ଏଠାରେ ଆଡ୍ଡା ଜମାଉଛନ୍ତି। ପାର୍କ ପାର୍ଶ୍ବରେ କରାଯାଇଥିବା ଡମ୍ପିଂୟାର୍ଡର ମଇଳା ଓ ଆବର୍ଜନା ସବୁ ପାର୍କରେ ଭର୍ତ୍ତି। ଆଲୋକୀକରଣ, ଲାଇଟ୍‌, ପରିମଳ, ଧୀରେ ଧୀରେ ଅଚଳ ହେବାରେ ଲାଗିଛି। ଶୌଚାଳୟ ନାହିଁ।

publive-image Sambad

ପାର୍କ ଭିତର ପାଚେରିକୁ ଲାଗି ଥିବା ସ୍ଥାନରେ ଅନାବନା ଗଛ ଉଠିଛି। ଫଳରେ ସନ୍ଧ୍ୟା ସମୟ ତ ଦୂରର କଥା ଭୋର ସମୟରେ ଏଠାରେ ବୁଲିବାକୁ ଲୋକେ ଭୟ କରୁଛନ୍ତି। ପାର୍କ ପରିସରରେ ମହିଳା ଓ ପୁରୁଷଙ୍କ ଲାଗି ଶୌଚାଳୟ ନାହିଁ। ପିଲାଙ୍କ ପାଇଁ ଥିବା ଖେଳ ପାର୍କର ସାମଗ୍ରୀଗୁଡ଼ିକ ଭାଙ୍ଗି ଗଲାଣି। ବର୍ଷାଧିକ କାଳ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାହାର ମରାମତି କରାଯାଉ ନାହିଁ। ଖେଳିବା ସ୍ଥାନରେ ଘାସ ନ ଥିବାରୁ ପିଲାମାନେ ତଳେ ପଡ଼ି ଆହତ ହେଉଛନ୍ତି। ଓ୍ଵାଟର ଫାଉଣ୍ଟେନ ଓ ଲୁହାର ରକେଟର ଚିହ୍ନବର୍ଣ୍ଣ ଆଉ ଦିଶୁନି।

publive-image Sambad

ଲୁହା ଝୁଲାର ଅବସ୍ଥା ନ କହିବା ଭଲ। ଗତ କିଛି ବର୍ଷ ତଳେ ବି ଏହାର ମରାମତି କରାଯାଇଥିଲେ ହେଁ ଉପଯୁକ୍ତ ରକ୍ଷଣାବେକ୍ଷଣ, ଦେଖାରଖା ନ କରିବାରୁ ଦିନକୁ ଦିନ ଏହାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି। ପିଇବା ପାଇଁ ପାଣି ଟ୍ୟାଙ୍କ ଲଗାଯାଇଥିଲେ ହେଁ ଲତାବୁଧା ଉଠିଯାଇଛି। ଏହି ପାର୍କରେ ପାଦଚଲା ରାସ୍ତା ସହ ପୁନଃରୁଦ୍ଧାର କରି ସହରର ପ୍ରମୁଖ ପାର୍କ କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ତଥା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ। ସହରରେ ଆହୁରି କିଛି ସ୍ମାର୍ଟ ପାର୍କ କରିବାକୁ ସ୍ଥାନ ଖୋଜା ଚାଳିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe