ପଚିଗଲା ଆଳୁ ମିସନ! ୧୩ ଜିଲ୍ଲାରେ ନାହିଁ ଶୀତଳ ଭଣ୍ଡାର

Advertisment

୧୩୧ରୁ ଚାଲୁଛି ମାତ୍ର ୪୯, ଆବଶ୍ୟକ ୧୨ ଲକ୍ଷ ମେଟ୍ରିକ ଟନ୍ ଆଳୁ, ବର୍ଷକୁ ଉତ୍ପାଦନ ୩ ଲକ୍ଷ

୧୩୧ରୁ ଚାଲୁଛି ମାତ୍ର ୪୯, ଆବଶ୍ୟକ ୧୨ ଲକ୍ଷ ମେଟ୍ରିକ ଟନ୍ ଆଳୁ, ବର୍ଷକୁ ଉତ୍ପାଦନ ୩ ଲକ୍ଷ

ଓଡ଼ିଶାକୁ ଆଳୁ ଛାଡ଼ୁନି ପଶ୍ଚିମବଙ୍ଗ

Sambad

କଟକ,(ଗଦାଧର ପଣ୍ଡା): ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ଓ ଆଳୁ ଦରକୁ ନିୟନ୍ତ୍ରିତ କରିବା ପାଇଁ ସରକାର ୨୦୧୫ରେ କରିଥିବା ଆଳୁ ମିସନ୍‌ ଯୋଜନା ଅଘୋଷିତ ଭାବେ ଏକ ପ୍ରକାର ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ମେ ମାସରେ ଆଳୁ ଧଡ଼ା (୩ କିଲୋ) ୮୦ ଟଙ୍କାରେ ପହଞ୍ଚି ଥିବାବେଳେ ଜୁନ୍ ବେଳକୁ ଏହା ଆହୁରି ବଢିବା ଆଶଙ୍କା କରାଯାଉଛି। ରାଜ୍ୟରେ ଶୀତଳଭଣ୍ଡାର ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ରାଜ୍ୟର ୩୦ ଜିଲ୍ଲାରୁ ଏବେ ବି ୧୩ଟି ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ। ଏବଂ ରାଜ୍ୟରେ ଥିବା ୧୩୧ଟି ଶୀତଳ ଭଣ୍ଡାର ମଧ୍ୟରୁ ମାତ୍ର ୪୯ଟି ସଚଳ ସ୍ଥିତିରେ ଅଛି।

publive-image Bakhabar Kissan

ତଥ୍ୟ ଅନୁଯାୟୀ ଓଡ଼ିଶାରେ ଯେତିକି ଆଳୁ ଉତ୍ପାଦନ ହେଉଛି ତାର ୪ଗୁଣା ଆଳୁର ଆବଶ୍ୟକତା ରହିଛି। ଏଥିପାଇଁ ଓଡ଼ିଶାକୁ ପଶ୍ଚିମବଙ୍ଗ ଉପରେ ସବୁବେଳେ ନିର୍ଭର କରିବାକୁ ପଡୁଛି। ୨୦୧୫-୧୬ରେ ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ଆଳୁ ସଙ୍କଟକୁ ନେଇ ମାନସ ମନ୍ଥନ କରାଯାଇଥିଲା। ସେହିବର୍ଷ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଏପ୍ରିଲ ୩୦ ତାରିଖରେ ଆଳୁ ମିସନର ଶୁଭାରମ୍ଭ କରାଯାଇଥିଲା। ଲକ୍ଷ୍ୟ ଥିଲା ଓଡ଼ିଶାକୁ ଆଳୁ ଉତ୍ପାଦନରେ ଆତ୍ମନିର୍ଭର କରିବା ସହ, ଆଳୁ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଓ ରାଜ୍ୟରେ ଅଧିକରୁ ଅଧିକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା। ଏଥିପାଇଁ ଏକ ସ୍ବତନ୍ତ୍ର ବଜେଟ୍‌ରେ ସରକାର ପାଣ୍ଠି ମଧ୍ୟ ପ୍ରଦାନ କରିଥିଲେ। ମାତ୍ର ଅଫିସରଙ୍କ ଆନ୍ତରିକତା ଅଭାବ ଓ କୃଷି ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଆଳୁ ମିସନ ସଫଳ ହୋଇପାରିଲା ନାହିଁ। ମିସନ ଆରମ୍ଭ ହେବାପରେ ରାଜ୍ୟରେ ନା ଆଳୁ ଉତ୍ପାଦନ ବଢିଲା ନା ଆବଶ୍ୟକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଗଲା। ଏପରିକି ପୂର୍ବରୁ ବିଭିନ୍ନ ସମବାୟ ସମିତି ଦ୍ବାରା ପରିଚାଳିତ ୧୮ଟି ଶୀତଳ ଭଣ୍ଡାରରୁ ଏବେ ୧୩ଟି ଶୀତଳ ଭଣ୍ଡା ବନ୍ଦ ପଡିଥିବା ବେଳେ ମାତ୍ର ୫ଟି ଶୀତଳ ଭଣ୍ଡାର ଚାଲୁଛି। ରାଜ୍ୟରେ ୨୦୨୦-୨୧ରେ ୨୬ ହଜାର ହେକ୍ଟର ଜମିରେ ମାତ୍ର ୩.୦୯ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ କରାଯାଇଛି। କିନ୍ତୁ ରାଜ୍ୟରେ ୧୨.୮୮ଲକ୍ଷ ମେଟ୍ରିକ ଟନ ଆଳୁର ଆବଶ୍ୟକତା ରହିଛି। ଉତ୍ପାଦିତ ଆଳୁ ବି ଶୀତଳ ଭଣ୍ଡାର ଅଭାବ ଯୋଗୁଁ ସଂରକ୍ଷିତ ରଖାଯାଇପାରୁନି।

publive-image

ଆଳୁ ମିସନ୍‌ ଆରମ୍ଭ ହେବା ପରେ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟରେ ୩.୨ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ହୋଇଥିବା ବେଳେ, ୨୦୧୭-୧୮ରେ ୨.୯୮ ଲକ୍ଷ ମେଟ୍ରିକ ଟନ୍, ୨୦୧୮-୧୯ରେ ୨.୯୦ ଲକ୍ଷ ମେଟ୍ରିକ୍ ଟନଓ ୨୦୨୦-୨୧ରେ ୩.୦୯ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହୋଇଛି। କିନ୍ତୁ ଉଦବେଗର ପ୍ରସଙ୍ଗ ହେଉଛି, ଆଳୁ ମିସନ ପାଇଁ ରାଜ୍ୟ ସରକାର ୧୩୦ କୋଟି ପାଣ୍ଠି ବ୍ୟବସ୍ଥା କରିଥି‌ବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୨୬ କୋଟି ଟଙ୍କା। ଏହି ଯୋଜନାରେ ୫୫ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ରାଜ୍ୟରେ ମାତ୍ର ୨୧ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇ ପାରିଥିଲା। ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଶିଳ୍ପଦ୍ୟୋଗୀମାନେ ଆଗ୍ରହ ପ୍ରକାଶ କରି ନଥିଲେ। ଏଥିପାଇଁ ଆଳୁ ମିସନ ଟାସ୍କ ଫୋର୍ସ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ମାତ୍ର ତାହା ବହୁ ବିଳମ୍ବରେ କାର୍ଯ୍ୟକାରୀ କରାଗଲା। ଟାସ୍କ୍ ଫୋର୍ସ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଆଗ୍ରହୀ ଉଦ୍ୟୋଗୀଙ୍କୁ ବିଦ୍ୟୁତ୍ ବିଲ୍‌ରେ ୫୦ ପ୍ରତିଶତ ରିହାତି ଦେବାକୁ ପ୍ରସ୍ତାବ ରଖାଯାଇଥିଲା। ଏଥିପାଇଁ ଟାସ୍କଫୋର୍ସ ଏକ ସ୍ଲାବ୍‌ ମଧ୍ୟ ପ୍ରଦାନ କରିଥିଲେ। ପ୍ରଥମ ଦୁଇ ବର୍ଷ ୩୦ ପ୍ରତିଶତ ଓ ଶେଷ ୪ ବର୍ଷ ୨୦ ପ୍ରତିଶତ ରିହାତି ଦେବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ୨୦୧୯ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଗଲା ନାହିଁ। ଏଭଳି ସ୍ଥିତିରେ ଆଳୁ ମିସନ୍‌ ସଂପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏ ଦିଗରେ ସରକାର ପୁଣିଥରେ ଗୁରୁତ୍ବର ସହ ଚିନ୍ତା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe