ବେଆଇନ ଭାବେ ଆସିଥିବା ୧୧୨ ବସ୍ତା ଧାନ ଜବତ

Advertisment
ବେଆଇନ ଭାବେ ଆସିଥିବା ୧୧୨ ବସ୍ତା ଧାନ ଜବତ

Sambad

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଅଞ୍ଚଳରେ ଧାନମଣ୍ଡି ଗୁଡିକୁ ବାହାର ଅଞ୍ଚଳରୁ ବେଆଇନ ଭାବେ ଧାନ ଆଣି ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏନେଇ ପ୍ରଶାସନ ପକ୍ଷରୁ ଏହି ବେଆଇନ ଧାନକୁ ଧରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ବିଶେଷ କରି ତହସିଲଦାର ବାସନ୍ତୀ ସେଠୀ ଏ ଦିଗରେ ଅଧିକ ଧ୍ୟାନ ଦେବାସହ ଏପରି ବେଆଇନ ଧାନ ଯେପରି ସ୍ଥାନୀୟ ମଣ୍ଡି ଗୁଡିକୁ ନ ଆସେ ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ତେବେ ଆଜି ଏଭଳି ବାହାରୁ ୧୧୨ ବସ୍ତା ଧାନ ଆଣି କେହି ଜଣେ କଳାହାଣ୍ତି ଜିଲ୍ଲା କର୍ଲାମୁଣ୍ଡା ପେକ୍ସ ଅଧିନସ୍ଥ ରିଞ୍ଜା ମଣ୍ଡିରେ ପକାଇବା ବେଳେ ସ୍ଥାନୀୟ ଚାଷୀ ଏହା ଜାଣିପାରି ଗାଡିକୁ ଅଟକାଇବାକୁ ଉଦ୍ୟମ କରିଥିଲେ।

ଖବର ପାଇ କଳାହାଣ୍ଡି ମୁଖ୍ୟାଳୟ ସହକାରୀ ଜିଲ୍ଲା ଯୋଗାଣଅଧିକାରୀ ଧ୍ରୁମରାମ ମୁର୍ମ୍ମୁ, ଭବାନୀପାଟଣା ପୌରପାଳିକା ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରପାଳ, କେସିଙ୍ଗା ଯୋଗାଣ ନିରୀକ୍ଷକ ସୁଶାନ୍ତ ସ୍ୱାଇଁ ଓ କର୍ଲାମୁଣ୍ଡା ଯୋଗାଣ ନିରୀକ୍ଷକ ଶାନ୍ତାକାର ପଧାନ ମଣ୍ଡିରେ ପହଞ୍ଚିଥିଲେ। ତେବେ ତା’ ଆଗରୁ ଉକ୍ତ ଧାନ ଆଣିଥିବା ବ୍ୟକ୍ତି ଚକମା ଦେଖାଇ ଧାନ ସବୁ ମଣ୍ଡିରେ ଓହ୍ଲାଇ ଦେଇ ଗାଡି ଧରି ଫେରାର ମାରିଥିଲେ। ତେବେ ଅଧିକାରୀ ମାନେ ସେହି ୧୧୨ ବସ୍ତା ଧାନକୁ ଜବତ କରି ଭବାନୀପାଟଣା ନେଇଯାଇଥିଲେ। ପ୍ରକାଶଥାଉକି, ପ୍ରକୃତ ଚାଷୀ ଧାନନେଇ ମଣ୍ଡିରେ ଦିନଦିନ ଧରି ଜଗି ରହୁଥିବାବେଳେ ଦଲାଲ ମାନେ ବାହାରୁ ଧାନ ଆଣି ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି। ଏହି ବ୍ଲକ ବାହାର ଅଞ୍ଚଳରୁ ଗତବର୍ଷ ମଧ୍ୟ ବିପୁଳ ପରିମାଣରେ ଧାନ ଆସିଥିବା ଚର୍ଚ୍ଚା ହେଉଥିଲା। ତେଣୁ ପ୍ରଶାସନ ଚଢାଉ କରିବା ପରେ ସେହି ଦଲାଲ ମହଳରେ କୋକୁଆଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe