ବାଲେଶ୍ବର: ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ଜିଲ୍ଲା ବଡ଼ମେଡ଼ିକାଲ୍ରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତଲୋମାନେ ଭଙ୍ଗାରୁଜା କରିବା ସହ ବଡ଼ମେଡ଼ିକାଲ୍ ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରି ପ୍ରତିବାଦ କରିଥିଲେ। ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ସମ୍ପୃକ୍ତ ଡ଼ାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିଲେ। ୪ଘଣ୍ଟା କାଳ ରାସ୍ତାରୋକ ପରେ ମଧ୍ୟ ଉତ୍ତ୍ୟକ୍ତଲୋକ ରାସ୍ତାରୁ ହଟିନଥିଲେ। ସ୍ଥିତି ଅସମ୍ଭାଳ ହେବାରୁ ସେଠାରେ ୨ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଥିଲା।
ସୂଚନା ମୁତାବକ, ସୋମବାର ଅପରାହ୍ନ ପାଖାପାଖି ସାଢ଼େ ୫ଟା ସମୟରେ ସଦର ଥାନା ତୁଟାପାଳ ଅଞ୍ଚଳର ଦେବରାଜ ମାଝୀ(୩୩) କ୍ରିକେଟ୍ ଖେଳୁଥିବା ସମୟରେ ବାମହାତ ଯନ୍ତ୍ରଣା ହୋଇଥିଲା। ତେଣୁ ସେ ଘରକୁ ଆସି ଜଣାଇଥିଲେ। ଏହାପରେ ତାଙ୍କର ଦୁଇ ସାଙ୍ଗ ତାଙ୍କୁ ଚିକିତ୍ସା ପାଇଁ ବଡ଼ମେଡିକାଲ୍ ଆଣିଥିଲେ। ଡ଼ାକ୍ତରଙ୍କୁ ଦେଖାଇବା ପରେ ଔଷଧ ଆଣି ମେଡିକାଲ୍ ଗେଟ୍ ସମ୍ମୁଖରେ ଥିବା ଏକ ଦୋକାନକୁ ଯାଇଥିଲେ। ସେଠାରେ ବସି ଔଷଧ ଖାଇଥିଲେ। ଔଷଧ ଖାଇବାର କିଛିକ୍ଷଣ ମଧ୍ୟ ହଠାତ୍ ଅସୁସ୍ଥ ହୋଇ ବେଞ୍ଚରୁ ତଳକୁ ଖସିପଡ଼ିଥିଲେ। ସାଙ୍ଗମାନେ ମେଡିକାଲ୍କୁ ଯାଇ ଜଣାଇବା ପରେ ଏକ ଷ୍ଟ୍ରେଚର୍ରେ ତାଙ୍କୁ ମେଡିକାଲ୍ ଅଣାଯାଇଥିଲା। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।
ଘଟଣା ପ୍ରଘଟ ହେବାପରେ ଦେବରାଜଙ୍କ ପରିବାରଲୋକ, ଗ୍ରମବାସୀ ଏବଂ ସ୍ଥାନୀୟଲୋକଙ୍କ ଭିଡ ଜମିଥିଲା। ମୃତଦେହକୁ ରାସ୍ତାରେ ରଖିବା ସହ ନିଆଁ ଜାଳି ଧାରଣା ଦେଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ସ୍ବରୂପ ଦାସ, ଟାଉନ୍ଥାନା ଆଇଆଇସି ଶୁଭ୍ରାଂଶୁ ନାୟକ, ସହଦେବଖୁଣ୍ଟା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲ୍ଲେଇ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା। ଅନ୍ୟପଟେ ସ୍ଥାନୀୟଲୋକ କହିଛନ୍ତି ଯେ, ଡ଼ାକ୍ତର ଗ୍ୟାସ୍ ପାଇଁ ଔଷଧ ଲେଖିଥିଲେ ମଧ୍ୟ ତାହା ଦିଆଯାଇ ନଥିଲା। ଫଳରେ ଔଷଧ ପ୍ରତିକ୍ରିୟା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି।
Follow Us