ଜରାସିଂହା ପାଟଖଣ୍ଡା ଯାତ୍ରା: ପହଞ୍ଚିଲା ପାଟସିନ୍ଦୁର, କାଲି ଦେଝାରରୁ ବାହାରିବେ ଦେବୀ

Advertisment

ଲୋକାରଣ୍ୟକୁ ରୋକି ପାରିବ ତ ପୁଲିସ?

ଲୋକାରଣ୍ୟକୁ ରୋକି ପାରିବ ତ ପୁଲିସ?

ଜରାସିଂହା ପାଟଖଣ୍ଡା ଯାତ୍ରା: ପହଞ୍ଚିଲା ପାଟସିନ୍ଦୁର, କାଲି ଦେଝାରରୁ ବାହାରିବେ ଦେବୀ

File photo

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଠାରେ ହେଉଥିବା ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ରବିବାର ଅପରାହ୍ନରେ ମନ୍ଦିରକୁ ପହଞ୍ଚିଛି। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଥିବାରୁ ଅନୁମତି ପାଇଥିବା ସେବକମାନେ ଗାଁ ମୁଣ୍ଡକୁ ଯାଇ ପାଟସିନ୍ଦୁରକୁ ବରଣ କରିଥିଲେ।

ପାଟଣାଗଡ଼ରୁ ଚାଲି ଚାଲି ଆସିଥିବା ସେବକଙ୍କ ଠାରୁ ଏହି ପାଟସିନ୍ଦୁର ବରଣ ସମୟରେ ପ୍ରତି ବର୍ଷ ଲୋକଙ୍କ ଗହଳିରେ ଜରାସିଂହା ଗାଁ ଫାଟି ପଡୁଥିଲା। ପଟଖଣ୍ଡା ଦେବୀଙ୍କ ସେବକ ଦୁର୍ଗା ପ୍ରସାଦ ସିଂ ଦେଓ ଓ ବରୁଆ ସନ୍ତୋଷ ଥନାପତି ପାଟସିନ୍ଦୁରକୁ ବରଣ କରି ମନ୍ଦିର ଭିତରକୁ ଆଣିଥିଲେ।

ପରମ୍ପରା ଅନୁଯାୟୀ ପାଟଣାଗଡ଼ ପାଟଣେଶ୍ୱରୀ ମନ୍ଦିରରୁ ପାଟ ଓ ସିନ୍ଦୂରକୁ ନେଇ ପାଟଖଣ୍ଡାଙ୍କ ସେବକ ଲିଟି ପଥିରିମାଳୀ ଓ ଏକାଦଶିଆ ନାଏକ ଚାଲି ଚାଲି ଆଣିଥାନ୍ତି। ଏହି ପାଟସିନ୍ଦୁର ଜରାସିଂହାକୁ ପହଞ୍ଚିଲା ପରେ ମନ୍ଦିର ଭିତରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ।

ବିଜୟା ଦଶମୀ ଦିନରୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ଏହି ଯାତ୍ରା ଶେଷ ହେଉଥିଲା। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହେବ କେବଳ ବିଧି ରକ୍ଷା ପାଇଁ। ଫଳରେ ସୋମବାର ସକାଳରେ ଗୁଡ଼ଭେଳା ବ୍ଲକ ନଅ ଗାଁ ଠାରେ ଥିବା ଦେଝାର ଜଙ୍ଗଲରେ ବରୁଆ ଦେହରେ ପାଟଖଣ୍ଡା ଦେବୀ ଆବିର୍ଭାବ ହୋଇ ଜରାସିଂହା ଅଞ୍ଚଳକୁ ଆସିବେ। ହେଲେ ଏ ବର୍ଷ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ପାଚେରୀ ହୋଇଛିଡା ହୋଇଥିବାରୁ ବଲି ପ୍ରଥାକୁ ବି ବାରଣ କରାଯାଇଛି, ଯାହାକି ମାନସିକଧାରୀ ଭକ୍ତମାନଙ୍କ ମନରେ ଆଘାତ ଦେଇଛି।

ଅନ୍ୟପକ୍ଷରେ ପାଟଖଣ୍ଡା ଯାତ୍ରା ଆରମ୍ଭ ହେବା ଦିନରୁ ଶେଷ ହେବା ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କୁ ନେଇ ଲୋକାରଣ୍ୟ ହେଉଥିବା ଯାତ୍ରା ପଡିଆକୁ ପୁଲିସ ପ୍ରଶାସନ କିପରି ଭାବେ ନିୟନ୍ତ୍ରଣ କରିବ। ବିନା ଭକ୍ତରେ ଯାତ୍ରା କିପରି ହେବ ତାକୁ ନେଇ ଚିନ୍ତାରେ ରହୁଛି ପୁଲିସ। ଏଣୁ ବିନା ଭକ୍ତରେ ଯାତ୍ରା ହେଉଥିବାରୁ ଏହି ଯାତ୍ରାକୁ ଆସୁଥିବା ଲୋକଙ୍କ ଉପରେ କଡ଼ାକଡ଼ି ଭାବେ କୋଭିଡ ନିୟମ ଲାଗୁ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe